ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ନାର୍କୋ ଟେଷ୍ଟ ଶେଷ ହୋଇଛି। ଗୁଜରାଟର ଗାନ୍ଧିନଗରସ୍ଥିତ ଡିଏଫ୍ଏସରେ ଗୋପାଳର ନାର୍କୋ ଟେଷ୍ଟ କରାଯାଇଛି। ଏହି ଟେଷ୍ଟ ପୂର୍ବରୁ ଗୋପାଳର ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ କରାଯାଇଥିଲା। ରକ୍ତଚାପ, ମଧୁମେହ ଓ ଅନ୍ୟାନ୍ୟ ଟେଷ୍ଟ କରାଯିବା ପରେ ଇଞ୍ଜେକସନ ଦିଆଯାଇ ନାର୍କୋ ଟେଷ୍ଟ କରାଯାଇଥିବା ସୂଚନା ମିଳିଛି। ନାର୍କୋ ଟେଷ୍ଟରେ ଗୋପାଳଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରି ଗୁଳିକାଣ୍ଡ ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ତଦନ୍ତକାରୀ ସଂସ୍ଥା ଉଦ୍ୟମ କରିଥିବା ଜଣାପଡିଛି। ତେବେ ନାର୍କୋ ଟେଷ୍ଟ ପରେ ଗୋପାଳ ଅଚେତ ହୋଇପଡ଼ିଥିବା ଜଣାଯାଇଛି।
ତେବେ ଏବେ ସୁଦ୍ଧା କ୍ରାଇମବ୍ରାଞ୍ଚ ତରଫରୁ କୌଣସି ସଠିକ୍ ସୂଚନା ମିଳିପାରି ନାହିଁ। ତଦନ୍ତ ଜାରି ରଖିଛି । କୋର୍ଟ ଅନୁମତି ଦେବା ପରେ ଗୋପାଳକୁ ଓଡ଼ିଶାରୁ ଗୁଜୁରାଟକୁ ନିଆଯାଇଥିଲା। ସେଠାରେ ତାର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରିବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ଏବେ ନାର୍କୋ ଟେଷ୍ଟ ସରିବା ପରେ ଆସନ୍ତାକାଲି (ରବିବାର) ସୁଦ୍ଧା ଗୋପାଳକୁ ଧରି ଟିମ୍ ଓଡ଼ିଶା ଫେରିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତ ୨୯ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟାରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ସେ ସେହି କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚି ମଂଚାସୀନ ହେବା ପୂର୍ବରୁ ତାଙ୍କୁ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ମୁତୟନ ହୋଇଥିବା ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଥିଲା। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବାରୁ ସେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ବରସ୍ଥିତ ଆପଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତ ଏଏଏସ୍ଆଇ ଗୋପାଳକୃଷ୍ଣକୁ ପୁଲିସ ଗିରଫ କରିଛି। କ୍ରାଇମ୍ବ୍ରାଞ୍ଚ ଏହି ଘଟଣାର ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/0fb808aa-942e-4b5d-9457-153f2ef31938.jpg)