ଚକାପାଦ: ଜାଣିଶୁଣି ବର୍ଷାଦିନରେ କାମ ଆରମ୍ଭ ହେଲା। ମନରେଗା ଯୋଜନାରେ ଅନୁଦାନକୁ କେମିତି ହରିଲୁଟ୍ ଓ ହଡ଼ପ କରାଯିବ ବୋଲି ଏଥିପାଇଁ ବାଟ ଖୋଜାଗଲା। ଗାଁସାଥୀଙ୍କ ଠାରୁ ଆରମ୍ଭ କରି କନିଷ୍ଠଯନ୍ତ୍ରୀ ଓ ବ୍ଲକ୍ ପ୍ରଶାସନର ସଲାସୁତରାରେ ଠିକ୍‌ ବର୍ଷାଦିନ ଅବ୍ୟବହିତ ପୂର୍ବରୁ ଅର୍ଥାତ ମାସକ ତଳେ କେନ୍ଦ୍ର ସରକାରଙ୍କ ଅମୃତ ସ‌ରୋବର ଅଭିଯାନ ଅଧୀନରେ ପୋଖରୀର ପୁନରୁଦ୍ଧାର କାମ ଆରମ୍ଭ ହେଲା। ପୁରୁଣା ପୋଖରୀର ପଙ୍କକୁ ଉଦ୍ଧାର କରାଯିବା ସହ ଚାରିପଟେ ନୂତନ ମାଟି ପକାଯାଇ ହୁଡ଼ା ମରାମତି କରାଗଲା। ଆଉ ହୁଡ଼ା ମଝିରେ ଗାର୍ଡ଼ୱାଲ୍ ନିର୍ମାଣ କରାଯାଇଥିଲା। ହେଲେ ଗତ ଦୁଇଦିନର ଲଗାଣ ବର୍ଷା ପରେ ପୋଖରୀର ଗାର୍ଡ଼ୱାଲ୍ ଭୁଶୁଡ଼ିପଡ଼ିଛି। ଫଲରେ ମାଟି ଧସ‌ି ପୋଖରୀ ପୁଣି ପୋତି ହୋଇଯାଇଛି। କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଶଙ୍କରାଖୋଲ ଗ୍ରାମରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଯାହାକି ମନରେଗା ଯୋଜନାର ସୁଫଳ କାର୍ଯ୍ୟକାରିତା ଉପରେ ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

ସୂଚନାନୁସାରେ ଗ୍ରାମର ଶେଷମୁଣ୍ଡରେ ଥିବା ଖଜୁରୀବନ୍ଧ ପୁନରୁଦ୍ଧାର ପାଇଁ ୨୦୨୨-୨୩ ଆର୍ଥିକବର୍ଷରେ ଭାରତ ସରକାରଙ୍କ ଅମୃତ ସରୋବର ଯୋଜନାରେ ଏହାକୁ ସାମିଲ କରାଯାଇଥିଲା। ମନ‌ରେଗା ଯୋଜନାରେ ଗତମାସରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ୯ ଲକ୍ଷ ୭୭ ହଜାର ୯୩୦ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ହେଲେ ଏହି ଅନୁଦାନ ଏବେ ପାଣିରେ ପ‌ଡ଼ିଛି। ‌ପୋଖରୀରୁ ଯେତିକି ମାଟି ବାହାର କରାଯାଇଥିଲା, ଲଗାଣ ବର୍ଷା ପରେ ଏବେ ପୁଣି ସେତିକି ମାଟି ଧସି ଆଉଥରେ ପୋଖରୀ ପୋତି ହୋଇଯାଇଛି। ପ୍ରାୟ ୨୦ ଫୁଟ ଲମ୍ବ ଗାର୍ଡ଼ୱାଲ୍ ଏବଂ ୧୦୦ ଫୁଟ ଲମ୍ବ ମାଟି ଧସି ହୋଇଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଏହି ଘଟଣା ସାମ୍ନାକୁ ଆସିବା ପରେ ବ୍ଲକ୍ କନିଷ୍ଠଯନ୍ତ୍ରୀ ଜିତ୍‌ ପାଟମାଝି ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଗାର୍ଡ଼ୱାଲ୍‌କୁ ବଞ୍ଚାଇବା ପାଇଁ ହୁଡ଼ା ତଳେ ତୁରନ୍ତ ବାଲି ବସ୍ତା ପକାଇବା ସହ ଧସିଯାଇଥିବା ସ୍ଥାନରେ ମାଟି ପକାଇବାକୁ ଗାଁସାଥୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମାଟି ଏବେ ପୋଖରୀ ଭିତରକୁ ଧସିଯାଇଥିବାରୁ କାମ କରିବା ସମ୍ଭବପର ହେବନାହିଁ। ବର୍ଷା କମିବା ପରେ ବଳକା ରହିଯାଇଥିବା ପୋଖରୀର ପୁନରୁଦ୍ଧାର କାମ ଶେଷ କରାଯିବ ବୋଲି କନିଷ୍ଠଯନ୍ତ୍ରୀ କହିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ, ପୋଖରୀ ପୁନରୁଦ୍ଧାର ପାଇଁ ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ କାର୍ଯ୍ୟ ଆରମ୍ଭ କରିବା କଥା। କିନ୍ତୁ ଜାଣିଶୁଣି ଜୁନ୍ ମାସରେ କାମ ଆରମ୍ଭ କରାଗଲା। ପଙ୍କ ଉଦ୍ଧାର ପରେ ପୋଖରୀ ଚାରିପଟେ ହୁଡ଼ା ନଧସିବା ପାଇଁ ତଳେ ଗାର୍ଡ଼ୱାଲ୍ ନିର୍ମାଣ କରାଗଲାନି। କିନ୍ତୁ ସୌନ୍ଦର୍ଯୀକରଣ ନିମନ୍ତେ ହିଡ଼ମଝିରେ ଗାର୍ଡ଼ୱାଲ୍ ନିର୍ମାଣ ହେଲା। ସେହିପରି ‌ପୋଖରୀର ଅନ୍ୟ ପାର୍ଶ୍ବରେ ଏକ ଛୋଟନାଳ ଥିବା ବେଳେ ‌ସେଠାରେ ମଧ୍ୟ ଗାର୍ଡ଼ୱାଲ୍‌ ନିର୍ମାଣ ହୋଇପାରିନି। ଫଳରେ ଉକ୍ତ ନାଳରେ ପାଣି ଆସି ପୋଖରୀ ହୁଡ଼ା ତଳେ ଲିକେଜ୍‌ ହେବାରୁ ତଳମାଟି ଧୋଇଯିବା ସହ ହୁଡ଼ାର ମଝିରେ ଥିବା ଏହି ନବନିର୍ମିତ ଗାର୍ଡ଼ୱାଲ୍ ମଧ୍ୟ ଭୁଶୁଡ଼ିଗଲା। ପ୍ରଶାସନର ଏଭଳି କାର୍ଯ୍ୟ ପରୋକ୍ଷରେ ମନରେଗା ଯୋଜନାରେ ଅର୍ଥକୁ ହରିଲୁଟ୍ କରିବା ଛଡ଼ା ଆଉ କିଛି ନୁ‌ହେଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।