ସରିଲା ନାଟମଣ୍ଡପ ମରାମତି : ତଥାପି ଫାଟ ଜଳଜଳ

ଚାରି ମାସ ପରେ ଖୋଲା ହେଲା ଭାରା

ପୁରୀ : ଦୁର୍ବଳ ସ୍ଥିତିରେ ଥିବା ଶ୍ରୀମନ୍ଦିର ନାଟମଣ୍ଡପର ମରାମତି ଶେଷ ହେବା ପରେ ମରାମତି ପାଇଁ ଲାଗିଥିବା ଭାରା ଏହାମଧ୍ୟରେ ଖୋଲି ଦିଆଯାଇଛି। ତେବେ ନାଟମଣ୍ଡପର ଅଧିକାଂଶ ସ୍ଥାନରେ ଏବେ ବି ଫାଟ ଜଳଜଳ ହୋଇ ଦିଶୁଥିବାରୁ ପ୍ରତ୍ନତତ୍ତ୍ବ ବିଭାଗର କାର୍ଯ୍ୟ ଦୀର୍ଘସ୍ଥାୟୀ ହେବା ନେଇ ସନ୍ଦେହ ଉପୁଜିଛି। ସୂଚନାଯୋଗ୍ୟ, ନାଟମଣ୍ଡପ ମରାମତି ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ଆଜିକୁ ୪ ମାସ ତଳେ ଭାରା ବାନ୍ଧିଥିଲା।

ପ୍ରକାଶଥାଉକି, ହାଇକୋର୍ଟଙ୍କ ନିର୍ଦେଶ ପରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ପ୍ରତ୍ନତତ୍ତ୍ବ (ଏଏସ୍‌ଆଇ) ବିଭାଗ ଦୁର୍ବଳ ସ୍ଥିତିରେ ଥିବା ନାଟମଣ୍ଡପର ମରାମତି ଲାଗି ତତ୍ପରତା ଦେଖାଇଥିଲା। ଏଏସ୍‌ଆଇ କୋର୍‌ କମିଟି ଅଧ୍ୟକ୍ଷ ଏ.ପି.ଗୁପ୍ତାଙ୍କ ନେତୃତ୍ବରେ ବରିଷ୍ଠ ବିଶେଷଜ୍ଞଙ୍କ ଏକ ଦଳ ଶ୍ରୀମନ୍ଦିର ନାଟମଣ୍ଡପକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ଯାଞ୍ଚ ପରେ ନାଟମଣ୍ଡପର ପ୍ରାୟ ସମସ୍ତ ବିମ୍ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଜଣାପଡ଼ିଥିଲା। ନାଟମଣ୍ଡପ ଛାତକୁ ଧରି ରଖିବା ପାଇଁ ୧୬ଟି ବିମ୍ ରହିଥିବା ବେଳେ ଏଥିରେ ୪ଟି ମୁଖ୍ୟ ବିମ୍ ଓ ୧୨ଟି ସପୋର୍ଟ ବିମ୍ ରହିଥିଲା। ନାଟମଣ୍ଡପ ଛାତକୁ ଧରି ରଖିଥିବା ମୁଖ୍ୟ ବିମ୍ ସହ ଅନ୍ୟ ବିମରେ ଏକାଧିକ ଫାଟ ସୃଷ୍ଟି ହୋଇଥିବା ବେଳେ ପ୍ଲାଷ୍ଟର ଛେଲା ଖସି ବିମ୍ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିଲା। ଏ ନେଇ ରାଜ୍ୟ ବାହାରୁ ବରିଷ୍ଠ ବିଶେଷଜ୍ଞ ଆସି ଏହାର ପୁନର୍ବାର ଯାଞ୍ଚ କରିଥିଲେ। ଏପରିକି ନାଟମଣ୍ଡପର ମରାମତି ନେଇ ପ୍ରତ୍ନତତ୍ତ୍ବ ବିଭାଗର ବରିଷ୍ଠ ବିଶେଷଜ୍ଞଙ୍କ ଏକ ସ୍ବତନ୍ତ୍ର ବୈଠକ ମଧ୍ୟ ଡକାଯାଇଥିଲା। ବିଶେଷଜ୍ଞ ଦଳ ପାଇଁ ନାଟମଣ୍ଡପ ଛାତ, ବିମ୍ ଆଦି ଯାଞ୍ଚ ନିମନ୍ତେ ସ୍ବତନ୍ତ୍ର ଭାବେ ଲୁହାର ଭାରା ବନ୍ଧାଯାଇଥିଲା। ଏଥିରେ ଚଢ଼ି ବିଶେଷଜ୍ଞ ଦଳ ଦୁଇଦିନ ଧରି ନାଟମଣ୍ଡପ ଛାତର ସ୍ଥିତି ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ କିଛି ସ୍ଥାନରେ ପାଣି ଗଳିବା ସହ ବିମରେ ଏକାଧିକ ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଥିଲା। ସେହି ଅନୁଯାୟୀ ମରାମତି କାମ ବି ଆରମ୍ଭ ହୋଇଥିଲା। ଏହା ମଧ୍ୟରେ କାମ ଶେଷ ହୋଇଥିବା ବେଳେ ନାଟମଣ୍ଡପରେ ଲାଗିଥିବା ଲୁହା ଭାରାକୁ ଖୋଲି ଦିଆଯାଇଛି।

