ନଟିଆବାସୀଙ୍କ ଭୋଟ ବର୍ଜନ ଚେତାବନୀ

ଆନନ୍ଦପୁର : ପଞ୍ଚାୟତ ନିର୍ବାଚନ ପାଇଁ ଗାଁଗାଁରେ ଜୋରଦାର ପ୍ରଚାର ଚାଲିଛି। ଏଭଳି ସ୍ଥିତିରେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଘସିପୁରା ବ୍ଲକ୍‌ ଶାମୁକାନାଣ୍ଡି ପଞ୍ଚାୟତ ନଟିଆ ଗ୍ରାମର ଜନସାଧାରଣ ଭୋଟ୍‌ ବର୍ଜନ କରିବେ ‌ବୋଲି ନିଷ୍ପତ୍ତି ନେଇଛନ୍ତି। ଏହାଛଡା ଗ୍ରାମର କେହି ବ୍ୟକ୍ତି ନିର୍ବାଚନ ରାଲିରେ ଯୋଗଦେବା ଏବଂ ପ୍ରଚାର କରିବାକୁ ବାରଣ କରାଯାଇଛି। ଭୋଟ ପୂର୍ବରୁ ଗ୍ରାମକୁ ବିଜୁଳି ସଂ‌ଯୋଗ, ପିଇବାପାଣି ଓ ରାସ୍ତା ସମସ୍ୟାର ସମାଧାନ କରିବାକୁ ‌ଗ୍ରାମବାସୀ ଅଡ଼ି ବସିଛନ୍ତି।

ବଣଜଙ୍ଗଲ ମଧ୍ୟରେ ଥିବା ନଟିଆ ଗ୍ରାମର ଜନସଂଖ୍ୟା ୫୦୦ରୁ ଊର୍ଦ୍ଧ୍ବ। ସମସ୍ତ ପରିବାର ଜନଜାତି ସମ୍ପ୍ରଦାୟର। କିଛି ଲୋକ ଚାଷ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଆଉ କିଛି କାମଧନ୍ଦା କରିବାକୁ ବାହାରକୁ ଯାଇଥାନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ଦୁଇବର୍ଷ ତଳେ ନଟିଆକୁ ରାସ୍ତା ହୋଇଛି। ହେଲେ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ହୋଇପାରି ନାହ‌ିଁ। ପାଞ୍ଚବର୍ଷ ତଳେ ଗ୍ରାମରେ ସୌରଶକ୍ତି ଚାଳିତ ଲାଇଟ୍ ଲଗା ଯାଇଥିଲା। ହେଲେ ସେସବୁ ଏବେ ଅକାମି ହୋଇଯାଇଛି। ବିଦ୍ୟୁତ୍ ସଂଯୋଗ ‌ପାଇଁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦ଟି ବିଦ୍ୟୁତ୍ ଖୁଣ୍ଟ ଗାଁ ମୁଣ୍ଡରେ ପକା ଯାଇଥିଲ। ପରବର୍ତ୍ତୀ ସମୟରେ ଆଉ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏଠାରୁ ତିନିଟି ଖୁଣ୍ଟ ନେଇ ଅନ୍ୟ ସ୍ଥାନରେ ପକାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲାର ଶତ ପ୍ରତିଶତ ଘରକୁ ବିଦ୍ୟୁତ୍ ସଂଯୋଗ କରାଯାଇଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ସୌଭାଗ୍ୟ’ ଯୋଜନା ୱେବସାଇଟ୍‌ରେ ଦର୍ଶାଯାଇଥିବା ବେଳେ ଏହି ଗାଁରେ ବିଜୁଳି ପହଞ୍ଚି ପାରିନି। ବିଜୁଳି ନଥିବାରୁ ଅନ୍ଧାରରେ ଲୋକେ ରହୁଛନ୍ତି। ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଲୋକେ ବାଟସାହି ଗ୍ରାମକୁ ମୋବାଇଲ ଚାର୍ଜ କରିବାକୁ ଯାଉଥିବା କହିଛନ୍ତି।

ଗ୍ରାମରେ ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି। ଗ୍ରାମରେ ପ୍ରତିଷ୍ଠା ହୋଇଥିବା ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଦୁଇଟି ନଳକୂପ ଥିଲେ ଏହା ସମସ୍ତ ପରିବାରକୁ ଜଳ ଯୋଗାଇବାରେ ସମର୍ଥ ହେଉନି। ଗ୍ରାମର ଲୋଚନସାହି, ଜାନମ୍‌ସାହି ଓ ତଳସାହିର ଜନସାଧାରଣ ପିଇବାପାଣି ପାଇଁ ଦହଗଞ୍ଜ ହେଉଛନ୍ତି। ବାଧ୍ୟ ହୋଇ ନାଳପାଣି ବ୍ୟବହାର କରୁଛନ୍ତି। ଗ୍ରୀଷ୍ମଋତୁରେ ପିଇବାପାଣି ସମସ୍ୟା ଆହୁରି ବୃଦ୍ଧି ପାଇବ। ସମସ୍ତ ଘରକୁ ମେଗା ପ୍ରକଳ୍ପ ମାଧ୍ୟମରେ ସ୍ବଚ୍ଛ ପିଇବାପାଣି ଯୋଗାଇଦେବାକୁ ସରକାର ଘୋଷଣା କରିଥିବାବେଳେ ଆମ ଗ୍ରାମକୁ କାହିଁକି ବାଦ୍ ଦିଆଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏସବୁ ସମସ୍ୟା ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ନିର୍ବାଚିତ ଲୋକ ପ୍ରତିନିଧିମାନେ ଗ୍ରାମକୁ ଅବହେଳା କରିଆସିଛନ୍ତି। ଗ୍ରାମର ଜନସାଧାରଣ ଏକ ବୈଠକରେ ଏକତ୍ରିତ ହୋଇ ମୌଳିକ ସସମ୍ୟାର ସମାଧାନ ନହେଲେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ଦିଗରେ କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମର ଡମ୍ବରୁଧର ଦରାଇ, ଶରତ କୁମାର ନାଇକ, ରାଇସେନ ହେମ୍ବ୍ରମ, ଅନିଲ ପିଙ୍ଗୁଆ, ଈଶ୍ବର ପିଙ୍ଗୁଆ, ଜମାଦାର ପିଙ୍ଗୁଆ, କମଲ ପିଙ୍ଗୁଆ, ବ୍ରଜ ବିରୁଆ, କ୍ରିଷ୍ଣା ନାଇକ, ବିରଞ୍ଚି ପିଙ୍ଗୁଆ, ମହେନ୍ଦ୍ର ଦରାଇ, ହରେକୃଷ୍ଣ ଦରାଇ, ଜଗେଶ୍ବର ପିଙ୍ଗୁଆ, ଧନେଶ୍ବର ଦରାଇ, ମଙ୍ଗୁଳୁ ପିଙ୍ଗୁଆ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର