ଗଞ୍ଜେଇ ଚାଲାଣ ପାଇଁ ସୁରକ୍ଷିତ ପାଲଟିଛି ନାରାୟଣପାଟଣା ରାସ୍ତା  

ଆନ୍ଧ୍ର ସୀମାନ୍ତରୁ ଭ୍ୟାନ୍ ସହ ୮କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ 

ନାରାୟଣପାଟଣା: ଏବେ ଗଞ୍ଜେଇ ମାଫିଆମାନେ ନାରାୟଣପାଟଣା-ଲକ୍ଷ୍ମୀପୁର ରାସ୍ତାକୁ ସୁରକ୍ଷିତ ଭାବେ ବାଛି ନେଇଛନ୍ତି। ଏହି ରାସ୍ତାରେ ବିଶେଷ ଟ୍ରାଫିକ୍ ନଥିବା ସହ ପୁଲିସର ଯାଞ୍ଚ ମଧ୍ୟ ଏତେଟା ନଥିବାରୁ ଏହି ରାସ୍ତା ଦେଇ ପ୍ରାୟତଃ ସମୟରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଆଲୋଚନା ଚାଲିଥିଲା। ତେବେ ଗତକାଲି ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ଗ୍ରାମୀଣ ଥାନା ପୁଲିସ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ସୀମାନ୍ତ ଆନ୍ଧ୍ରର ଗୋଚେକା ଅଞ୍ଚଳରୁ ଏକ ଟ୍ରକ୍ ସହ ୮କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିବା ପରେ ଏହା ସତ ବୋଲି ସ୍ପଷ୍ଟ ହୋଇଯାଇଛି। ଗିରଫ ଦୁହେଁ ବ୍ୟକ୍ତି ବିହାର ରାଜ୍ୟ ଚମ୍ପାରାମ ଜିଲ୍ଲାର ସନ୍ଦୀପ କୁମାର ସାହାଣୀ (୨୨) ଏବଂ ପରମେଶ୍ବର କୁମାର ସାହୁ (୨୦) ବୋଲି ଆନ୍ଧ୍ର ପୁଲିସ ସୂଚନା ଦେଇଛି।
ପାର୍ବତୀପୁରମ୍ ଗ୍ରାମୀଣ ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କୋରାପୁଟ ଓ ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରର ପାଡ଼େରୁ ଅଞ୍ଚଳରୁ ଏକ ରିକୋଭରି ଭ୍ୟାନରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ସେହି ଅନୁସାରେ ଆନ୍ଧ୍ର ପୁଲିସ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟା ଚଲାଇଥିଲା। ଏହି ସମୟରେ ରାମୁ ରିକୋଭରି ଭ୍ୟାନ୍ (ଏପି-୧୨ଏନ୍-୧୯୦୫) ସେହି ରାସ୍ତା ଦେଇ ଚାଲିଯାଉଥିବା ଦେଖି ପୁଲିସ ଗାଡ଼ିକୁ ପିଛା କରିଥିଲା। ପରେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଗୋଚେକା ଠାରେ ଗାଡ଼ିକୁ ଅଟକାଇଥିଲା। ତେବେ ଗାଡ଼ିଟିକୁ ଯାଞ୍ଚ କଲା ବେଳେ ସେଥିରେ କିଛି ମିଳିନଥିଲା। କିନ୍ତୁ ଏହି ରାସ୍ତାରେ ରିକୋଭରି ଭ୍ୟାନ୍ ଆସିବା ସନ୍ଦେହ ହେବାରୁ ଗାଡ଼ିଟିକୁ ତନ୍ନତନ୍ନ କରାଯାଇଥିଲା। ପରେ ଭ୍ୟାନର ଡାଲାରେ ଏକ ବକ୍ସ କରି ସେଥିରେ ଗଞ୍ଜେଇ ରଖାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାକୁ କଟର ସାହାଯ୍ୟରେ କାଟିଲା ପରେ ସେଥିରେ ଗଞ୍ଜେଇ ପ୍ୟାକେଟ୍ ରହିଥିବା ଦେଖିବାକୁ ପାଇଥିଲା। ସମସ୍ତ ଗଞ୍ଜେଇ ପ୍ୟାକେଟ୍ ଗୁଡ଼ିକ ଓଜନ କରାଗଲା ପରେ ୮କ୍ବିଣ୍ଟାଲ ରହିଥିବା ଜଣାପଡ଼ିଥିଲା। ପରେ ଗଞ୍ଜେଇ ଏବଂ ଭ୍ୟାନକୁ ଜବତ କରିବା ସହ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିଲା।
ତେବେ ଜବତ ଭ୍ୟାନ୍ ବିହାର ରାଜ୍ୟର ହୋଇଥିଲା ବେଳେ ଆନ୍ଧ୍ର ପଞ୍ଜୀକରଣ ନମ୍ବର ଲଗାଇ ଗଞ୍ଜେଇ ଚାଲାଣ କରାଯାଉଥିଲା। ଏହି ଜବତ ଗଞ୍ଜେଇ ଆନୁମାନିକ ବଜାର ମୂଲ୍ୟ ଦୁଇକୋଟି ବୋଲି ପାର୍ବତୀପୁରମ୍ ଗ୍ରାମୀଣ ଥାନା ପୁଲିସ ଅଧିକାରୀ ଜି.ବୀରାବାବୁ କହିଛନ୍ତି। ଏନେଇ ଥାନାରେ ଏକ ମାମଲା ରୁଜୁ କରି ଗିରଫ ଦୁହେଁଙ୍କୁ ଆଜି ପାର୍ବତୀପୁରମ୍ ଏଜେଏଫସିଏମ୍ କୋର୍ଟ ଚାଲାଣ କରାଯାଇଛି। ତେବେ ପୁଲିସର ପଚରାଉଚରା ବେଳେ ଗିରଫ ଦୁହେଁ ଏହି ଗଞ୍ଜେଇ ଆନ୍ଧ୍ରର ପାଡ଼େରୁ ଠାରୁ ବାହାରି ମାକୁଆ, ଗୋଚେକା ଦେଇ ଓଡ଼ିଶାର ସୀମାନ୍ତ କାସ୍ପାଭାଲସା, ନାରାୟଣପାଟଣା, ଲକ୍ଷ୍ମୀପୁର ରାସ୍ତା ଦେଇ ବିହାର ରାଜ୍ୟକୁ ଚାଲାଣ କରିବାକୁ ଯୋଜନା ହୋଇଥିବା ନେଇ ପୁଲିସ ନିକଟରେ କହିଥିବା ନେଇ ଏସ୍ଆଇ ଜି.ବୀରାବାବୁ କହିଛନ୍ତି। ଏଥିପୂର୍ବରୁ ବି ଏମାନେ ଦୁଇ ଥର ଏହି ଅଞ୍ଚଳ ଦେଇ ଗଞ୍ଜେଇ ଚୋରା ଚାଲାଣ କରିଥିବା ପୁଲିସ କହିଛି। ପାର୍ବତୀପୁରମ୍ ସିଆଇ ସିଏଚ୍. ଲକ୍ଷ୍ମଣ ରାଓଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ଉରେ ତଦନ୍ତକାରୀ ଅଧିକାରୀ ଜି.ବୀରାବାବୁ ସମେତ ୫ଜଣିଆ ଟିମ୍ ସାମିଲ ହୋଇଥିଲେ।
ସମ୍ବନ୍ଧିତ ଖବର