ପୁରୀ : ବିହାରୀ ଷ୍ଟାଇଲରେ ସଭାମଞ୍ଚ ଉପରେ ଗୁଳି ଫୁଟାଇବା ପୁରୀର ଜଣାଶୁଣା ବ୍ୟବସାୟୀ ତଥା ରାଜନେତା ନାରାୟଣ ସାହୁ ଓରଫ ନାରୁଆଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଆଜି ପୁଲିସ ଶ୍ରୀ ସାହୁଙ୍କ ସହ ତାଙ୍କର ତିନି ଜଣ ଅଙ୍ଗରକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କଠାରୁ ଦୁଇଟି ବନ୍ଧୁକ, ଅଫୁଟା ଗୁଳି ସହ ୫ଟି ମୋବାଇଲ୍ ଜବତ କରାଯାଇଛି। ଟାଉନ୍ ଥାନା ପୁଲିସ ଶ୍ରୀ ସାହୁଙ୍କୁ ଗିରଫ କରିଥିବାବେଳେ ତାଙ୍କ ତିନି ଅଙ୍ଗରକ୍ଷକ ଉତ୍ତରପ୍ରଦେଶର ବରୁଣ କୁମାର ମୋଟଲା, ଦେବେନ୍ଦ୍ର କୁମାର ଓ ବବଲୁ କୁମାରଙ୍କୁ ବଳିଆପଣ୍ଡା ଥାନା ପୁଲିସ ଗିରଫ କରିଛି। ଏଥିସହ ପୁଲିସ ଶ୍ରୀ ସାହୁ ଓ ତିନି ଅଙ୍ଗରକ୍ଷକଙ୍କ ଅତୀତର ଅପରାଧିକ ମାମଲାର ଖୋଳତାଡ଼ ଆରମ୍ଭ କରିଛି। ଆବଶ୍ୟକ ପଡ଼ିଲେ ପୁଲିସ ଶ୍ରୀ ସାହୁଙ୍କୁ ରିମାଣ୍ଡରେ ଆଣିପାରେ ବୋଲି ଜଣାପଡ଼ିଛି।
ତେଲିପଡ଼ିଆ କଲ୍ୟାଣମଣ୍ଡପରେ ଶ୍ରୀ ସାହୁ ଓ ତାଙ୍କ ତିନି ଅଙ୍ଗରକ୍ଷକ ଏକ ସଭାରେ ମଞ୍ଚ ଉପରେ ବନ୍ଧୁକ ଧରି ନାଚିବା ସହ ଗୁଳି ଫୁଟାଇ ଉତ୍ସବ ମନାଇବାର ଭିଡିଓ ଗତ ଦୁଇ ଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ତନାଘନା ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ ଗତ ୨୬ ତାରିଖରେ ଶ୍ରୀ ସାହୁଙ୍କ ତିନି ଅଙ୍ଗରକ୍ଷକଙ୍କୁ ଭିନ୍ନ ଭିନ୍ନ ସ୍ଥାନରୁ ଉଠାଇ ଆଣି ଜେରା କରିଥିଲା। ସେହିଭଳି ଦୋଳମଣ୍ଡପ ସାହିର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଶ୍ରୀ ସାହୁଙ୍କୁ ବି ପୁଲିସ ଜେରା କରିଥିଲା। ଦୁଇଦିନ ଧରି ଲଗାତର ଜେରା ପରେ ପୁଲିସ ଆଜିଶ୍ରୀ ସାହୁଙ୍କୁ ଗିରଫ କରିଛି। ଟାଉନ୍ ଥାନା କେସ ନମ୍ବର୧୭୮ ଆଧାରରେ ଶ୍ରୀ ସାହୁଙ୍କୁ ତାଙ୍କ ଘରୁ ଗିରଫ ପରେ କୋର୍ଟ ଚାଲାଣ କରିଛି।
ଅନ୍ୟପକ୍ଷରେ ବଳିଆପଣ୍ଡା ଥାନା ପୁଲିସ କେସ ନମ୍ବର ୭୨ରେ ଦଫା ୩୯୯, ୪୦୨, ୩୫୩, ୩୦୭ ସହ ୨୫ ଓ ୨୭ ଆର୍ମସ ଆକ୍ଟରେ ଆଉ ଏକ ମାମଲା ରୁଜୁ କରି ତିନି ଅଙ୍ଗରକ୍ଷକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଶ୍ରୀ ସାହୁ ଓ ତାଙ୍କ ତିନି ଅଙ୍ଗରକ୍ଷକଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ନାରୁଆ ନାଁରେ ଆଇପିସିର ଦଫା ୩୮୭, ୫୦୪, ୩୪ ଓ ୨୫, ୨୭ ଆର୍ମସ ଆକ୍ଟ, ୩୦ ପୁଲିସ ଆକ୍ଟ, ୭ ସିଆରଏଲଏ ଆକ୍ଟ, ୫ ଓଡ଼ିଶା ଫାୟାର ଆଣ୍ଡ ଲାଉଡ୍ ସ୍ପିକର ଆକ୍ଟରେ ମାମଲା ରୁଜୁ ହୋଇଛି। ଖୋଳତାଡ଼ ପରେ ଶ୍ରୀ ସାହୁଙ୍କ ନାଁରେ ପୂର୍ବରୁ ପୁରୀର ବିଭିନ୍ନ ଥାନାରେ ୨୯ଟି ମାମଲା ରହିଥିବା ପୁଲିସ ଜାଣିବାକୁ ପାଇଛି। ଯେଉଁଥିରେ ହତ୍ୟାକାଣ୍ଡଠାରୁ ଆରମ୍ଭ କରି ଅନ୍ୟାନ୍ୟ ସଙ୍ଗିନ ମାମଲା ରହିଛି। ସେହିଭଳି ବଳିଆପଣ୍ଡା ପୁଲିସ ତିନି ଅଙ୍ଗରକ୍ଷକଙ୍କୁ ଡକାୟତି ମାମଲାରେ ଗିରଫ କରିଥିବା ବେଳେ ଟାଉନ୍ ଥାନା ଅଞ୍ଚଳରେ ଘଟିଥିବା ଗୁଳିକାଣ୍ଡ ମାମଲାରୁ ଏହା ସହ ଯୋଡ଼ାଯାଇଛି। ସେହି ଅନୁଯାୟୀ କୋର୍ଟଙ୍କ ନିକଟରେ ପୁଲିସ କାଗଜପତ୍ର ବି ଦାଖଲ କରିଛି।