କଟକ: ପୁରୀ ଶ୍ରୀମନ୍ଦିର ନାଟ ମଣ୍ଡପର ଫଟା ବିମ୍ ବିପଦର ସଂକେତ ଦେଉଛି। ସଂରକ୍ଷଣ ଓ ଅସ୍ଥାୟୀ ଛାଞ୍ଚ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ଲାଗି ଆଉ ଅପେକ୍ଷା କରାଯାଇ ପାରିବ ନାହିଁ ବୋଲି ଆଜି ହାଇକୋର୍ଟରେ ଆମିକସ୍ କ୍ୟୁରି ଇଂଜିନିୟର ଏନ୍.କେ. ମହାନ୍ତି ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍ଆଇ) ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ମରାମତି ଓ ସଂରକ୍ଷଣ ପ୍ରସଂଗକୁ ନେଇ ୨୦୨୩ ଜୁନ୍ ୨୨ରେ ଅନୁଷ୍ଠିତ କୋର୍ କମିଟି ବୈଠକର ବିବରଣୀ ଦାଖଲ କରାଯାଇ ନାଟ ମଣ୍ଡପ ସଂକ୍ରାନ୍ତରେ ମାଡ୍ରାସ୍ ଆଇଆଇଟିର ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଦର୍ଶାଯାଇଛି। ନାଟ ମଣ୍ଡପର ଫଟା ବିମ୍ର ବିସ୍ତୃତ ଢାଞ୍ଚାଗତ ଡିଜାଇନ୍ ପାଇଁ ମାଡ୍ରାସ୍ ଆଇଆଇଟିକୁ କୁହାଯାଇଛି।
ଆଇଆଇଟି ମାଡ୍ରାସ୍ ରିପୋର୍ଟ ମିଳିବା ପରେ ପ୍ରତ୍ନତାତ୍ତ୍ବିକ ସଂରକ୍ଷଣ ନୀତି ଅନୁସରଣ କରି କେଉଁ ଭଳି ଭାବେ ମରାମତି କାର୍ଯ୍ୟ କରାଯିବ ତାହା ଏଏସ୍ଆଇ ବୈଷୟିକ ବିଶେଷଜ୍ଞ କୋର୍ କଂଜରଭେସନ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯିବ। ମାଡ୍ରାସ୍ ଆଇଆଇଟି ରିପୋର୍ଟ ଏ ପର୍ଯ୍ୟନ୍ତ ହସ୍ତଗତ ହୋଇ ନାହିଁ ବୋଲି ଏଏସ୍ଆଇ ତରଫରୁ ଦର୍ଶାଯାଇଥିଲା। ତେଣୁ ନାଟ ମଣ୍ଡପ ଫଟା ବିମ୍ ମରାମତି ପ୍ରସଂଗରେ ଏ ପର୍ଯ୍ୟନ୍ତ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ପ୍ରସ୍ତାବିତ ଡିଜାଇନ୍ ତୁରନ୍ତ ମାଡ୍ରାସ୍ ଆଇଆଇଟିରୁ ପାଇବା ପାଇଁ ଏଏସ୍ଆଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର୍ ୧୫ ସୁଦ୍ଧା ଏ ସଂପର୍କିତ ଡିଜାଇନ୍ ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ନିର୍ଦ୍ଦେଶ ପାଳନ ନେଇ ଏଏସ୍ଆଇ ସତ୍ୟପାଠ ଦାଖଲ କରିବ। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର୍ ୧୯କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଭିଷେକ ଦାସଙ୍କ ଆବେଦନ ଉପରେ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ହାଇକୋର୍ଟରେ ଦାଖଲ ଆମିକସ୍ କ୍ୟୁରିଙ୍କ ରିପୋର୍ଟରେ ଦର୍ଶାଯାଇଥିଲା ଯେ ନାଟମଣ୍ଡପର ଫାଟି ଯାଇଥିବା ବିମ୍ ମରାମତି ପ୍ରସଂଗରେ ପୂର୍ବରୁ ଏଏସ୍ଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଥିଲେ। ୨୦୧୮ ଅଗଷ୍ଟରୁ ଏହି ପ୍ରସଂଗ ବିଚାରାଧୀନ ରହିଛି। ନାଟମଣ୍ଡପ ମରାମତି କାର୍ଯ୍ୟକୁ ଗୁରୁତ୍ବର ସହିତ ନିଆଯିବ ବୋଲି ଏଏସ୍ଆଇ ଡିଜି ପ୍ରତିଶ୍ରୁତି ଦେଇଥିଲେ। ନାଟମଣ୍ଡପ ଫଟା ବିମ୍ର ମରାମତି ଅଗ୍ରାଧିକାର ଭିତ୍ତିରେ କରିବା ପାଇଁ ଅଗଷ୍ଟ ୧୧ରେ ଆମିକସ୍ କ୍ୟୁରିଙ୍କ ତରଫରୁ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅନୁରୋଧ କରାଯାଇଥିଲା। ଆର୍ଆଣ୍ଡବି ସର୍ବୋଚ୍ଚ ଯନ୍ତ୍ରୀ ଓ ଅନ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ଗତ ଜୁନ୍ରେ ନାଟମଣ୍ଡପର ଫଟା ବିମ୍ ପ୍ରସଂଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ନାଟମଣ୍ଡପର ଉଭୟ ପଟ ମଧ୍ୟରେ ଏହି ବିମ୍ କାଣ୍ଟିଲିଭର୍ ଭାବେ କାର୍ଯ୍ୟ କରୁଥିବାରୁ ଯେକୌଣସି ସମୟରେ ଆକସ୍ମିକ ଦୁର୍ଘଟଣା ହୋଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ଓ ଏଏସ୍ଆଇ ତରଫରୁ ଆଇନଜୀବୀ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।