ସରକାରଙ୍କୁ ସତର୍କ କରାଇଲେ ନରସିଂହ: ଆଞ୍ଚଳିକ ବୈଷମ୍ୟ ଦୂର କର, ନଚେତ୍ ଓଡ଼ିଶା ଭାଗ ଭାଗ ହୋଇଯିବ!

ଭୁବନେଶ୍ବର : କୌଣସି ରାଷ୍ଟ୍ରରେ ଅଞ୍ଚଳ-ଅଞ୍ଚଳ ମଧ୍ୟରେ ଅସମାନତା ରହିବା ଉଚିତ ନୁହେଁ। କିନ୍ତୁ ଆମ ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ବଢ଼ୁଛି। ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରାଯାଇଛି। କିନ୍ତୁ ତାହାର ଉଦ୍ଦେଶ୍ୟ ସାଧିତ ହେଉନି। ପ୍ରତି ବର୍ଷ ଯେଉଁ ଦୀର୍ଘମିଆଦି ଓ ସ୍ବଳ୍ପ ମିଆଦି ଯୋଜନା ହେବା କଥା ତାହା ହେଉ ନାହିଁ। ସରକାର ନିଜେ ଆଞ୍ଚଳିକ ବୈଷମ୍ୟ ସୃଷ୍ଟି କରୁଥିବାରୁ ପଶ୍ଚିମ ଓଡ଼ିଶାରେ ନୂଆ ରାଜ୍ୟ ଗଠନର ଦାବି ଉଠୁଛି। ଏଥି ପାଇଁ ନିକଟରେ ଭୁବନେଶ୍ବରରେ ଆନ୍ଦୋଳନ ହୋଇଛି। ପଛୁଆ ଅଞ୍ଚଳ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଇ ତୁରନ୍ତ ଆଞ୍ଚଳିକ ବୈଷମ୍ୟ ଦୂର କରାଯାଉ। ନଚେତ ଓଡ଼ିଶା ଭାଗ ଭାଗ ହୋଇଯିବ। ଆଜି ଯୋଜନା ଓ ସଂଯୋଜନ, ପର୍ଯ୍ୟଟନ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ସରକାରଙ୍କୁ ଏମିତି ସତର୍କ କରାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କେନ୍ଦ୍ର ସରକାର କେବିକେ ଯୋଜନା ବନ୍ଦ କରିଥିବାରୁ ମଧ୍ୟ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ।

Sambad English

ଶ୍ରୀ ମିଶ୍ର କହିଲେ ଯେ, ଯୋଜନା ଓ ସଂଯୋଜନ ବିଭାଗ ହେଉଛି ମୂଳ ବିଭାଗ। ଯୋଜନା ଯେଉଁ ହିସାବରେ ପ୍ରସ୍ତୁତ ହେବ, ସେହି ହିସାବରେ ଅନ୍ୟ ବିଭାଗ କାର୍ଯ୍ୟ କରିବେ। କିନ୍ତୁ ଏହି ମୂଳ ବିଭାଗଟି ଏବେ କୋମାରେ ଅଛି। ପ୍ରଥମତଃ ରାଜ୍ୟର ବିକାଶ ପାଇଁ ଶିକ୍ଷାର ବିକାଶ କରିବାକୁ ପଡ଼ିବ। କିନ୍ତୁ ଏ ସରକାର ଶିକ୍ଷାକୁ ଆଦୌ ଗୁରୁତ୍ବ ଦେଉ ନାହାନ୍ତି। ରାଜ୍ୟରେ ବହୁ ପ୍ରାଥମିକ ସ୍କୁଲ୍‌ର ଶ୍ରେଣୀ ଗୃହ ନାହିଁ। ଶିକ୍ଷକ ନାହାନ୍ତି। ୫ ପ୍ରକାର ଶିକ୍ଷକ ବ୍ୟବସ୍ଥା ଶିକ୍ଷାର ମାନକୁ ଆହୁରି ତଳକୁ ଖସାଇ ଦେଉଛି। ଦ୍ବିତୀୟରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ବ ଦେବାକୁ ପଡ଼ିବ। ସରକାର ମେଡିକାଲ କଲେଜ ଖୋଲିଦେଉଛନ୍ତି। କିନ୍ତୁ ସେଠାରେ ପ୍ରଫେସର ନାହାନ୍ତି। ଗ୍ରାମାଞ୍ଚଳରେ ବହୁ ସ୍ବାସ୍ଥ୍ୟ କେନ୍ଦ୍ର ବିନା ଡାକ୍ତରରେ ଚାଲିଛି। ତୃତୀୟରେ କୃଷି ଓ ଜଳସେଚନକୁ ସରକାର ଧ୍ୟାନ ଦେବା ଉଚିତ। ଏ ଦିଗରେ ମଧ୍ୟ ଠୋସ୍ ପଦକ୍ଷେପ ନିଆଯାଉନି।

ଜିଲ୍ଲା ଖଣିଜ ପାଣ୍ଠିକୁ ଜିଲ୍ଲାପାଳ ନିଜ ହାତପାଣ୍ଠି କରିଛନ୍ତି:‌ ମୋହନ
ଯୋଜନା ଓ ସଂଯୋଜନ, ପର୍ଯ୍ୟଟନ ବିଭାଗର ଖର୍ଚ୍ଚଦାବି ପାରିତ

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ଯଦି ସରକାର ଯୋଜନା ଓ ଗବେଷଣାକୁ ଗୁରୁତ୍ବ ଦିଅନ୍ତେ ତେବେ ଆମେ ଆହୁରି ଆଗକୁ ଯାଇପାରନ୍ତୁ। କେବଳ କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରି ନିଜ ନାଁରେ ବାହାବା ନେବାକୁ ସରକାର ତତ୍ପର। ଜିଲ୍ଲା ଖଣିଜ ପାଣ୍ଠିର ଦୂରୁପଯୋଗ କରାଯାଉଛି। ଜିଲ୍ଲାପାଳମାନେ ତାହାକୁ ହାତପାଣ୍ଠି ପରି ଖର୍ଚ୍ଚ କରୁଛନ୍ତି। ଖଣି ଅଞ୍ଚଳର ଗରିବ ଓ ଆଦିବାସୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ କିଛି କରାଯାଉନି।

Facebook

ବିଜେପି ସଭ୍ୟ ନାଉରୀ ନାୟକ କହିଥିଲେ, ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରାଯାଇଛି। କିନ୍ତୁ ଏ ଯାଏ କାହିଁକି ପରିଷଦର ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡ଼ିଶାରେ ହୋଇପାରିଲା ନାହିଁ? କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟଧାରାକୁ ସମାଲୋଚନା କରିଥିଲେ। ବିଜେପି ସଭ୍ୟ ସନାତନ ବିଜୁଳି ପିସି କାରବାର ବଢ଼ୁଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ।
ଶାସକ ଦଳ ସଭ୍ୟ ଭୂପିନ୍ଦର ସିଂହ କହିଲେ, ଦାରିଦ୍ର୍ୟ ଦୂରୀକରଣ ଓ ମାନବ ସମ୍ବଳର ବିକାଶକୁ ସରକାର ଗୁରୁତ୍ବ ଦେଇଛନ୍ତି। ବିଭିନ୍ନ ବିଭାଗ ପାଇଁ ଦୂରଦୃଷ୍ଟି ରଖାଯାଇ ଯୋଜନା କରାଯାଉଛି। ସେଥି ପାଇଁ ବହୁ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଉଛି। ପଦ୍ମନାଭ ବେହେରା କହିଥିଲେ, ଲୋକଙ୍କ ଆଶା, ଆକାଂକ୍ଷା ପୂରଣ ପାଇଁ ବିଭାଗ ତା’ର କାର୍ଯ୍ୟକ୍ରମ ଠିକ୍ ଭାବେ ସମ୍ପାଦନ କରୁଛନ୍ତି। ଜ୍ୟୋତିପ୍ରକାଶ ପାଣିଗ୍ରାହୀ ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ। ରାଜେନ୍ଦ୍ର ସାହୁ, ଧ୍ରୁବ ସାହୁ ଓ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର