ଭୁବନେଶ୍ୱର : ଦୀର୍ଘ ୪୫ ଦିନ କଲମଛାଡ଼ ଆନ୍ଦୋଳନ ଚଳାଇଥିବା ନ’ତାଲା ମୁଖ୍ୟ ଦପ୍ତର ସେକ୍ସନ ଅଫିସର ସଂଘ ଓ ଅମଲା ସଂଘର କର୍ମକର୍ତ୍ତାମାନେ ଆଜି ଆନ୍ଦୋଳନରୁ ଓହରି ଯାଇଛନ୍ତି। ଫଳରେ ଆସନ୍ତାକାଲିଠାରୁ ନ’ତାଲାର ସମସ୍ତ ନିର୍ଦ୍ଦେଶାଳୟରେ କାର୍ଯ୍ୟ ସ୍ବାଭାବିକ ହୋଇପାରିବ। ବିଭାଗୀୟ ମୁଖ୍ୟ ଦପ୍ତରରେ କାର୍ଯ୍ୟରତ କନିଷ୍ଠ ସହାୟକ ଓ ବରିଷ୍ଠ ସହାୟକ ପଦବୀକୁ ମିଶ୍ରଣ କରି ଏକ କ୍ୟାଡରଭୁକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦିତ ଅନ୍ୟ ସମସ୍ତ ପ୍ରସ୍ତାବ ସପକ୍ଷରେ ବିଜ୍ଞପ୍ତି ପ୍ରକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜି ହୋଇଛନ୍ତି। ସେପ୍ଟେମ୍ବର ୫ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶ୍ରୁତି ଅନୁସାରେ ଏହି ମିଶ୍ରଣ ପ୍ରକ୍ରିୟାକୁ ଏକ ଉଚ୍ଚସ୍ତରୀୟ କମିଟି ଦ୍ବାରା ତର୍ଜମା କରାଯାଇ ଆସନ୍ତା ୩ ମାସ ମଧ୍ୟରେ ସମାଧାନ କରାଯିବ। ଆସନ୍ତା ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆନ୍ଦୋଳନକୁ ପ୍ରତ୍ୟାହାର କରାଗଲା ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅମଲା ସଂଘର ସାଧାରଣ ସଂପାଦକ ସୁଧାଂଶୁ ପାତ୍ର ଏବଂ ସେକ୍ସନ ଅଫିସର ସଂଘର ସଂଗଠନ ସଂପାଦକ ଶିଶିର କୁମାର ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୦୮ ମସିହା ପର୍ଯନ୍ତ ଓଡ଼ିଶା ବିଭାଗୀୟ ମୁଖ୍ୟ ଦପ୍ତର ଓ ଓଡ଼ିଶା ସଚିବାଳୟରେ କାମ କରୁଥିବା କର୍ମଚାରୀଙ୍କ ମୂଳ ପଦବୀ ଓ ଦରମା ସମାନ ଥିଲା। ମାତ୍ର ୨୦୦୮ ମସିହା ପରେ ସଚିବାଳୟ କର୍ମଚାରୀ କ୍ୟାଡର ପୁନର୍ଗଠନ କରାଯାଇ ସେମାନଙ୍କ ପଦୋନ୍ନତି ଓ ଦରମା ବୃଦ୍ଧି କରାଗଲା। କିନ୍ତୁ ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କୁ ଏଥିରୁ ବଞ୍ଚିତ କରାଗଲା। ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର ସଂଘ ଓ ଅମଲା ସଂଘ ମିଳିତ ଭାବେ ଏହା ବିରୋଧରେ ଆନ୍ଦୋଳନ କରିଆସୁଛନ୍ତି। ସରକାର ସମସ୍ତ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିବାରୁ ଉଭୟ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀେର ଅନ୍ୟମାନଙ୍କ ମଧ୍ୟରେ ଉଭୟ ସଂଘର କର୍ମକର୍ତ୍ତା ପ୍ରଭାତ ମହାନ୍ତି, ଶ୍ରୀକାନ୍ତ ମିଶ୍ର, ମଧୁ ମଲ୍ଲିକ, ପ୍ରଶାନ୍ତ ପଟ୍ଟନାୟକ, ସୁବ୍ରତ ମହାନ୍ତି, ମିହିର ନାରାୟଣ ଜେନା,ଅଶୋକ କୁମାର ଦାଶ, ଅଶୋକ କୁମାର ବେହେରା, ରାଇକିଶୋର ମହାନ୍ତି, ଅନନ୍ତ ଚରଣ ପ୍ରଧାନ, ସତ୍ୟନାରାୟଣ ଛୋଟରାୟ, ରଶ୍ମୀରଂଜନ ପାଢୀ, ଶ୍ରୀନିବାସ ସେଠୀ, ଦେବାଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
୪୫ ଦିନ ପରେ ଆନ୍ଦୋଳନରୁ ଓହରିଲେ ନ’ତାଲା କର୍ମଚାରୀ
/sambad/media/post_attachments/wp-content/uploads/2018/10/natala.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)