ମରାମତି ପରେ ଗୁରୁଡ଼ ସ୍ତମ୍ଭ ଉପରେ ସବୁଠୁ ବଡ଼ ଯୋଡ଼େଇ ହୋଇଥିବା ଦେଖିବାକୁ ମିଳିଛି। ବିଭିନ୍ନ କେମିକାଲ୍ ଦିଆଯାଇ ଏହାକୁ ଯୋଡ଼େଇ କରାଯାଇଛି। ଏହାବାଦ୍ ଅନ୍ୟ ସ୍ଥାନରେ ବି ଛୋଟବଡ଼ ଯୋଡ଼େଇ ହୋଇଛି। ତଥାପି ଗରୁଡ଼ ସ୍ତମ୍ଭ ଉପରେ, ଡାହାଣ ଓ ବାମ ପାର୍ଶ୍ବରେ ଏକାଧିକ ଫାଟ ଏବେ ବି ରହିଥିବା ଦେଖିବାକୁ ମିଳିଛି। ଫାଟର ଲମ୍ବା ଗାର ବି ତଳୁ ଛିଡ଼ା ହେଲେ ଜଳଜଳ ଦିଶୁଛି। ଏପରି ପରିସ୍ଥିତିରେ ପ୍ରତ୍ନତତ୍ତ୍ବ ବିଭାଗର କାମ ଦୀର୍ଘସ୍ଥାୟୀ ହେବା ନେଇ ପ୍ରଶ୍ନ ଉଠିଛି। ସେପଟେ ମରାମତି ଆଳରେ ପ୍ରତ୍ନତତ୍ତ୍ବ ବିଭାଗ କିଛି ସ୍ଥାନରୁ ଲାଗିଥିବା ଦେବାଦେବୀଙ୍କ ଫଟୋଚିତ୍ରକୁ ହଟାଇ ଦେଇଛି। ଏହା ସ୍ଥାନରେ ଆଲୁମିନିୟମ୍‌ର ଜାଲି ଲଗାଯାଇଛି। ୮ଟି ସ୍ଥାନରେ ଦେବାଦେବୀଙ୍କୁ ହଟାଯାଇ ଜାଲି ଲଗାଯାଇଥିବା ବେଳେ ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ନାଟମଣ୍ଡପର ଯେଉଁ ସବୁ ସ୍ଥାନ ମରାମତି ଆବଶ୍ୟକ କରୁଥିଲା, ସେହି ଅନୁସାରେ ଲୁହାର ଭାରା ବନ୍ଧା ଯାଇଥିଲା। ଏ ଭିତରେ ପ୍ରତ୍ନତତ୍ତ୍ବ ବିଭାଗ ଆବଶ୍ୟକ ମରାମତି କାମ ଶେଷ କରିବା ପରେ ନାଟମଣ୍ଡପରେ ଲାଗିଥିବା ଲୁହାର ଭାରା ଖୋଲି ଦିଆଯାଇଛି। ଏଣୁ ନାଟମଣ୍ଡପର ଆଉ ମରାମତି ଆବଶ୍ୟକ ନଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର