ରାଉରକେଲା: ଜାତୀୟସ୍ତରର ମୁଷ୍ଟିଯୋଦ୍ଧା। କନିଷ୍ଠ ଜାତୀୟ ବର୍ଗରେ ପଦକ ବି ଜିତିଥିଲେ। ସର୍ବଭାରତୀୟସ୍ତରରେ ପ୍ରତିନିଧିତ୍ବ କରି ପ୍ରାୟ ଦଶ ବର୍ଷ ଧରି ରିଂରେ ପ୍ରତିପକ୍ଷଙ୍କୁ ଧରାଶାୟୀ କରିଚାଲିଥିଲେ। ଏକାଧିକ ପଦକ ବି ଜିତିଥିଲେ। ମାତ୍ର ଆର୍ଏସ୍ପି ପ୍ରଶାସନ, ରାଜ୍ୟ ସରକାରଙ୍କ ଶୁଭଦୃଷ୍ଟି ପଡ଼ିନଥିଲା। ନିଯୁକ୍ତି ମିଳିବା ତ ଦୂରର କଥା, ସାମାନ୍ୟ ଆର୍ଥିକ ସହାୟତା ବି ମିଳିଲାନି। ଫଳରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଏହି ଜାତୀୟ ମୁଷ୍ଟିଯୋଦ୍ଧା ରାମେଶ୍ବର ରାୟଗୁରୁ(୫୪)। ପତ୍ନୀ ଏବେ ପକ୍ଷାଘାତରେ ପୀଡ଼ିତ ଥିବାବେଳେ ଚିକିତ୍ସା ପାଇଁ ଅର୍ଥର ଘୋର୍ ଅଭାବ। ଚା’ ବିକି ପରିବାର ଭରଣପୋଷଣ କରୁଥିବାବେଳେ ଲକ୍ଡାଉନପରଠାରୁ ଏହା ବି ବନ୍ଦ ହୋଇଯାଇଛି। ଫଳରେ ଭାଗ୍ୟକୁ ଆଦରି ବସିଛନ୍ତି ରାମେଶ୍ବର।
ଝୀରପାଣିରେ ଏକ ଭଡ଼ା ଘରେ ରହୁଥିବା ରାମେଶ୍ବରଙ୍କ ପରିବାର କହିଲେ ପତ୍ନୀ ତପସ୍ବିନୀ(୪୫) ଓ ଏକମାତ୍ର ଝିଅ ସୁଚିତ୍ରା। ବାପା-ମା ତ୍ରୀନାଥ ପ୍ରସାଦ ରାୟଗୁରୁ ଓ ଚମ୍ପାବତୀ ରାୟଗୁରୁଙ୍କ ଦେହାନ୍ତ ହୋଇସାରିଥିବାବେଳେ ଅନ୍ୟ ଭାଇ ଭଉଣୀ ଅନ୍ୟତ୍ର ରହୁଛନ୍ତି। ଅଷ୍ଟମ ଶ୍ରେଣୀରେ ପଢ଼ିବା ଦିନଠାରୁ ବକ୍ସିଂ ପ୍ରତି ଆକୃଷ୍ଟ ହୋଇଥିଲେ ରାମେଶ୍ବର। ୧୯୮୬ ମସିହାରେ ମୁମ୍ବାଇରେ ଅନୁଷ୍ଠିତ କନିଷ୍ଠ ଜାତୀୟ ପ୍ରତିଯୋଗିତାରେ କାଂଶ୍ୟ ପଦକ ହାସଲ କରିଥିଲେ। ଏହାପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ରାମେଶ୍ବର। ଏକାଧିକବାର ଜାତୀୟ ପ୍ରତିଯୋଗିତା, ଯଥା- ୧୯୮୮ରେ ପଞ୍ଜାବ, ୧୯୮୯ରେ ମେଘାଳୟ, ୧୯୯୦ରେ କୋଲକାତା, ୧୯୯୧ରେ ହିମାଚଳ ପ୍ରଦେଶ, ୧୯୯୨ରେ ବିହାର, ୧୯୯୩ରେ ଆନ୍ଧ୍ରପ୍ରଦେଶରେ ପ୍ରତିନିଧିତ୍ବ କରିଥିଲେ। ଏତଦ୍ବ୍ୟତୀତ ୧୯୮୧ ମସିହାରୁ ୧୯୯୧ ମସିହା ପର୍ଯ୍ୟନ୍ତ, ଦିଲ୍ଲୀ, ପଶ୍ଚିମବଙ୍ଗ, ମାଡ୍ରାସ, ହରିୟାଣା ଆଦି ରାଜ୍ୟରେ ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି)ର ପ୍ରତିନିଧିତ୍ବ କରି ୩ଟି ସ୍ବର୍ଣ୍ଟ, ୩ଟି ରୌପ୍ୟ ଓ ୪ଟି କାଂଶ୍ୟ ପଦକ ଜିତିଥିଲେ। ୧୯୮୬ ମସିହାରୁ ୧୯୯୩ ମସିହା ପର୍ଯ୍ୟନ୍ତ ରାଜ୍ୟର ଶ୍ରେଷ୍ଠ ମୁଷ୍ଟିଯୋଦ୍ଧା ଥିଲେ।
