କୋରାପୁଟ: ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଟିମ୍ରେ ଚମକୁଛନ୍ତି କୋରାପୁଟ କ୍ରୀଡ଼ାବିତ୍। ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ସହ କୋଚ୍ ଦାୟିତ୍ବ ମଧ୍ୟ ତୁଲାଉଛନ୍ତି। ଯାହା କୋରାପୁଟ ସମେତ ଓଡ଼ିଶା ପାଇଁ ଗର୍ବ ଆଣିଛି। ଭାରତୀୟ ଦଳରେ କୋରାପୁଟର ରତ୍ନ ଭାବେ ପରିଚିତ ଥିବା ଏହି କ୍ରୀଡ଼ାବିତ୍ ହେଲେ ସୁଖରାମ ମାଝୀ, ନକୁଳ ବଡ଼ନାୟକ ଓ ଦେବରାଜ ବେହେରା।
କୋରାପୁଟ ବ୍ଲକ ଉମୁରୀ ପଞ୍ଚାୟତ ସୁକୁରିଗୁଡ଼ା ଗ୍ରାମର ସୁଖରାମ ମାଝୀ ଦଶମ ପଢ଼ିବା ସମୟରେ ରାଜ୍ୟ ଦୃଷ୍ଟିହୀନ କ୍ରିକେଟ ଦଳରେ ସାମିଲ୍ ହୋଇ ଜାତୀୟସ୍ତରରେ ଖେଳିଥିଲେ। ଉତ୍ତମ ପ୍ରଦର୍ଶନ ପରେ ଭାରତୀୟ ଟିମ୍ର ଚୟନକର୍ତ୍ତା ଆଉ ସୁଖରାମଙ୍କ ଉପରୁ ନଜର ହଟାଇ ନାହାନ୍ତି। ଜାତୀୟ ଦୃଷ୍ଟହୀନ ଟିମ୍ରେ ୨୦୧୧ରେ ସାମିଲ୍ ହୋଇ ପାକିସ୍ତାନ ବିରୋଧରେ ମ୍ୟାଚ୍ ଖେଳିଥିଲେ। ପାକିସ୍ତାନ ବିରୋଧରେ ସୁଖରାମ ଇତି ମଧ୍ୟରେ ୩ ଥର ଅନ୍ତର୍ଜାତୀୟସ୍ତରରେ ମ୍ୟାଚ୍ ଖେଳିଛନ୍ତି। ଏଥି ସହିତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ବାଲାଂଦେଶ ଭଳି ଦେଶ ସହ ଅନ୍ତର୍ଜାତୀୟ ମ୍ୟାଚ୍, ଟି-୨୦ ଓ ଏସିଆ କପ୍ରେ ଖେଳିଛନ୍ତି। ୨୦୨୪ରେ ଆମେରିକା ଦୃଷ୍ଟିହୀନ କ୍ରିକେଟ୍ ଟିମ୍ର କ୍ରୀଡ଼ାବିତ୍ଙ୍କୁ କୋଚ ଭାବେ କାମ କରିଥିଲେ ସୁଖରାମ। କ୍ରୀଡ଼ା ଶିକ୍ଷକ ଚନ୍ଦ୍ରଶେଖର ପଟ୍ଟନାୟକଙ୍କ କହିବା କଥା, ସୁଖରାମ ତୃତୀୟ ଶ୍ରେଣୀ ପଢ଼ିବା ସମୟରୁ କ୍ରିକେଟ୍ ପ୍ରତି ରୁଚି ଥିଲା। ନିଷ୍ଠା, ଏକାଗ୍ରତା ଓ ଉଦ୍ୟମ ବଳରେ ସେ ସଫଳତା ପାଇଛନ୍ତି।
