ବିଜେଡିରୁ ନରେଶ ମହାନ୍ତି ନିଲମ୍ବିତ

ଧର୍ମଶାଳା ବିଧାୟକଙ୍କୁ ଦାୟୀ କଲେ ଯାଜପୁରର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ

ରସୁଲପୁର : ଯାଜପୁର ଜିଲ୍ଲାପରିଷଦର ପୂର୍ବତନ ସଭାପତି ନରେଶ ଚନ୍ଦ୍ର ମହାନ୍ତିଙ୍କୁ ଆଜି ବିଜେଡିରୁ ନିଲମ୍ବନ କରାଯାଇଛି। ଦଳବିରୋଧୀ କାର୍ଯ୍ୟ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ଦର୍ଶାଯାଇଛି। ବିଜେଡି ସଭାପତିଙ୍କ ଆଦେଶକ୍ରମେ ଦଳର ସାଧାରଣ ସଂପାଦକ ମାନସ ରଂଜନ ମଙ୍ଗରାଜଙ୍କ ସ୍ବାକ୍ଷରରେ ଏ ସଂକ୍ରାନ୍ତ ପ୍ରେସ୍‌ ବିବୃତି ଜାରି କରାଯାଇଛି।

ଧର୍ମଶାଳା ନିର୍ବାଚନମଣ୍ଡଳୀ ତଥା ଜିଲ୍ଲାର ଜଣେ ବରିଷ୍ଠ ନେତା ଭାବେ ନରେଶ ଚନ୍ଦ୍ର ମହାନ୍ତି (ବୁଲୁ ମହାନ୍ତି) ଜଣାଶୁଣା ଥିଲେ। ସେ ପୂର୍ବତନ ମନ୍ତ୍ରୀ ତଥା ଧର୍ମଶାଳାର ପୂର୍ବତନ ବିଧାୟକ ସ୍ବର୍ଗତ କଳ୍ପତରୁ ଦାସଙ୍କ ଘନିଷ୍ଠ ସହଯୋଗୀ ଥିଲେ। ଏହି କାରଣରୁ ସେ ଅନେକ ପଦପଦବି ହାସଲ କରିଥିଲେ। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ରସୁଲପୁର ବ୍ଲକ୍‌ର ଉପାଧ୍ୟକ୍ଷ ଓ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଅଧ୍ୟକ୍ଷ ପଦରେ ରହିଥିଲେ।୨୦୧୩ ରୁ ୨୦୧୬ ପର୍ଯ୍ୟନ୍ତ ବିଜେଡିର ଜିଲ୍ଲା ସଭାପତି ଓ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ଜିଲ୍ଲାପରିଷଦ ସଭାପତି ଭାବେ ଶ୍ରୀ ମହାନ୍ତି ଦାୟିତ୍ୱ ନିର୍ବାହ କରିଥିଲେ।

ବର୍ତ୍ତମାନ ଧର୍ମଶାଳାର ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ସହିତ ତାଙ୍କର ସମ୍ପର୍କ ବିଗିଡ଼ିବା ପରେ ଶ୍ରୀ ମହାନ୍ତି ଦଳୀୟ ରାଜନୀତିରେ କୋଣଠେସା ହୋଇଥିଲେ ଏବଂ ଯେଉଁଥିପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଶ୍ରୀ ମହାନ୍ତି ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ସିଧାସଳଖ ବିଧାୟକଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ସେ କୌଣସି ଦଳବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତ ନଥିଲେ। ବରଂ, ବିଧାୟକଙ୍କ ସହିତ ମତଭେଦ ଯୋଗୁଁ ସେ ଦଳରେ ଥାଇ ମଧ୍ୟ ନଥିଲା ଭଳି ରହିଥିଲେ। ସେ ରାଜନୀତିରେ ରହିବେ ଏବଂ ଖୁବ୍‌ଶୀଘ୍ର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର