ରାମନବମୀରେ ଅଘଟଣ: ପୂର୍ବରୁ ବଡ଼ପୁଅକୁ ହରାଇଥିଲେ ନାଥ ପରିବାର, ଏବେ ସାନପୁଅ ପାଣିରେ ବୁଡ଼ିଗଲା

ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମଇତାପୁର ପଞ୍ଚାୟତ ସିମୁଳିଆ ଗାଁରେ ପୁଣି ଥରେ ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ନାଥ ପରିବାର ପୂର୍ବରୁ ବଡ଼ପୁଅକୁ ହରାଇଥିଲା ବେଳେ ଆଜି ସାନପୁଅ ପାଣିରେ ବୁଡ଼ିଯାଇଛି। ଏହି ଅଘଟଣକୁ ନେଇ ନାଥ ପରିବାର ସମେତ ପୂରା ଗାଁ ସ୍ତବ୍ଧ ରହିଛି। ୨୦୧୩ ମସିହା ରାମନବମୀ ଦିନ ବଡ଼ଭାଇ ସୁରେଶ ନାଥ ମହାନଦୀରେ ବୁଡ଼ିଯାଇଥିଲା। ଆଜି ୧୨ ବର୍ଷୀୟ ନାବାଳକ ପରେଶ ନାଥ ଗାଁ ପୋଖରୀରେ ବୁଡ଼ି ଯାଇଛି।

ସୂଚନା ଅନୁସାରେ କୁନା ନାଥଙ୍କ ସାନ ପୁଅ ପରେଶ ମଧ୍ୟାହ୍‌ଣରେ ଗାଁ ପାଖ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲା। ସେ ବହୁ ସମୟ ପର୍ଯ୍ୟନ୍ତ ଘରକୁ ନ ଆସିବାରୁ ପରିବାର ଲୋକେ ଏଣେ ତେଣେ ଖୋଜାଖୋଜି କରିଥିଲେ। କିନ୍ତୁ ପରେଶକୁ ପାଇ ନଥିଲେ। ଗାଁର କିଛି ଲୋକ ପୋଖରୀ ପାଖରେ ପାଦ ଚି଼ହ୍ନ ଥିବା ଦେଖିଥିଲେ। ପୋଖରୀରେ ପଡ଼ିଥିବା ସନ୍ଦେହ କରି ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ସୋର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପରେଶକୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା।

ସୂଚନାଯୋଗ୍ୟ, କୁନା ନାଥ ୨୦୧୩ ମସିହା ରାମନବମୀ ଅବସରରେ କଟକ ଜିଲ୍ଲା ଗୋପାଳପୁରକୁ ଦୋକାନ ନେଇ ବ୍ୟବସାୟ ଉଦ୍ଦେଶ୍ୟରେ ଆସିଥିଲେ। ଗୋପାଳପୁରରେ ଏକ କାର୍ଯ୍ୟକ୍ରମ ଚାଲିଥିବାରୁ ସେ ବଡ଼ପୁଅ ସୁରେଶ ସମେତ ନିଜ ପରିବାର‌ ଲୋକଙ୍କୁ ନେଇଥିଲେ। ଏହି ସମୟରେ ସୁରେଶ ସାଙ୍ଗମାନଙ୍କ ସହିତ ମହାନଦୀକୁ ଗୋଧୋଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲା। ୧୦ ବର୍ଷର ଘଟଣାକୁ ନାଥ ପରିବାର ଭୁଲି ନଥିଲା ବେଳେ ଏବେ ପୁଣି ସାନପୁଅ ପରେଶ ର ମୃତ୍ୟୁ ପରିବାର ପ୍ରତି ବଜ୍ର ପଡ଼ିଲା ସଦୃଶ ହୋଇଛି। କୁନା ନାଥଙ୍କ ମଝିଆ ପୁଅ ରାଜେଶ ନାଥ ବାଙ୍ଗାଲୁରୁରେ ଏକ କଂପାନିରେ କାମ କରୁଛନ୍ତି। ନାଥ ପରିବାରରେ ୨ଟି ଅଘଟଣକୁ ନେଇ  ଲେକେ କହୁଛନ୍ତି,  କୁନା ନାଥଙ୍କ ପରିବାର ପାଇଁ ରାମନବମୀ ସତେଯେମିତି କାଳ ସାଜିଛି।

 

ସମ୍ବନ୍ଧିତ ଖବର