କୋରାପୁଟରେ ଦଶମ, ଯୁକ୍ତ ଦୁଇ, ଯୁକ୍ତ ତିନି ପଢ଼ା ସାରିବା ପରେ ସୁଖରାମ ଇଂରାଜୀରେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ପିଜି କରିଛନ୍ତି। ୨୦୧୬ରେ ପ୍ରଥମ ଟି-୨୦ ବିଶ୍ବ କପ୍ ଭାରତ ବିଜୟୀ ହେବା ପରେ ସେ ପ୍ରଧାନମନ୍ତ୍ରୀଙ୍କଠାରୁ ସମ୍ମାନିତ ହୋଇଥିଲେ। ଉମୁରୀ ଉଚ୍ଚ ବିଦ୍ୟାଳୟରେ ସୁଖରାମ ଏବେ କିରାଣି ଭାବେ କାମ କରୁଛନ୍ତି। ସେହିପରି ଭାବେ ଆଉ ଜଣେ ପ୍ରତିଭାବାନ୍ କ୍ରୀଡ଼ାବିତ୍ ହେଲେ ଲମତାପୁଟ ବ୍ଲକର ପିପଳପୁଟର ନକୁଳ ବଡ଼ନାୟକ। ୨୦୧୭ରେ ସେ ଭାରତ ଟିମ୍ରେ ସାମିଲ୍ ହୋଇ ଦୁବାଇରେ ମ୍ୟାଚ୍ ଖେଳିଥିଲେ। ଟି-୨୦ ବିଶ୍ବକପ, ଏସିଆ କପ, ଦୁବାଇରେ ହୋଇଥିବା ଓଡି ବିଶ୍ବକପରେ ନକୁଳ ଖେଳିବା ସହ ଆମେରିକାକୁ କୋଚ ଭାବେ ମନୋନୀତ ହୋଇ ଯାଇଥିଲେ। ଉଲ୍ଲେଖନୀୟ ପ୍ରଦର୍ଶନ ଓ କୃତିତ୍ବ ପାଇଁ ନକୁଳ ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନିତ ହୋଇଛନ୍ତି। ଦୃଷ୍ଟିହୀନ କ୍ରିକେଟ୍ର ଅନ୍ୟ ଜଣେ ପ୍ରତିଭା ହେଲେ ଜୟପୁରର ଦେବରାଜ ବେହେରା। ଦେବରାଜ ୨୦୧୦, ୨୦୧୪ରେ ଜାତୀୟ ସ୍ତରରେ ମ୍ୟାଚ୍ ଖେଳିଥିଲେ। ୨୦୨୩ରେ ଭାରତୀୟ ଟିମ୍ରେ ସ୍ଥାନ ପାଇ ଦୁବାଇରେ ଓଡି ବିଶ୍ବକପ ଖେଳିଥିଲେ। ଇଂଲଣ୍ଡ, ବାଲାଂଦେଶ, ଆମେରିକା ଗସ୍ତ କରି ବହୁ ମ୍ୟାଚ୍ ଖେଳିଛନ୍ତି ଦେବରାଜ। ସୁଖରାମ, ନକୁଳ, ଦେବରାଜଙ୍କୁ ଛାଡ଼ିଲେ କୋରାପୁଟ ଦୃଷ୍ଟିହୀନ ଉଚ୍ଚବିଦ୍ୟାଳୟର ତପନ କୁମାର ଗୌଡ଼, ଧନପତି ଗୌଡ଼, କାଳିଆ ପ୍ରଧାନ, ବିଶ୍ବନାଥ ଖରା, ଅର୍ଜୁନ ଭତ୍ରା, ରଘୁରାମ ନାୟକ ପ୍ରମୁଖ ଜାତୀୟ ଦୃଷ୍ଟିହୀନ କ୍ରିକେଟ୍ ଟିମ୍ରେ ଖେଳି କ୍ରୀଡ଼ା କୋଟାରେ ଏବେ ବିଭିନ୍ନ କ୍ଷେତ୍ରରେ ଚାକିରି ପାଇଛନ୍ତି। ଆଗାମୀ ଦିନରେ ଏହି ବିଦ୍ୟାଳୟକୁ ଦୃଷ୍ଟିହୀନ କ୍ରିକେଟ୍ର ହବ୍ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସ୍କୁଲର ଅଧ୍ୟକ୍ଷା ସାଗରିକା ମହାପାତ୍ର ଓ କ୍ରୀଡ଼ା ପ୍ରଶିକ୍ଷକ ଚନ୍ଦ୍ରଶେଖର ପଟ୍ଟନାୟକ କହିଛନ୍ତି।