ପୁରୀ/କଟକ: ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଆଜି ଆଉ ଚାରି ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଖଣ୍ଡିଆବନ୍ଧର ବାରବାଟୀର ପ୍ରଶାନ୍ତ ସାହୁ(୪୦), ପ୍ରତୀକ୍ଷା ସାହୁ(୬), ବ୍ରହ୍ମଗିରି ଅରଖକୁଦାର ଶଙ୍କର ବେହେରା(୩୮) ଓ ଦିବ୍ୟରଞ୍ଜନ ସାହୁ (୩୫) । ପ୍ରଶାନ୍ତ ଓ ପ୍ରତୀକ୍ଷା ହାଇଟେକ୍‌ ଡାକ୍ତରଖାନା ଏବଂ ଶଙ୍କର ଓ ଦିବ୍ୟରଞ୍ଜନ ଏସ୍‌ସିବିରେ ଚିକିତ୍ସାଧୀନ ଥିଲେ। ଆଜିର ୪ ଜଣ ମୃତକଙ୍କୁ ମିଶାଇ ବାଣ ବିସ୍ଫୋରଣ ଘଟଣାରେ ୧୦ ଜଣ ଆଖି ବୁଜିଲେଣି। ଯେଉଁଥିରେ ୪ଜଣ ସମ୍ପର୍କରେ ବାପା-ଝିଅ। ଗତକାଲି ପ୍ରାଣ ହରାଇଥିବା ହେମନ୍ତ ସାହୁଙ୍କ ଝିଅ ପ୍ରତୀକ୍ଷା ଓ ଭାଇ(ବଡ଼ବାପାଙ୍କ ପୁଅ) ପ୍ରଶାନ୍ତ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ଗତକାଲି ପ୍ରଶାନ୍ତଙ୍କ ଝିଅ ସମୃଦ୍ଧିଙ୍କର ମୃତ୍ୟୁ ଘଟିଥିଲା। ହେମନ୍ତ ଓ ପ୍ରଶାନ୍ତଙ୍କ ପୂରା ପରିବାର ଏଥିରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ୧୦ ଜଣ ମୃତକଙ୍କ ମଧ୍ୟରେ କେବଳ ଖଣ୍ଡିଆବନ୍ଧ ଗ୍ରାମର ୭ ଜଣ ରହିଛନ୍ତି।

Advertisment

ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି
ତଦନ୍ତ କରିବେ ଏସ୍‌ଆର୍‌ସି
୬ରେ ଉଚ୍ଚସ୍ତରୀୟ ବୈଠକ

