ନ’ତାଲାରେ କର୍ମଚାରୀ ଆନ୍ଦୋଳନ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର : ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ସମାଧାନର ରାସ୍ତା କାଢ଼ିବା ପାଇଁ ସେ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, ଆନ୍ଦୋଳନରତ ଏହି ସରକାରୀ କର୍ମଚାରୀଙ୍କ ନୂଆ କ୍ୟାଡର୍‌ ପୁନର୍ଗଠନ ଦାବିକୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ୨୦୧୮ ଏପ୍ରିଲ୍‌ ୧୬ରେ ଅନୁମୋଦିତ କରିଛନ୍ତି। ମାତ୍ର ଆନ୍ଦୋଳନରତ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ପ୍ରଶାସନିକ ସ୍ତରରେ ଏହାକୁ କ୍ରିୟାନ୍ଵିତ କରାଯାଉ ନାହିଁ। ଏହି କର୍ମଚାରୀମାନେ ଜୁନିୟର ଆସିଷ୍ଟାଣ୍ଟ୍‌, ସିନିୟର ଆସିଷ୍ଟାଣ୍ଟ୍‌, ସେକ୍ସନ୍‌ ଅଫିସର୍‌, ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଅଫିସର୍‌ ଓ ସିନିୟର ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଅଫିସର୍‌ ଭାବେ ହେଡ୍‌ସ୍‌ ଅଫ୍‌ ଡିପାର୍ଟମେଣ୍ଟ୍‌ରେ କାମ କରୁଛନ୍ତି। ସେମାନେ ଏହି ପଦବିଗୁଡ଼ିକୁ ପୁନର୍ଗଠିତ କରି ଆସିଷ୍ଟାଣ୍ଟ୍‌ ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର୍ସ, ଜଏଣ୍ଟ୍‌ ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର୍ସ, ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର୍ସ, ସିନିୟର୍‌ ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର୍ସ, ଚିଫ୍‌ ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର୍ସ-୨ ଓ ଚିଫ୍‌ ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର୍ସ-୧ କରିବାକୁ ଦାବି କରିଛନ୍ତି। ଆସିଷ୍ଟାଣ୍ଟ୍‌ ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର୍ସ(ଏଏଓ) ପ୍ରଥମ ପ୍ରବେଶ ସ୍ତରୀୟ ପଦବି ହେବା ପାଇଁ ସେମାନେ ଦାବି କରିଆସୁଛନ୍ତି। ଏହି କର୍ମଚାରୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରଶାସନିକ ବ୍ୟବସ୍ଥାକୁ ସ୍ଥାଣୁ କରିଦେବାର ଆଶଙ୍କା ଥିବାରୁ ପ୍ରସଙ୍ଗକୁ ଗୁରୁତର ସହ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର