ଭବାନୀପାଟଣା : ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବାପରେ କଳାହାଣ୍ଡି ଜିଲ୍ଲାର ନର୍ଲାରେ ରେଳବାଇ ପକ୍ଷରୁ ପ୍ରସ୍ତାବିତ ଇଲେକ୍ଟ୍ରିକ୍ ଇଞ୍ଜିନ୍ ୱାର୍କସପ୍ ପ୍ରକଳ୍ପ ନେଇ ଜିଲ୍ଲାବାସୀ ଆଶାବାଦୀ ହୋଇଛନ୍ତି। କେନ୍ଦ୍ର ସରକାର ବିଭିନ୍ନ ସମୟରେ ନର୍ଲାରେ ରେଳ ୱାଗନ୍ କାରଖାନାର ସ୍ବପ୍ନ ଦେଖାଇ ବର୍ତ୍ତମାନ ଇଲେକ୍ଟ୍ରି ଇଞ୍ଜିନ୍ ୱାର୍କସପରେ ପହଞ୍ଚିଛି। ତେବେ, ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଶାଜନକ ବ୍ୟୟବରାଦ ହେଉନଥିବାରୁ ପ୍ରକଳ୍ପର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୨୦୧୦-୧୧ ମସିହାରେ ୟୁପିଏ ସରକାର ଅମଳରେ ତତ୍କାଳୀନ ରେଳମନ୍ତ୍ରୀ ମମତା ବାନାର୍ଜୀ ନର୍ଲା ବ୍ଲକ୍ ସର୍ଗିଗୁଡ଼ା ନିକଟ ଚପଟଖଣ୍ଡାରେ ରେଳଡ଼ବା କାରଖାନା ପାଇଁ ଘୋଷଣା କରିଥିଲେ। ତେବେ, ଏହି ପ୍ରକଳ୍ପ ୨୦୧୧-୧୨ ମସିହାରେ ଗଞ୍ଜାମର ସୀତାପଲ୍ଲୀକୁ ସ୍ଥାନାନ୍ତରିତ ହୋଇଥିଲା। ୨୦୧୩-୧୪ ମସିହାରେ ଅନ୍ତରୀଣ ରେଳ ବଜେଟ୍ରେ ରେଳମନ୍ତ୍ରୀ ମଲ୍ଲିକାର୍ଜୁନ ଖଡ୍ଗେ ନର୍ଲାରେ ରେଳୱାଗନ୍ କାରଖାନା ପରିବର୍ତ୍ତେ ରେଳୱାଗନ ମରାମତି କାରଖାନା ପାଇଁ ଘୋଷଣା କରିଥିଲେ। ୨୦୧୬-୧୭ ମସିହାରେ ରେଳମନ୍ତ୍ରୀ ସୁରେଶ ପ୍ରଭୁ କଳାହାଣ୍ଡି ପ୍ରକଳ୍ପକୁ ବନ୍ଦ କରି ବିଶାଖାପାଟଣାର ଦୁଆଡ଼ାକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଘୋଷଣା କରିଥିଲେ। କେନ୍ଦ୍ର ସରକାର ୨୦୧୭-୧୮ ମସିହା କେନ୍ଦ୍ରୀୟ ବଜେଟ୍ରେ ଜିଲ୍ଲାବାସୀଙ୍କୁ ଲଲିପପ୍ ଦେଖାଇ ରେଳଡ଼ବା ମରାମତି କାରଖାନା ପରିବର୍ତ୍ତେ ଇଲେକ୍ଟ୍ରିକ୍ ଲୋକୋମୋଟୋଭ ପାୱାର ହଲ୍ ସ୍ଥାପନ ନିମନ୍ତେ ଘୋଷଣା କରିଥିଲେ। ଏଥି ନିମନ୍ତେ ୧୮୬ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ ପ୍ରସ୍ତାବ ରଖା ଯାଇଥିଲା।
ରେଳୱେ ବୋର୍ଡ ଦ୍ୱାରା ପ୍ରସ୍ତାବିତ ନର୍ଲା ଠାରେ ପାଣିର ଅସୁବିଧା ଦେଖାଯିବା ଏବଂ ବହୁ ଦୂରରୁ ପାଣି ଅଣାଯିବା ଦ୍ୱାରା ଏହା ବ୍ୟୟବହୁଳ ହେବ ବୋଲି କୁହାଯାଇଥିଲା। କଳାହାଣ୍ଡି ଜିଲ୍ଲାର ଏହି ପ୍ରସ୍ତାବିତ ୱାଗନ ମରାମତି କାରଖାନା ଦ୍ୱାରା ଟ୍ରାଫିକ୍ ସମସ୍ୟା ହେବ। ପରିଚାଳନାରେ ଏହା ସଠିକ ନଥିବା ଦର୍ଶାଇ ରେଲୱେ ବୋର୍ଡ ଏହାକୁ ବନ୍ଦ କରି ବିଶାଖାପାଟଣା ନିମନ୍ତେ ସର୍ବୋତ୍ତମ ଅଟେ ବୋଲି ସ୍ତାନାନ୍ତରିତ ପାଇଁ ସୁପାରିସ କରିଥିଲେ। ଫଳରେ ରେଳଡବା ମରାମତି କାରଖାନା ସ୍ୱପ୍ନ ମିଳାଇ ଯାଇଥିଲା। ନର୍ଲା ଠାରେ ପ୍ରସ୍ତାବିତ ଇଲେକ୍ଟ୍ରିକ ଲୋକୋମୋଟୋଭ ପାୱାର ହଲ୍ ପାଇଁ ଗତ ୨୦୧୮-୧୯ ବଜେଟ୍ରେ ମାତ୍ର ୨୭ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ଉଭୟ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ବୁଝାମଣା ହୋଇ ୨୩୨ ଏକର ଜମି ପ୍ରଦାନ ପାଇଁ ରାଜ୍ୟ ସରକାର ରାଜି ହୋଇଥିଲେ। ବର୍ତ୍ତମାନ ୨୩୨ ଏକର ଜମି ପାଇଁ ଜିଲ୍ଲାପାଳଙ୍କ ଦ୍ବାରା ଗ୍ରାମସଭା ଶେଷ ହୋଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି।
ଗତ ୨୦୧୮-୧୯ ବଜେଟ୍ରେ ମିଳିଥିବା ୨୭ ଲକ୍ଷ ଟଙ୍କାରେ ଗ୍ରାମସଭା ଓ ଜମି ଡିମାରକେସନ୍ ପାଇଁ ଖର୍ଚ୍ଚ ହୋଇଛି। ୨୦୧୯-୨୦ ମସିହା ଅନ୍ତରୀଣ ବଜେଟ୍ରେ ଏହି ପ୍ରକଳ୍ପ ପାଇଁ ମାତ୍ର ୧ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ଏହି ଟଙ୍କାରେ ଗଛକାଟିବା, ମୃତ୍ତିକା ପରୀକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ କରାଯିବାରୁ ସମୁଦ୍ରକୁ ଶଙ୍ଖେ ହୋଇଥିଲା। ୨୦୨୦-୨୧ ରେ ୧କୋଟି ପ୍ରଦାନ କରାଯାଇଥିଲା। ଏପର୍ଯ୍ୟନ୍ତ ୧କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପାରିନାହିଁ। ରାଜ୍ୟ ସରକାର ଜମି ଅଧିଗ୍ରହଣ ପାଇଁ ବ୍ୟୟବରାଦ ନକରିବା ଏବଂ କେନ୍ଦ୍ର ପକ୍ଷରୁ କାରଖାନା ଆଗେଇବା ପାଇଁ ଭିତ୍ତିଭୂମି ନିର୍ମାଣ ଖର୍ଚ୍ଚ ପୂର୍ଣ୍ଣାଙ୍ଗ ବ୍ୟୟବରାଦ ନହେବାରୁ ପ୍ରକଳ୍ପର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଛି। କଳାହାଣ୍ଡି ଜିଲ୍ଲା ରେଳ ବଜେଟ୍ରେ ବାରମ୍ବାର ଉପେକ୍ଷିତ ହେଉଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି। ବର୍ତମାନ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବାପରେ କିଛି ମାତ୍ରାରେ ଜିଲ୍ଲାବାସୀଙ୍କ ଆଶା ସଞ୍ଚାର ହୋଇଛି। କେନ୍ଦ୍ର ସରକାର ଏଦିଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଜିଲ୍ଲାବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/rail-1.jpg)