ବିସ୍ଫୋରଣରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଖଣ୍ଡିଆବନ୍ଧ ଗାଁ। ଯେହେତୁ ଖଣ୍ଡିଆବନ୍ଧ ଗାଁ ନରେନ୍ଦ୍ର ପୁଷ୍କରିଣୀକୁ ଲାଗି ରହିଛି, ସେ ଦୃଷ୍ଟିରୁ ଭଉଁରି ଦେଖିବାକୁ ଅନେକ ପରିବାର ଭିଡ଼ ଜମାଇଥିଲେ। ହଠାତ୍‌ ବାଣ ବିସ୍ଫୋରଣ ଘଟି ୪୦ରୁ ଅଧିକ ଗୁରୁତର ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏଥିରୁ ଆଜି ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଅନେକ ଜୀବନ ସହ ସଂଘର୍ଷ କରୁଛନ୍ତି। ପୁରୀର ଦିବ୍ୟରଂଜନ ସାହୁ(୩୫) ଶତ ପ୍ରତିଶତ ପୋଡ଼ି ଯାଇଥିବାବେଳେ ସେ ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରି ବର୍ଣ୍ଣ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିଲେ। ଦିବ୍ୟରଞ୍ଜନଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର କୌଣସି ସଂପର୍କୀୟ ଏଯାଏଁ ପହଞ୍ଚି ମୃତକଙ୍କ ପରିଚୟ ସ୍ପଷ୍ଟ କରିନାହାନ୍ତି। କିନ୍ତୁ ଦୁର୍ଘଟଣା ଦିନ ତାଙ୍କୁ ଆଣି ଆସିଥିବା ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସୂଚନା ଆଧାରରେ ଦିବ୍ୟରଞ୍ଜନ ସାହୁ ନାମରେ ସେ ଏସ୍‌ସିବିରେ ଚିକିତ୍ସିତ ହେଉଥିଲେ। ଶଙ୍କରଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଦିବ୍ୟରଞ୍ଜନଙ୍କ ସଂପର୍କୀୟଙ୍କୁ ଅପେକ୍ଷା କରାଯାଉଛି। ତାଙ୍କ ପରିବାରର କୌଣସି ଠିକଣା ମିଳୁନାହିଁ କି କେହି ପରିବାର ଲୋକ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିନାହାନ୍ତି। ପୁରୀ ତଳନୂଆସାହିର ଟୁକୁନା ବେହେରା(୧୫)ଙ୍କ ୨୫ ପ୍ରତିଶତ, ରାହୁଲ ବେହେରା(୧୪)ଙ୍କର ୬୫ ପ୍ରତିଶତ, ମନମୋହନ ବେହେରା(୨୪)ଙ୍କର ୫ ପ୍ରତିଶତ, ମାର୍କେଣ୍ଡେଶ୍ବର ସାହିର ବଳରାମ ଦାସ(୧୫)ଙ୍କର ୧୫ ପ୍ରତିଶତ, ନୀଳଚକ୍ର ନଗରର ସିପୁ ପଣ୍ଡା(୧୮)ଙ୍କ ୧୭ ପ୍ରତିଶତ ଶରୀର ପୋଡ଼ି ଯାଇଛି। ଏମାନେ ସମସ୍ତେ ଏବେ ଏସ୍‌ସିବିରେ ଚିକିତ୍ସାଧୀନ ଅଛନ୍ତି। ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ଆଇସିୟୁରେ ୨ ଜଣ ଓ ସର୍ଜରି ବିଭାଗରେ ୩ ଜଣ ଚିକିତ୍ସିତ ହେଉଛନ୍ତି ବୋଲି ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାଏକ କହିଛନ୍ତି। ଆହୁରି ଅନେକ ଆହତ ଏମ୍‌ସ୍‌, ସମ୍‌ ଓ ହାଇଟେକ୍‌ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷରେ, ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ଏହି ବିସ୍ଫୋରଣ ଘଟଣାର ତଦନ୍ତ କରିବେ ବୋଲି ସୂଚନା ମିଳିଛି। ଏ ନେଇ ଆସନ୍ତା ୬ ତାରିଖରେ ପୁରୀ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି। ଆଜି ପୁରୀ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଚିଠି କରି ଅବଗତ କରାଇଛନ୍ତି ଅତିରିକ୍ତ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ପଦ୍ମନାଭ ବେହେରା। ଶ୍ରୀ ବେହେରା କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ଘଟଣାର ତଦନ୍ତ ହେବ। ଅତିରିକ୍ତ ରିଲିଫ୍‌ କମିସନର୍‌ ଏହାର ତଦନ୍ତ କରିବେ। ଏଣୁ ଆସନ୍ତା ୬ ତାରିଖରେ ଚନ୍ଦନଯାତ୍ରା ନୀତିରେ ସଂପୃକ୍ତ ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ବ୍ୟକ୍ତିବିଶେଷ, ପୁରୀ ଆରକ୍ଷୀ ଅଧୀକ୍ଷକ, ସହକାରୀ ଅଗ୍ନିଶମ ଅଧିକାରୀ, ପ୍ରତ୍ୟକ୍ଷଦର୍ଶୀ ପ୍ରମୁଖଙ୍କ ଉପସ୍ଥିତିରେ ବୈଠକ ହେବା ସହ ଘଟଣାର ତଦନ୍ତ ହେବ। ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ହାଜର ସହ ଅନ୍ୟମାନେ ଯେଭଳି ଏହି ବୈଠକରେ ଉପସ୍ଥିତ ରହିବେ, ସେ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।