ଷ୍ଟାଣ୍ଡିଂ କମିଟିକୁ ସମୟ ମିଳୁ ନଥିବାରୁ ନରସିଂହଙ୍କ କ୍ଷୋଭ

ଭୁବନେଶ୍ବର : ବଜେଟ୍‌ ଉପସ୍ଥାପନ ହେବା ପରେ ବିଭାଗ ୱାରି ଖର୍ଚ୍ଚଦାବିକୁ ତର୍ଜମା କରି ରିପୋର୍ଟ ଦେବା ଦାୟିତ୍ବ ବିଭାଗୀୟ ଷ୍ଟାଣ୍ଡିଂ କମିଟିର। କିନ୍ତୁ କମିଟିକୁ ଏଥି ପାଇଁ ଯଥେଷ୍ଟ ସମୟ ଦିଆଯାଉ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ଗୃହରେ ଏହି ପ୍ରସଙ୍ଗ ଉଠାଇ ସେ କହିଥିଲେ, ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ୧ ତାରିଖରେ ସରିଲା। ୮ ଦିନ ପରେ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେଲା। ମଝିରେ ଯେଉଁ ୮ ଦିନ ସମୟ ମିଳିଲା, ସେଥିରୁ ୪ ଦିନ ଛୁଟି ଥିଲା। ବିଭାଗୀୟ ଖର୍ଚ୍ଚଦାବିକୁ ତର୍ଜମା କରି ଆବଶ୍ୟକ ପ୍ରସ୍ତାବ ଓ ସୁପାରିସ୍ ଦେବାକୁ ଏତିକି ସମୟ ଯଥେଷ୍ଟ କି? ଷ୍ଟାଣ୍ଡିଂ କମିଟି ଅଧୀନରେ ଏକାଧିକ ବିଭାଗ ରହୁଛି। ୪ ଦିନ ଭିତରେ ତର୍ଜମା କରିବା ସମ୍ଭବ କି? ଆମେ ସବୁ କ’ଣ ଏତେ ବିଦ୍ବାନ? ବାସ୍ତବରେ ଠିକ୍ ଭାବେ ତର୍ଜମା କରାଯାଉ ନାହିଁ। ସଂସଦରେ ଏଥି ପାଇଁ ଏକ ମାସ ସମୟ ମିଳୁଥିଲା ବେଳେ ଏଠାରେ ସମୟ ସଙ୍କୁଚିତ ହେବାରେ ଲାଗିଛି। କମିଟି ପ୍ରସ୍ତାବ ଦେଲା ପରେ ବିଭାଗ ତାହାକୁ ସମୀକ୍ଷା କରିବ। ଯଦି କମିଟିର କୌଣସି ସୁପାରିସ୍‌କୁ ବିଭାଗ ଗ୍ରହଣ କରେ, ତେବେ ତାହାକୁ ଯୋଡ଼ି ଖର୍ଚ୍ଚଦାବିକୁ ସଂଶୋଧନ କରିବ। ଏଥି ପାଇଁ ସର୍ବନିମ୍ନ ସମୟ ଦରକାର। ତେଣୁ ଏହା କେବଳ ଉପରଠାଉରିଆ ବ୍ୟବସ୍ଥା ପାଲଟିଯାଇଛି। ଷ୍ଟାଣ୍ଡିଂ କମିଟିରେ ସବୁ ଦଳର ବିଧାୟକ ସଦସ୍ୟ ଅଛନ୍ତି। ଏହା ଏକ ସର୍ବଦଳୀୟ କମିଟି। ସର୍ବସମ୍ମତିକ୍ରମେ କମିଟିର ରିପୋର୍ଟ ପ୍ରସ୍ତୁତ ହୁଏ। ଷ୍ଟାଣ୍ଡିଂ କମିଟି ରିପୋର୍ଟ ଦେବାର ଯେଉଁ ନିୟମ ରହିଛି, ତାହାର ଯଥେଷ୍ଟ ଗୁରୁତ୍ବ ରହିଛି। ଏହାକୁ କେହି ହାଲୁକା ଭାବେ ନେବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର