ରାୟଗଡ଼ା: ମନରେଗା ଯୋଜନା ରାସ୍ତା କାମରେ ହୋଇଛି ବଡ଼ ଧରଣର ଦୁର୍ନୀତି। ଚନ୍ଦ୍ରପୁର ବ୍ଲକ୍ ବିଜାପୁର ପଞ୍ଚାୟତର ସୁରୁଲୁ ଘାଟି-ସାନପଙ୍କାଳ-ବଡପଙ୍କାଳ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ ପରେ ଖୋଳତାଡ଼ ଆରମ୍ଭ କରିଛନ୍ତି ଅମ୍ବୁଡସମ୍ୟାନ୍। ୪ଟି କାମ ବାବଦକୁ ୩୫ ଲକ୍ଷ ଅନୁଦାନରୁ ୨୫ ଲକ୍ଷ କେବଳ ସାମଗ୍ରୀ ବାବଦକୁ ବିଲ୍ କରି ହଡ଼ପ କରାଯାଇଛି। ଏଯାବତ୍ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇନଥିବା ବେଳେ କାଗଜପତ୍ରରେ କାମ ସରିଥିବା ଦର୍ଶାଯାଇଛି।
ବିଜାପୁର ପଞ୍ଚାୟତ ସୁରୁଲୁ ଘାଟି-ସାନପଙ୍କାଳ ରାସ୍ତା ନିର୍ମାଣ ପାଇଁ ୨୦୨୧ ମସିହାରେ ମନରେଗା ଯୋଜନାରେ ଆରମ୍ଭ ହୋଇଥିଲା କାମ। ରାସ୍ତା ନିର୍ମାଣ ପାଇଁ ୧୦ ଲକ୍ଷ ବ୍ୟୟ ବରାଦ ପାଇଁ ଆକଳନ ହୋଇଥିଲା। କିନ୍ତୁ ପ୍ରକଳ୍ପ ଶେଷ ବେଳକୁ ୧୫ ଲକ୍ଷ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ୨୦୨୧ ଜୁଲାଇ ୩୧ ତାରିଖରେ କାମ ଶେଷ ହୋଇଥିବା ବେଳେ ଶ୍ରମ ବାବଦକୁ ୨ ଲକ୍ଷ ୭୧ ହଜାର ୩୫୪ ଟଙ୍କା ଏବଂ ସାମଗ୍ରୀ ବାବଦକୁ ୧୧ ଲକ୍ଷ ୪୬ ହଜାର ୪୫୮ ଟଙ୍କା ଖର୍ଚ୍ଚ ହୋଇଛି। ସାମଗ୍ରୀ ବାବଦକୁ ବିଲ୍ ହୋଇଥିବା ୧୧.୪୬ ଲକ୍ଷରୁ ତତ୍କାଳୀନ ବିଜାପୁର ପିଇଓ ସ୍ତ୍ରୀ ଶକୁନ୍ତଳା ନିମାଲପୁରୀଙ୍କ ନାଁରେ ଭେଣ୍ଡର କୋଡ୍ କରି ୫ ଲକ୍ଷ ୯୦ ହଜାର ୫୭୧ ଟଙ୍କା ଉଠାଇ ନେଇଛନ୍ତି। ଅଭିଯୋଗ ପରେ ତଦନ୍ତ ସମୟରେ ରାସ୍ତା ନିର୍ମାଣ ସଂପୂର୍ଣ୍ଣ ହୋଇନଥିବା ଜଣା ପଡିଛି।
ସେହିପରି ବଡପଙ୍କାଳରୁ ସାନପଙ୍କାଳ ରାସ୍ତା ନିର୍ମାଣରେ ମଧ୍ୟ ହୋଇଛି ଦୁର୍ନୀତି। ରାସ୍ତା ନିର୍ମାଣ ପାଇଁ ୧୦ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ଶ୍ରମ ବାବଦକୁ ୧ ଲକ୍ଷ ୩୮ ହଜାର ଏବଂ ସାମଗ୍ରୀ ବାବଦକୁ ୭ ଲକ୍ଷ ୬୬ ହଜାର ୨୮୭ ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରକଳ୍ପ ସଂପୂର୍ଣ୍ଣ ସମୟରେ ୩ ହଜାର ୨୯୬ ଶ୍ରମ ଦିବସ ଏହି କାର୍ଯ୍ୟ ମାଧ୍ୟମରେ ସୃଷ୍ଟି ହୋଇଥିବା ଦର୍ଶାଯାଇଛି। କିନ୍ତୁ ବାସ୍ତବରେ ଏହି ରାସ୍ତା ନିର୍ମାଣକୁ ଅଧପନ୍ତରିଆ ଭାବେ ଛାଡ଼ି ଟଙ୍କା ହରିଲୁଟ୍ କରାଯାଇଥିବା ତଦନ୍ତ ପରେ ଜଣା ପଡିଛି। ସୁରୁଲୁ ଘାଟିର ସୁରକ୍ଷା ପାଚେରୀ ନିର୍ମାଣ ନାଁରେ ମଧ୍ୟ ମନରେଗା ଯୋଜନାରେ ହରିଲୁଟ୍ କରାଯାଇଛି। ଏହି ପ୍ରକଳ୍ପ ପାଇଁ ମନରେଗା ଯୋଜନାରେ ଶ୍ରମ ବାବଦକୁ ୨ ଲକ୍ଷ ୧୧ ହଜାର ୯୭୫ ଟଙ୍କା ଖର୍ଚ୍ଚ ହୋଇଛି।
ସାମଗ୍ରୀ ବାବଦକୁ ୨ ଲକ୍ଷ ୩୦ ହଜାର ୧୯୧ ଟଙ୍କା ଖର୍ଚ୍ଚ ହୋଇଛି। ପ୍ରକଳ୍ପ ସଂପୂର୍ଣ୍ଣ ହୋଇନଥିବା ବେଳେ ତତ୍କାଳନୀ ପିଇଓ ସ୍ତ୍ରୀ ଶକୁନ୍ତଳା ନିମାଲପୁରୀଙ୍କ ନାଁରେ ସାମଗ୍ରୀ ବାବଦ ଟଙ୍କା ବିଲ୍ କରି ଉଠାଇ ନେଇଛନ୍ତି। ସୁଲୁରୁଠାରୁ ବଡପଙ୍କାଳ ରାସ୍ତା ନିର୍ମାଣ କାମରେ ମଧ୍ୟ ସମାନ୍ ଧରଣର ଦୁର୍ନୀତି ହୋଇଛି। ପ୍ରକଳ୍ପ ବାବଦକୁ ଖର୍ଚ୍ଚ ହୋଇଥିବା ୫ ଲକ୍ଷ ମଧ୍ୟରୁ ଶ୍ରମ ବାବଦକୁ ୧ ଲକ୍ଷ ୬ ହଜାର ୧୨୧ ଟଙ୍କା ଖର୍ଚ୍ଚ କରାଯାଇ ୫୧୩ ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ଦର୍ଶାଯାଇଛି। ସାମଗ୍ରୀ ବାବଦକୁ ୩ ଲକ୍ଷ ୫୪ ହଜାର ୫୧୬ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ତତ୍କାଳୀନ ପିଇଓ ସ୍ତ୍ରୀ ନିମାଲପୁରୀଙ୍କ ନାଁରେ ୨୦୨୧ ମାର୍ଚ୍ଚ ୨୬ ତାରିଖରେ ଟଙ୍କା ଉଠାଇ ନେଇଛନ୍ତି। ଅଭିଯୋଗ ପରେ ଅମ୍ବୁଡସମ୍ୟାନ୍ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନରେ ଯାଇ ରାସ୍ତା କାମର ଯାଞ୍ଚ କରିଛନ୍ତି। ବିଭାଗୀୟ ଫାଇଲରେ ୪ଟି ପ୍ରକଳ୍ପ କାମକୁ ସଂପୂର୍ଣ୍ଣ ଦର୍ଶାଯାଇଥିଲେ ମଧ୍ୟ ତଦନ୍ତ ସମୟରେ ରାସ୍ତା ନିର୍ମାଣ ଶେଷ ହୋଇନଥିବା ଜଣା ପଡିଛି। ପୂର୍ବରୁ ଦୁର୍ନୀତି ସଂପର୍କରେ ଅଭିଯୋଗ ହୋଇଥିଲେ ମଧ୍ୟ ତତ୍କାଳୀନ ପିଇଓ-ଠିକାଦାର-ମଧ୍ୟସ୍ଥି ସଲାସୁତୁରା ହୋଇ ଦୁର୍ନୀତିକୁ ଚାପି ଦେବାକୁ ଉଦ୍ୟମ କରିଥିଲେ। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଏ ନେଇ ଅଭିଯୋଗ ପରେ ଦୁର୍ନୀତିର ପର୍ଦାଫାଶ ହୋଇଛି।