ସମ୍ବଲପୁର: ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ସମ୍ବଲପୁର ଅଇଁଠାପାଲି ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ ମଧ୍ୟପ୍ରଦେଶର ନରେନ୍ଦ୍ର ଲୋଧୀ। ଯୁବତୀ ଜଣକ କିଛି ବର୍ଷ ତାଙ୍କ ସହ ରହିବା ପରେ କେଉଁ ଆଡ଼େ ଚାଲିଯାଇଛନ୍ତି। ଉଭୟଙ୍କର ଏକ ପୁଅ ମଧ୍ୟ ରହିଛି। ଯୁବତୀଙ୍କ ନମ୍ବର ଲାଗୁ ନଥିବାରୁ ତାଙ୍କୁ ଖୋଜିବା ପାଇଁ ନରେନ୍ଦ୍ର ବାଧ୍ୟ ହୋଇ ସମ୍ବଲପୁର ଆସି ଖୋଜାଖୋଜି କରୁଛନ୍ତି।
ସୂଚନାନୁଯାୟୀ, ନରେନ୍ଦ୍ର ଲୋଧୀ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ୪ ବର୍ଷ ତଳେ ଅଇଁଠାପାଲିର ଯୁବତୀଙ୍କୁ ବିବାହ କରିଥିଲେ। ଯୁବତୀଙ୍କ ମା’ ମଧ୍ୟ ମଧ୍ୟପ୍ରଦେଶ ଯାଇ ଝିଅ, ଜ୍ବାଇଁଙ୍କ ସହ ରହୁଥିଲେ। କିଛି ମାସ ତଳେ ଯୁବତୀ ଓ ତାଙ୍କ ମା’ ସମ୍ବଲପୁର ଚାଲି ଆସିଥିଲେ। ସେମାନଙ୍କ କହିବା ଅନୁଯାୟୀ ନରେନ୍ଦ୍ର ରାଉରକେଲା ପର୍ଯ୍ୟନ୍ତ ଉଭୟଙ୍କ ପାଇଁ ଟ୍ରେନ୍ ଟିକେଟ୍ କରିଥିଲେ। ତା ପରଠୁ ଯୁବତୀ ଜଣକ ଆଉ ମଧ୍ୟପ୍ରଦେଶ ଫେରି ନଥିଲେ। ମଝିରେ ମଝିରେ ଫୋନ୍ରେ କଥା ହେଉଥିଲେ। ଦେଢ଼ମାସ ହେବ ତାଙ୍କ ଫୋନ୍ ନମ୍ବର ସ୍ବିଚ୍ ଅଫ୍ ଦେଖାଇବାରୁ ନରେନ୍ଦ୍ର ତାଙ୍କୁ ଖୋଜିବା ପାଇଁ ୧୫ ଦିନ ତଳେ ସମ୍ବଲପୁର ଆସିଲେ। ଏ ନେଇ ନରେନ୍ଦ୍ର ସୋମବାର ସମ୍ବଲପୁର ‘ସଖୀ-ଵାନ୍ ଷ୍ଟପ୍ ସେଣ୍ଟର’ ସହ ଯୋଗାଯୋଗ କରିବା ପରେ ଯୁବତୀ ଜଣକ ରାଉର୍କେଲାରେ ଘର ଭଡ଼ା ନେଇ ରହୁଥିବା ଜଣାପଡ଼ିଥିଲା। ତେବେ ଉକ୍ତ ଘର ମାଲିକଙ୍କୁ ସମ୍ପର୍କ କରିବାରୁ ଯୁବତୀ ଘର ଛାଡ଼ି ସାରିଥିବା କହିଥିଲେ। ତାଙ୍କ ସ୍ତ୍ରୀଙ୍କୁ ଖୋଜିବା ପାଇଁ ନରେନ୍ଦ୍ର ରାଉର୍କେଲା ଯିବେ ବୋଲି କହିଛନ୍ତି।