ବଲାଙ୍ଗୀର/ନୂଆପଡ଼ା: ପୂର୍ବରୁ ଗୋଟିଏ ପରିବାରରୁ ଦୁଇ ତିନିଜଣକୁ ଥରକେ ଟିକେଟ୍ ମିଳୁଥିବା ନଜିର ରହିଛି। କିନ୍ତୁ ରାଜନୀତିରେ ପରିବାରବାଦ ପ୍ରତି ଦଳଗୁଡ଼ିକ ଆଉ ଉତ୍ସାହ ଦେଖାଉନାହନ୍ତି। ଏଭଳି ସ୍ଥିତିରେ ବାପାମାନେ ନିଜେ ଓହରି ପୁଅଙ୍କ ପାଇଁ ବାଟ ଛାଡ଼ୁଛନ୍ତି। ସଦ୍ୟ ଭାବେ ବିଜେପି ଏବଂ କଂଗ୍ରେସ୍ର ପ୍ରାର୍ଥୀ ତାଲିକାରୁ ଏହାର ଝଲକ ମିଳୁଛି। କିଛି ଦିନ ଧରି ବଲାଙ୍ଗୀରରେ ଲାଗି ରହିଥିବା ଚର୍ଚ୍ଚାର ଅବସାନ ଘଟିଛି। ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଗତ ବିଧାନସଭାର ଶେଷ ଅଧିବେଶନ ପୂର୍ବରୁ ନରସିଂହ ଆଉ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିଲେ। କିନ୍ତୁ ସେ ସକ୍ରିୟ ରାଜନୀତିରେ ରହିବେ ବୋଲି ସଙ୍କେତ ଦେଇଥିଲେ। ଏହାପରେ ସମରେନ୍ଦ୍ରଙ୍କ ପାଇଁ ବିଧାନସଭା ଟିକେଟ ବାଟ ପରିଷ୍କାର ହୋଇଥିଲା। ଶେଷରେ, ବଲାଙ୍ଗୀର ବିଧାନସଭା ଆସନରୁ ନରସିଂହଙ୍କ ବଦଳରେ କଂଗ୍ରେସ ସମରେନ୍ଦ୍ରଙ୍କୁ ପ୍ରାର୍ଥୀ କରିଛି।
ସେହିପରି, ନୂଆପଡ଼ା ବିଧାନସଭା ଆସନ ପାଇଁ ବିଜେପି ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଟିକେଟ୍ କଟିବା ପରେ ସେ ନୂଆପଡ଼ା ବିଧାନସଭା ପାଇଁ ପ୍ରାର୍ଥୀ ହେବେ ବୋଲି ସମର୍ଥକମାନେ କହୁଥିଲେ। କିନ୍ତୁ ସାଂସଦ ଶ୍ରୀ ପଣ୍ଡା ବଡ଼ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ବାଟ ଛାଡ଼ିଛନ୍ତି। ଅଭିନନ୍ଦନ ଗତ ପୌର ନିର୍ବାଚନରେ ନୂଆପଡ଼ା ଏନ୍ଏସି ଅଧ୍ୟକ୍ଷ ପାଇଁ ପ୍ରତିଦ୍ବନ୍ଦ୍ବିତା କରି ହାରିଥିଲେ। ପୁଅର ଭବିଷ୍ୟତ ଗଢ଼ିବାକୁ ଏବେ ବାପା ନିଜ କ୍ୟାରିଅର୍ ବାଜିରେ ଲଗାଇଦେଇଥିବା ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/Narshingh-Mishra-Basanta-Panda-Left-Seats-For-Their-Sons_Thumbnail.jpg)