ମୁଖ୍ୟ କାରିଗରଙ୍କ ପାଖରେ ଚନ୍ଦ୍ର, ସୂର୍ଯ୍ୟ

ରାମ ଭାଇ ତାଙ୍କ ପାଖକୁ ପଠାଇଛନ୍ତି: ମୁଖ୍ୟ କାରିଗର, ରଖିଲାନି ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ନୂଆ ମୋଡ଼ ନେଇଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶରୁ ଚନ୍ଦ୍ର ଓ ସୂର୍ଯ୍ୟ ଗାଏବ ଘଟଣା। ଏହାର ତଦନ୍ତ ଚାଲିଥିବା ବେଳେ ହଠାତ୍‌ ଆଜି ବେଶର ମୁଖ୍ୟ କାରିଗର ବସନ୍ତ କୁମାର ରଣାଙ୍କଠାରୁ ଏହି ଚନ୍ଦ୍ର ଓ ସୂର୍ଯ୍ୟ ମିଳିଛି। ଆଜି ସକାଳୁ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର ଜନୈକ ବ୍ୟକ୍ତିଙ୍କ ଜରିଆରେ ଏହାକୁ ତାଙ୍କ ଘରକୁ ପଠାଇଥିଲେ ବୋଲି ଶ୍ରୀ ରଣା ଗଣମାଧ୍ୟମ ଆଗରେ କହିଛନ୍ତି। ଅନ୍ୟପଟେ ତଦନ୍ତ ଚାଲିଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ରଖିବାକୁ ସିଧାସଳଖ ମନା କରିଦେଇଛନ୍ତି। ସେପଟେ ଏହି ଚନ୍ଦ୍ର ଓ ସୂର୍ଯ୍ୟ ମହାପ୍ରଭୁଙ୍କ ନାଗାର୍ଜୁନ ବେଶର କି ଏହାକୁ ନୂଆ ତିଆରି କରାଯାଇଛି, ତାକୁ ନେଇ ପ୍ରଶ୍ନ ମଧ୍ୟ ଉଠିଛି । ସେବାୟତ ମହଲ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଆଜି ସକାଳୁ ଚନ୍ଦ୍ର ଓ ସୂର୍ଯ୍ୟ ଧରି ତରବରିଆ ଭାବେ ନୀତି ପ୍ରଶାସନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ମୁଖ୍ୟ କାରିଗର ଶ୍ରୀ ରଣା। କାକୁତିମିନତି ହୋଇ କହିଥିଲେ, ଏହାକୁ ରଖିଦିଅନ୍ତୁ। ମୁଁ ଏ ଅଡ଼ୁଆରେ ପଶିବାକୁ ଚାହୁଁନି। କିନ୍ତୁ ଏ ଭଳି ଢଙ୍ଗରେ ଆଣି ଚନ୍ଦ୍ର, ସୂର୍ଯ୍ୟ ଫେରାଇବା ଠିକ୍‌ ନୁହେଁ କହି ନୀତି ପ୍ରଶାସକ ଏହାକୁ ଫେରାଇ ଦେଇଥିଲେ। ତଦନ୍ତ ଚାଲିଥିବାରୁ ଯାହା କିଛି ଦେଉଛନ୍ତି, ଲିଖିତ ଆକାରରେ ଦିଅନ୍ତୁ ବୋଲି ନୀତି ପ୍ରଶାସକ କହିଥିଲେ। ଏହାପରେ ଶ୍ରୀ ରଣା ନିଜ ଘରେ ଏହି ଚନ୍ଦ୍ର ଓ ସୂର୍ଯ୍ୟକୁ ନେଇ ରଖିଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଶ୍ରୀ ରଣା ଓ ଅନ୍ୟ କାରିଗରମାନେ କହିଛନ୍ତି, ନାଗାର୍ଜୁନ ବେଶ ଦିନ ସୁବର୍ଣ୍ଣର ଚନ୍ଦ୍ର ଓ ସୂର୍ଯ୍ୟ ଲାଗିବ କହି ଭଣ୍ଡାର ମେକାପ ଏହି ସୋଲର ଚନ୍ଦ୍ର ଓ ସୂର୍ଯ୍ୟକୁ ବେଶରୁ କାଢ଼ି ଦେଇଥିଲେ। ଏହି ସମୟରେ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର ତାଙ୍କୁ ଏହି ଚନ୍ଦ୍ର, ସୂର୍ଯ୍ୟକୁ ମାଗିଥିଲେ। କିନ୍ତୁ ସେଦିନ ସେମାନେ ଏହା ଦେବାକୁ ମନା କରି ଦେଇଥିଲେ। ନାଗାର୍ଜୁନ ବେଶ ପରଦିନ ଏହି ଚନ୍ଦ୍ର, ସୂର୍ଯ୍ୟ ବାହାରେ ବୁଲୁଥିବା ଜଣାପଡ଼ିଥିଲା।

ମୁଖ୍ୟ କାରିଗର ଶ୍ରୀ ରଣା ଗଣମାଧ୍ୟମକୁ କହିଛନ୍ତି, ଆଜି ସକାଳେ ଜନୈକ ବ୍ୟକ୍ତି ତାଙ୍କ ଘରଠାରେ ଏକ ବ୍ୟାଗ୍‌ରେ ଆଣି ଏହାକୁ ଦେଇ ଯାଇଥିଲେ। ପଚାରିବାରେ ରାମ ଭାଇ ଦେଇଛନ୍ତି ବୋଲି କହିଥିଲେ। ପରେ ବ୍ୟାଗ ଖୋଲି ଦେଖିବା‌ ବେଳକୁ ଏଥିରୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଚନ୍ଦ୍ର ଓ ସୂର୍ଯ୍ୟ ବାହାରିଥିଲା। ପରେ ଶ୍ରୀମନ୍ଦିର ପ୍ରଶାସନକୁ ଏହାକୁ ଫେରାଇବାକୁ ଯାଇଥିଲୁ। ମନ୍ଦିର କମାଣ୍ଡରଙ୍କୁ ବି ଯୋଗାଯୋଗ କରିଥିଲୁ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଫେରାଇ ଦେଇଥିବା ଶ୍ରୀ ରଣା କହିଛନ୍ତି। ଏ ସଂପର୍କରେ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଚନ୍ଦ୍ର, ସୂର୍ଯ୍ୟ ଶ୍ରୀମନ୍ଦିର ବାହାରକୁ ଯିବା ଘଟଣାର ବର୍ତ୍ତମାନ ତଦନ୍ତ ଚାଲିଛି। ଏଭଳି ସ୍ଥିତିରେ ବେଶର ମୁଖ୍ୟ କାରିଗର ଆଜି କାର୍ଯ୍ୟାଳୟକୁ ଆସି ଯେଉଁ ଢଙ୍ଗରେ ଚନ୍ଦ୍ର, ସୂର୍ଯ୍ୟକୁ ଫେରାଇବାକୁ ଚେଷ୍ଟା କରୁଥିଲେ, ତାହା ଠିକ୍‌ ନଥିଲା। ଯଦି ମୁଖ୍ୟ କାରିଗର ଏହି ଚନ୍ଦ୍ର, ସୂର୍ଯ୍ୟକୁ ଫେରାଇବାକୁ ଚାହୁଁଛନ୍ତି, ଲିଖିତ ଆକାରରେ ସବିଶେଷ ତଥ୍ୟ ପୂର୍ବକ ଫେରସ୍ତ କରନ୍ତୁ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର