ଭୁବନେଶ୍ବର: ସମସ୍ତେ ଲିଙ୍ଗଗତ ବୈଷମ୍ୟ କହୁଛନ୍ତି, ହେଲେ ନିଜ ଘରେ ମହିଳା ଜଣକ ପାରିବାରିକ ହିଂସାର ଶିକାର ହେଉଛି। ପ୍ରଥମେ ନିଜ ଘରେ ମା’ଭଉଣୀଙ୍କଠାରୁ ବାପାଭାଇଙ୍କ ଥିବା ଅଧିକ ଗୁରୁତ୍ବକୁ ଦୂର କରିବାକୁ ହେବ। ତାହାଲେ ଯାଇ ପ୍ରକୃତ ମହିଳା ସଶକ୍ତୀକରଣ ସମ୍ଭବ ହେବ ବୋଲି ଆଜି ଓଡେଶା ଭବନରେ ‘ନାରୀ ନ୍ୟାୟ ବାହିନୀ’ ପକ୍ଷରୁ ଆୟୋଜିତ ଜାତୀୟ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି।
ଦିଲ୍ଲୀ, ବିହାର ଓ ଝାଡ଼ଖଣ୍ଡରୁ ଆସିଥିବା ମହିଳା ଶିକ୍ଷାବିତ୍, ସାମାଜିକ କର୍ମୀ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ କାର୍ଯ୍ୟରତ ବହୁ ପ୍ରତିନିଧିଙ୍କ ଦ୍ବାରା ଦିନବ୍ୟାପୀ ଦୁଇଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଲିଙ୍ଗଗତ ବୈଷମ୍ୟ ଓ ମହିଳାଙ୍କ ପ୍ରତି ହିଂସା ସମ୍ପର୍କିତ ବହୁ ତଥ୍ୟ, ପରିସଂଖ୍ୟାନ ଓ ଅଙ୍ଗେନିଭା କାହାଣୀ ବର୍ଣ୍ଣନା ହୋଇଥିଲା। ମହିଳାଙ୍କ ଉପରେ ହେଉଥିବା ହିଂସାକାଣ୍ଡରେ ଓଡ଼ିଶାରେ ଦଣ୍ଡବିଧାନର ହାର ଜାତୀୟ ହାରଠାରୁ ଢେର ତଳେ ରହିଛି। ଏ ଦିଗରେ ପଦକ୍ଷେପ ନେବାରେ ବିଜେପି ସରକାର ବିଫଳ ହୋଇଛନ୍ତି ବୋଲି ଅତିଥିମାନେ ମତ ରଖିଥିଲେ। ରାଜ୍ୟରେ ଗତ ୫ ବର୍ଷରେ ୬୫ ହଜାର ମହିଳା ଓ ଶିଶୁ ନିଖୋଜ ହେବା ଏକ ସାଂଘାତିକ କଥା। ଏ ପ୍ରସଙ୍ଗକୁ ସରକାର ଗୁରୁତ୍ବ ଦେଉ ନ ଥିବାରୁ ଆଗକୁ ଆନ୍ଦୋଳନ ଚେତାବନୀ ଦିଆଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିସିସି ସଭାପତି ଭକ୍ତଚରଣ ଦାସ କହିଥିଲେ, ଆଗ ଘର ସଜାଡ଼ିଲେ ସମାଜକୁ ସଜାଡ଼ିବା ସହଜ ହେବ। ୧୦୦ ଜଣ ବିପ୍ଳବୀ ମହିଳାଙ୍କୁ ନେଇ ଏକ ଟିମ୍ ଗଠନ ହେବ। ଆଜି ୨୭ ଜଣଙ୍କ ନାମ ଘୋଷଣା କରାଯାଇଛି। ସମ୍ବଲପୁର, ବଲାଙ୍ଗୀର, ବ୍ରହ୍ମପୁର, ଜୟପୁର ଓ ବାଲେଶ୍ବରରେ ୫ଟି ମହିଳା ସମାବେଶରୁ ଅବଶିଷ୍ଟ ମହିଳାଙ୍କୁ ଚୟନ କରାଯିବ। ପରବର୍ତ୍ତୀ ସମୟରେ ଜିଲ୍ଲାୱାରୀ ଶହେ ଲେଖାଏ ବିପ୍ଳବୀ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି 
ଶ୍ରୀ ଦାସ ସୂଚନା ଦେଇଥିଲେ।
ପ୍ରଫେସର ଗାୟତ୍ରୀ ବିଶ୍ବାଳଙ୍କ ଆବାହକତ୍ବରେ ଆୟୋଜିତ ଓ ଝୁନା ପଟ୍ଟନାୟକଙ୍କ ସଂଯୋଜନାରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା ଏଥିରେ ବିଧାୟିକା ସୋଫିଆ ଫିର୍ଦ୍ଦୋଷ, ବର୍ଷା ସିଂହ, ସୁପ୍ରିମକୋର୍ଟ ଅଧିବକ୍ତା ଭୂମିକା ଯାଦବ, ଅଧିବକ୍ତା ବର୍ତ୍ତିକା, ଜେଏନ୍‌ୟୁର ପ୍ରଫେସର ଉଷା କେ.ବି, ମିନାକ୍ଷୀ ସାକ୍ଷୀ, ଏଆଇଏସ୍‌ ରାଜ୍ୟ ନେତ୍ରୀ ଅଧିବକ୍ତା ସଂଘମିତ୍ରା ଜେନା, ସସ୍ମିତା ବେହେରା, ଅଧିବକ୍ତା ଜୟଶ୍ରୀ ପାତ୍ର, ସରିତା ଷଡ଼ଙ୍ଗୀ, ସୋନାଲୀ ସାହୁ, ମନୀଷା ଦାସ ପଟ୍ଟନାୟକ, ବୀଣା ଗୁପ୍ତା, ତାରକେଶ୍ବରୀ ନେଗୀଙ୍କ ସମେତ ବହୁ ମହିଳା ଏହି ସମାବେଶରେ ଉଦ୍‌ବୋଧନ ଦେଇଥିଲେ।