‘୧ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ’
‘ଏନ୍ଏଏସ୍ପି ମାଧ୍ୟମରେ ଭାରତ ବିଶ୍ବ ବାୟୁ କ୍ରୀଡ଼ାର ପ୍ରମୁଖ କେନ୍ଦ୍ରରେ ପରିଣତ ହେବ’
ଭୁବନେଶ୍ବର : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍ ସିନ୍ଧିଆ ଆଜି ଜାତୀୟ ବାୟୁ କ୍ରୀଡ଼ା ନୀତି -୨୦୨୨ (ଏନ୍ଏଏସ୍ପି -୨୦୨୨)ର ଶୁଭାରମ୍ଭ କରିଛନ୍ତି । ୨୦୩୦ ସୁଦ୍ଧା ଭାରତକୁ ବିଶ୍ବର ଶ୍ରେଷ୍ଠ ବାୟୁ କ୍ରୀଡ଼ା ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପ ନେଇ ଏନ୍ଏଏସ୍ପି ୨୦୨୨ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହା ମାଧ୍ୟମରେ ଭାରତରେ ଏକ ନିରାପଦ, ଶସ୍ତା, ସୁଲଭ, ଗ୍ରହଣଯୋଗ୍ୟ, ଉପଭୋଗ୍ୟ ଏବଂ ଦୀର୍ଘସ୍ଥାୟୀ ବାୟୁ କ୍ରୀଡ଼ା ଇକୋସିଷ୍ଟମ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏନ୍ଏଏସ୍ପି-୨୦୨୨ ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ରାଜୀବ ବଂଶଲ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ସଞ୍ଜୀବ କୁମାରଙ୍କ ସମେତ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଏଏଆଇ, ଡିଜିସିଏ ଏବଂ ବିସିଏଏସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ବାୟୁ କ୍ରୀଡ଼ା କ୍ଷେତ୍ରରେ ବିଶ୍ବର ଏକ ପ୍ରମୁଖ ରାଷ୍ଟ୍ର ହେବାର ସମ୍ଭାବନା ଭାରତ ନିକଟରେ ରହିଛି । ବିଶାଳ ଭୌଗଳିକ କ୍ଷେତ୍ର, ବିବିଧ ଟୋପୋଗ୍ରାଫି ଏବଂ ଭଲ ପାଣିପାଗ ଦେଶରେ ରହିଛି । ଭାରତର ଜନସଂଖ୍ୟାରେ ଯୁବକମାନଙ୍କର ସଂଖ୍ୟା ଅଧିକ । ଦେଶରେ ଦୁଃସାହସିକ କ୍ରୀଡ଼ା ଏବଂ ବିମାନ କ୍ଷେତ୍ରର ବିକାଶ ପାଇଁ ଏକ ଅନୁକୂଳ ପରିବେଶ ରହିଛି ଏବଂ ଦିନକୁ ଦିନ ଏହା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଏନ୍ଏଏସ୍ପି ୨୦୨୨ ଅଣାଯାଇଛି। ଏରୋବେଟିକ୍ସ, ଏରୋ ମଡେଲିଂ ଏବଂ ମଡେଲ୍ ରକେଟ୍ରି, ଆମେଚର-ବିଲ୍ଟ ଏବଂ ଏକ୍ସେପେରିମେଣ୍ଟାଲ ଏୟାରକ୍ରାଫ୍ଟ, ବଲୁନିଂ, ଡ୍ରୋନ୍ସ, ଗ୍ଲାଇଡିଂ ଓ ପାୱାର୍ଡ ଗ୍ଲାଇଡିଂ, ହ୍ୟାଙ୍ଗ ଗ୍ଲାଇଡିଂ ଏବଂ ପାୱାର୍ଡ ହ୍ୟାଙ୍ଗ ଗ୍ଲାଇଡିଂ, ପାରାସୁଟିଂ (ସ୍କାଏଡାଇଭିଂ, ବେସ ଜମ୍ପିଂ ଏବଂ ୱିଙ୍ଗ ସୁଟ୍ସ ଆଦି), ପାରାଗ୍ଲାଇଡିଂ ଏବଂ ପାରା ମୋଟରିଂ (ପାୱାର୍ଡ ପାରାସୁଟ୍ ଟ୍ରାଇକ୍ସ ଆଦି ସମେତ), ପାୱାର୍ଡ ଏୟାରକ୍ରାଫ୍ଟ (ଅଲଟ୍ରା ଲାଇଟ, ମାଇକ୍ରୋ ଲାଇଟ୍ ଏବଂ ଲାଇଟ୍ ସ୍ପୋର୍ଟସ୍ ଏୟାରକ୍ରାଫ୍ଟ ଆଦି) ଓ ରୋଟୋରକ୍ରାଫ୍ଟ (ଅଟୋଜିରୋ ସମେତ)କୁ ବାୟୁ କ୍ରୀଡାରେ ଅନ୍ତଭୁର୍କ୍ତ କରାଯାଇଛି। ନୂଆ ନୀତି ଅଧୀନରେ ଭାରତରେ ବାୟୁ କ୍ରୀଡ଼ା ପାଇଁ ଚାରି ସ୍ତରୀୟ ପ୍ରଶାସନିକ ଢାଞ୍ଚା ରହିବ। ଏହି ବ୍ୟବସ୍ଥାରେ ଏୟାର ସ୍ପୋର୍ଟସ ଫେଡରେସନ୍ ଅଫ ଇଣ୍ଡିଆ (ଏଏସଏଫଆଇ) ପ୍ରମୁଖ ପ୍ରଶାସନିକ ସଂସ୍ଥା ଭାବେ କାର୍ଯ୍ୟ କରିବ।
ନୀତିକୁ ଲୋକାର୍ପଣ କରି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି, ବାୟୁ କ୍ରୀଡ଼ା କ୍ଷେତ୍ରରେ ଭାରତକୁ ଉପଯୁକ୍ତ ସ୍ଥାନ ଦେବା ଏବଂ ଏହାକୁ ବିଶ୍ବ ବାୟୁ କ୍ରୀଡ଼ା କେନ୍ଦ୍ରରେ ପରିଣତ କରିବା ଲାଗି ବର୍ତ୍ତମାନ ସମୟ ଆସିଛି । ଦେଶରେ ଦୁଃସାହସିକ, ରୋମାଞ୍ଚକର କ୍ରୀଡ଼ା ପରିବେଶ ସୃଷ୍ଟି କରିବା ଲାଗି ଆମେ ଚାହୁଛୁ । ଏଥିପାଇଁ ଭାରତର ଜନସଂଖ୍ୟାର ୭୦ ପ୍ରତିଶତ ଭାଗ ଅର୍ଥାତ୍ ୩୫ ବର୍ଷରୁ କମ୍ ଯୁବକମାନଙ୍କର ଶକ୍ତିକୁ ଆମେ ଉପଯୋଗ କରିବୁ। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଏହି ନୀତି କାର୍ଯ୍ୟକାରୀ ହେବା ଦ୍ବାରା ବାୟୁ କ୍ରୀଡ଼ା କ୍ଷେତ୍ରରେ ଭାରତ ବିଶ୍ବର ପ୍ରମୁଖ କେନ୍ଦ୍ର ହୋଇପାରିବ । ବିଦେଶରୁ ଉତ୍ସାହୀ ବାୟୁ କ୍ରୀଡ଼ାବିତ୍ମାନେ ଭାରତରେ ଏହି କ୍ରୀଡ଼ାରେ ଅଂଶଗ୍ରହଣ କରିବା ଲାଗି ଆକୃଷ୍ଟ ହୋଇ ଆସିବେ। ଏହି ନୀତି ମାଧ୍ୟମରେ ଦେଶରେ ବାର୍ଷିକ ୮ ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ବ ଏବଂ ୧ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ । ଏନଏଏସପି ୨୦୨୨ ମାଧ୍ୟମରେ ଭାରତ ବିଶ୍ବ ବାୟୁ କ୍ରୀଡ଼ାର ପ୍ରମୁଖ କେନ୍ଦ୍ରରେ ପରିଣତ ହେବ ବୋଲି ଶ୍ରୀ ସିନ୍ଧିଆ କହିଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଦୁଇ ଜଣ ଭାରତୀୟ ବାୟୁ କ୍ରୀଡ଼ାବିତ୍ ଶୀତଲ ମହାଜନ ଏବଂ ରାସେଲ ଥୋମାସଙ୍କ ସହିତ କଥା ହୋଇ ସେମାନଙ୍କର ଅନୁଭୂତି ଜାଣିଥିଲେ। ବିଶ୍ବ ବାୟୁ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ କ୍ରୀଡ଼ାବିତମାନଙ୍କ ଅଂଶଗ୍ରହଣ ବଢ଼ାଇବା ଏବଂ ସେମାନଙ୍କ ସଫଳତା ପାଇଁ ପ୍ରୟାସ କରିବା ଏବଂ ଆତ୍ମନିର୍ଭର ଭାରତ ଅଭିଯାନ ଅନୁରୂପ ଭାରତରେ ବାୟୁ କ୍ରୀଡ଼ା ଉପକରଣର ଡିଜାଇନ, ବିକାଶ ଓ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏନ୍ଏଏସ୍ପି-୨୦୨୨ର ପ୍ରମୁଖ ଉଦ୍ଦେଶ୍ୟ ରହିଛି।