ପୁରୀ: ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ନାଟମଣ୍ଡପ ମରାମତି କାର୍ଯ୍ୟ ପୁନଃଆରମ୍ଭ ହେବ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ମଧ୍ୟାହ୍ନ ୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି କାମ ଚାଲିବ ବୋଲି ଜଣାପଡ଼ିଛି। ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଯେଭଳି ବାଧାପ୍ରାପ୍ତ ହେବନାହିଁ, ସେଥିପାଇଁ ଶୁକ୍ରବାରଠୁ ରାତି ୨ଟାରୁ ଦ୍ବାର ଫିଟା ନୀତି ଆରମ୍ଭ ହେବ।

Advertisment

ସୂଚନା ଅନୁସା‌ରେ, ନାଟମଣ୍ଡପ ମରାମତି କାର୍ଯ୍ୟ ଏପ୍ରିଲ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ନୀତିକାନ୍ତିରେ ପରିବର୍ତ୍ତନ କରାଯାଇ ଏଏସ‌୍ଆଇ ପକ୍ଷରୁ ନାଟମଣ୍ଡପ ବିମ୍‌ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ମଙ୍ଗଳବାର ଛତିଶା ନିଯୋଗ ବୈଠକରେ ଏ ନେଇ ଆଲୋଚନା ହୋଇ ତାରିଖ ଧାର୍ଯ୍ୟ ହୋଇଥିଲା। ଆଇଆଇଟି ଚେନ୍ନାଇ ପକ୍ଷରୁ ବିମ୍‌ ମରାମତି ପାଇଁ ଡିଜାଇନ୍‌ ଅନୁମୋଦନ ପାଇଥିବାରୁ ସେହି ଅନୁଯାୟୀ କାମ ଆରମ୍ଭ ହେବ। ଏଏସ୍‌ଆଇ କାମ ଆରମ୍ଭ ପୂର୍ବରୁ ଯେପରି ଭୋଗ ମଣ୍ଡପ ନୀତି ନିର୍ଘଣ୍ଟ ଶେଷ ହୁଏ, ସେନେଇ ବିଶେଷ ଧ୍ୟାନ ରଖି ସଅଳ ଦ୍ବାର ଫିଟା ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଛତିଶା ନିଯୋଗର ସହମତିରେ ନିଷ୍ପତ୍ତି ହୋଇଛି। ନାଟମଣ୍ଡପ ମୁଖ୍ୟ ବିମ୍‌ରେ ଫାଟ ଥିବାରୁ ଗରୁଡ଼ ସ୍ତମ୍ଭ ସମ୍ମୁଖ ଭାଗ ବିମ୍‌କୁ ଧରି ରଖିବା ଲାଗି ଷ୍ଟେନ୍‌ଲେସ ଷ୍ଟିଲ୍‌ର ସପୋର୍ଟ ଦିଆଯିବ। ଦିନକୁ ୬ ଘଣ୍ଟା ଧରି ମରାମତି କାମ ହେବ। ମାର୍ଚ୍ଚ ୧୯ ତାରିଖ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ହୋଇଛି।