ସାରା ଦେଶରେ ୨୨ ଲକ୍ଷ ନର୍ସଙ୍କ ଅଭାବ ରହିଛି, ଓଡ଼ିଶାରେ ବର୍ଷକୁ ୮୦୦୦ ନର୍ସ ତାଲିମ ନେଉଛନ୍ତି : ବାଗ୍ଚୀ
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର: ଆଜି ନର୍ସିଂ ଦିବସ । ଡାକ୍ତରମାନଙ୍କ ସହ ନର୍ସମାନେ କରୋନା ଯୋଦ୍ଧା ପାଲଟିଛନ୍ତି । ସମଗ୍ର ବିଶ୍ୱ କୋଭିଡ-୧୯ ମୁକାବିଲା କରୁଥିବା ବେଳେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏମିତି ସମୟ ବି ଆସିବ, କରୋନା ଭାଇରସ ଚାଲିଯିବ, କିନ୍ତୁ ଏହି ଦୁର୍ଦ୍ଦିନରେ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଉଥିବା ନର୍ସମାନେ ସବୁଦିନ ପାଇଁ ମନେ ରହିବେ । ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଆଜି ଏହା କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍ଚୀ କହିଛନ୍ତି, ବର୍ତ୍ତମାନ ସାରା ଦେଶରେ ୨୨ ଲକ୍ଷ ନର୍ସଙ୍କ ଅଭାବ ରହିଛି । ଫଳରେ ଚିକିତ୍ସା କ୍ଷେତ୍ରରେ ସେବା ପାଇଁ ଅସୁବିଧା ସୃଷ୍ଟି ହେଉଛି । ଓଡ଼ିଶାରେ ପ୍ରତିବର୍ଷ ୮୦୦୦ ଜଣଙ୍କୁ ବିଭିନ୍ନ ନର୍ସିଂ କଲେଜରେ ନର୍ସିଂ ତାଲିମ ଦିଆଯାଉଛି । ଚିକିତ୍ସା ସେବା କ୍ଷେତ୍ରରେ ନର୍ସମାନଙ୍କ ଅବଦାନ ସ୍ମରଣୀୟ । ନର୍ସମାନଙ୍କ ସେବା ଯୋଗୁଁ ରୋଗୀଙ୍କୁ ଆଶ୍ୱସ୍ତି ମିଳିଥାଏ । ଜଣେ ରୋଗୀ ନର୍ସମାନଙ୍କର ଭଲ ଭଲ କଥାରେ ଦୁଃଖ ଓ କଷ୍ଟକୁ ଭୁଲିଯାଇଥାଏ ।
ଏଥିସହ ମୁଖ୍ୟମୁଖପାତ୍ର କହିଛନ୍ତି, ଆଜି ସକାଳ ସୁଦ୍ଧା ଭାରତରେ ୧୭ ଲକ୍ଷ ୫୯ ହଜାର ୫୭୯ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ସେଥିରୁ ୭୦ ହଜାର ୭୫୬ଟି ନମୁନା ପଜିଟିଭ ଚିହ୍ନଟ ହୋଇଛି । ଦେଶରେ ମୋଟ ୨୨ ହଜାର ୪୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ୨ ହଜାର ୨୯୩ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ୪୬ ହଜାର ୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।
ଓଡ଼ିଶାରେ ଗତକାଲି ରାତି ୧୨ଟା ସୁଦ୍ଧା ୬୮ ହଜାର ୫୭ଟି ନମୁନା ପରୀକ୍ଷା ହୋଇଛି । ଆଜି ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ୪୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୮୫ ଜଣ ସୁସ୍ଥ ହୋଇଥିବା ବେଳେ ୩୪୯ ଜଣ ଚିକିତ୍ସାଧୀନ ଅଛନ୍ତି ।