/sambad/media/post_attachments/wp-content/uploads/2021/08/83d8726c-d300-476d-b4f4-a26c939de573.jpg)
୧୯୯୧ ମସିହାରେ ମାଡ୍ରାସରେ ଫେଡେରେସନ କପ୍ ମ୍ୟାଚ୍ ବେଳେ ବାମ ଆଖିରେ ମୁଥ ବାଜିବାରୁ ଗୁରୁତର ଆହତ ହୋଇଥିଲେ। ଆହତ ହେବାସତ୍ବେ ଉକ୍ତ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ପାଇଥିଲେ। ଏହାପରେ ମଧ୍ୟ ଖେଳ ଜାରି ରଖି ଏକାଧିକ ପଦକ ପାଇଥିଲେ। ପରବର୍ତ୍ତୀ ସମୟରେ ଆହତ ଜନିତ ସମସ୍ୟା ଜଟିଳ ହେବାରୁ ବାମ ଆଖିରେ ଅସ୍ତ୍ରୋପଚାର ହୋଇଥିଲେ। ବିଡ଼ମ୍ବନା, ଆର୍ଏସ୍ପିର ପ୍ରତିନିଧିତ୍ବ କରି ବର୍ଷ ବର୍ଷ ଯାଏଁ ଗୌରବ ଆଣିଥିବା ଏହି ଜାତୀୟ ଖେଳାଳିଙ୍କୁ ଆର୍ଏସ୍ପି ପକ୍ଷରୁ ଚିକିତ୍ସା ସୁବିଧା ମଧ୍ୟ ଦିଆଯାଇନଥିଲା। କେବଳ ଏତିକିରେ ସୀମିତ ରହିନଥିଲା ଆର୍ଏସ୍ପିର ଅଣଦେଖା, ପରବର୍ତ୍ତୀ ସମୟରେ ନିଯୁକ୍ତି ବି ମିଳିନଥିଲା। ଅପରପକ୍ଷରେ ଅର୍ଥାଭାବ ଜୀବନକୁ ବହୁମାତ୍ରାରେ ପ୍ରଭାବିତ କରିଥିଲା। ଦାରିଦ୍ର୍ୟ ତାଡ଼ନା ଅସହ୍ୟ ହେବାରୁ ସେ ସ୍ଥାନୀୟ ଗଜପତି ମାର୍କେଟ୍ରେ ଚା’ ଦୋକାନ ଦେଇଥିଲେ। ମାତ୍ର କରୋନା ମହାମାରୀ ଏହି ରୋଜଗାରର ଏକମାତ୍ର ପନ୍ଥାକୁ ବନ୍ଦ କରିଦେଇଥିଲା। ଫଳରେ ଆର୍ଥିକ ଦୁଃସ୍ଥିତି ଆହୁରି ବିଗିଡ଼ିବାରେ ଲାଗିଥିଲା।
ଠିକ୍ ଏତିକିବେଳେ ପତ୍ନୀ ରୋଗାଗ୍ରସ୍ତ ହେବା, ବୋଝ ଉପରେ ନଲିତା ବିଡ଼ା ସଦୃଶ ହୋଇଛି। ପତ୍ନୀ ପକ୍ଷାଘାତରେ ସ୍ଥାନୀୟ ଏକ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଉନ୍ନତମାନର ଚିକିତ୍ସା ପାଇଁ ଅନ୍ୟ ଏକ ହସପିଟାଲକୁ ନେବାକୁ ଏଠାକାର ଡାକ୍ତର ପରାମର୍ଶ ଦେଇଛନ୍ତି। କିନ୍ତୁ ଅର୍ଥାଭାବ ଏଥିରେ ବ୍ୟାଘାତ ସୃଷ୍ଟି କରୁଛି। ଉଭୟ ଆର୍ଏସ୍ପି, ରାଜ୍ୟ ପାଇଁ ବର୍ଷାଧିକ କାଳ ଗୌରବ ଆଣିଥିଲେ ସୁଦ୍ଧା ରାମେଶ୍ବରଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି। କ୍ୟାରିଅର୍ର ଶୀର୍ଷରେ ଥିବାବେଳେ ହାତଛାଡ଼ି ଦେଇଥିବା ଆର୍ଏସ୍ପି, ରାଜ୍ୟ ସରକାର ରାମେଶ୍ବରଙ୍କୁ ପାସୋରି ଦେଲେଣି। ରାଉରକେଲାର ଜଣେ ଜାତୀୟ କ୍ରୀଡ଼ାବିତ୍ଙ୍କ ଏଭଳି ଅବସ୍ଥା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/2cba8be2-e7d8-45b4-9d18-e31cc862f70c.jpg)