ଦରଦାମ ଵୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କଂଗ୍ରେସ ବିଧାୟକ ଦଳ ନେତା

ବିଧାନସଭାରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା

ଭୁବନେଶ୍ବର: ଦରଦାମ ଵୃଦ୍ଧି ଯୋଗୁଁ ରାଜ୍ୟର କୃଷକ ଶ୍ରମିକ, ଛାତ୍ର ଓ ଯୁବକଙ୍କର ବିନାଶ ଶୀର୍ଷକ କଂଗ୍ରେସ ପକ୍ଷରୁ ବିଧାନସଭାରେ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି। ଯେଉଁଥିପାଇଁ ଦରଦାମ ବୃଦ୍ଧି ହେଉଥିବା ରାଜ୍ୟ ସରକାର କହୁଛନ୍ତି। ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର କମିଥିବା ବେଳେ ଦେଶ ତଥା ରାଜ୍ୟରେ ଦର କାମୁନାହିଁ। ଗରିବ ଓ ଧନୀର ତାରତମ୍ୟ ବଢୁଛି। ଗରିବ ଲୋକଙ୍କ ପ୍ରିୟ ଖାଦ୍ୟ ଚୁଡ଼ା ଓ ମୁଢ଼ି ଉପରେ ୫ ପ୍ରତିଶତ ଜିଏସଟି ଲାଗୁ କରାଯାଇଛି। ଏହା ଦ୍ୱାରା ଗରିବ ଓ ନମ୍ନ ମଧ୍ୟବିତ୍ତ ଲୋକଙ୍କ ସର୍ବନାଶ ହେବ।

କ୍ଷୀରରେ ୧୨ ପ୍ରତିଶତ ଜିଏସ ଟି ଲାଗୁ କରିବା ଦ୍ୱାରା ପୃଷ୍ଟିକର ଖାଦ୍ୟ ଖାଇବାରୀ ବଞ୍ଚିତ ହେବେ। ରାଜ୍ୟ ସରକାରଙ୍କ କ୍ଷମତା ଅଛି। ଚାହିଁଲେ ଦର କମାଇ ପାରିବେ ବୋଲି ନରସିଂହ କହିଛନ୍ତି। ଏପଟେ ତାର ପ୍ରସାଦ ବାହିନୀ ପତି କହିଛନ୍ତି ୨୦୧୪ ମସିହାରେ ପେଟ୍ରୋଲ ଲିଟର ପିଛା ୭୧ ଟଙ୍କା ଥିବାବେଳେ ୨୦୨୨ରେ ଏହା ୧୦୫ ଟଙ୍କାରେ ପହଞ୍ଚିଛି। ସେହିଭଳି ଡିଜେଲ ୫୬ ଟଙ୍କା ଥିବାବେଳେ ଡିଜେଲ ଦର ୧୦୨ ଟଙ୍କା ପାର କରିଛି। ତୈଳ ଦର ବାବଦକୁ କେନ୍ଦ୍ର ସରକାର ଲିଟର ପିଛା  ୩୯ଟଙ୍କା ୮୦ ପଇସା ନେଉଛନ୍ତି। ଭାଟ ବାବଦରେ ରାଜ୍ୟ ସରକାର ୨୬ ଟଙ୍କା ଆଦାୟ କରୁଛନ୍ତି। ବଡ଼ ବଡ଼ିଆଙ୍କୁ ସୁରକ୍ଷା ଦେବା ପାଇଁ ଏହି ତୈଳ ଦର ବୃଦ୍ଧି କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଦରଦାମ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ବଡ଼ ଭୂମିକା ରହିଛି। ଅଣ୍ଡା, ମାଛ, ଫୁଲ, ଫଳ ସବୁ ବାହାରୁ ଆସୁଛି। ଫଳ ପନିପରିବା ଶୀତଳ ଭଣ୍ଡାର ନାହିଁ। ପେଟ୍ରୋଲ ଓ ଡିଜେଲ ଉପରୁ ରାଜ୍ୟ ସରକାର ଭଟ କମାନ୍ତୁ ଏବଂ ଜିଏସ ଟି ଅନ୍ତର୍ଭୁକ୍ତ ପେଟ୍ରୋଲ ଓ ଡିଜେଲ ଦର କମିବ। ଦରଦାମ ନିୟନ୍ତ୍ରଣରେ ରହିବ।

ସେପଟେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଡିଜେଲ ଉପରୁ ଭାଟ ହ୍ରାସ କରୁଛନ୍ତି। ଡିଜେଲ ଉପରେ ୩୨ ପ୍ରତିଶତରୁ ୨୮ ପ୍ରତିଶତ ଓ ପେଟ୍ରୋଲରେ ୨୮ ପ୍ରତିଶତରୁ ୨୪ ପ୍ରତିଶତ ଭାଟ ହ୍ରାସ କରିଛନ୍ତି। ଯାହାଫଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ କମିଛି। ଏମିତି କି ରାଜ୍ୟ ସରକାର ସବୁବେଳେ କେମିତି ରୋକ ଲଗାଯିବ ସମାଧାନ ପାଇଁ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରୁଛନ୍ତି। କେନ୍ଦ୍ର ବ୍ୟତୀତ ରାଜ୍ୟସରକାରଙ୍କ ହାତରେ ଯେତିକି କ୍ଷମତା ଅଛି ତାକୁ ଵ୍ୟଵହାର କରି ଜନସାଧାରଣଙ୍କୁ କେମିତି ଖୁସି ଦେବେ ତାକୁ ନେଇ ସରକାର ତତ୍ପରତା ଦେଖାଉଛନ୍ତି। ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାରଙ୍କ ଅଧିକ ଭୂମିକା ରହିଛି ବୋଲି ସେ କହିଛନ୍ତି।

ଏଣେ  ଶୂନ୍ୟକାଳରେ ନରସିଂହ ମିଶ୍ର କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗ ଉଠାଇଥିଲେ। ସେ ସଂସଦୀୟ ମନ୍ତ୍ରୀ ରଖିଥିବା ଉତ୍ତରକୁ ନେଇ ପ୍ରଶ୍ନ ଉଠାଇଥିଲେ। କାଶୀପୁରରେ ଝାଡ଼ାବାନ୍ତି ହୋଇଛି ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖୁଛନ୍ତି, କିନ୍ତୁ ସେଠି ଜିଲ୍ଲାପାଳ କହୁଛନ୍ତି କଲେରା ହେଇଛି। ଆମ୍ବ ଟାକୁଆ ଜାଉ ଖାଇ, ବିଷାକ୍ତ ପାଣି ଓ ମଦ ପିଇ ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି। କିନ୍ତୁ ମନ୍ତ୍ରୀ କେଵଳ ଦୂଷିତ ପାଣି ପିଇ ଝାଡ଼ାବାନ୍ତି ହୋଇଛି ବୋଲି କହୁଛନ୍ତି। ଏହା ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର