ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ସହଯୋଗରେ ରଗ୍‌ବି ଇଣ୍ଡିଆ ଓ ଓଡ଼ିଶା ରଗ୍‌ବି ଫୁଟ୍‌ବଲ୍‌ ସଂଘ (ଓଆର୍‌ଏଫ୍‌ଏ) ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଆୟୋଜିତ ଜାତୀୟ ବାଳକ (୧୫ ବର୍ଷରୁ କମ୍‌) ରଗ୍‌ବି ପ୍ରତିଯୋଗିତାରେ ଓଡ଼ିଶା ଉପବିଜେତାରେ ସନ୍ତୁଷ୍ଟ ରହିଛି। ବୁଧବାର ଫାଇନାଲ୍‌ରେ ଓଡ଼ିଶା ୫-୨୫ରେ ବିହାରଠୁ ହାରିଯାଇଛି। ଆରମ୍ଭରୁ ସତ୍ୟରଞ୍ଜନ ମୁଣ୍ଡା ୫ ପଏଣ୍ଟ୍‌ ଅର୍ଜନ କରି ଘରୋଇ ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ବିହାର ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଆଉ ଓଡ଼ିଶାକୁ ସୁଯୋଗ ନ ଦେଇ ୨୦ ପଏଣ୍ଟ୍‌ ସ୍କୋର୍‌ କରି ମ୍ୟାଚ୍‌ ଜିତି ବିଜେତା ଆଖ୍ୟା ଅର୍ଜନ କରିଥିଲା। 

Advertisment

ଆହୁରି ପଢନ୍ତୁ- Odisha-West Bengal: ପଶ୍ଚିମବଙ୍ଗକୁ ଟପିଲା ଓଡ଼ିଶା: ଅଭିବୃଦ୍ଧି, ମୁଣ୍ଡପିଛା ଆୟ ଅଧିକ

ବିହାର ପକ୍ଷରୁ ବିବେକ ରୟ ୧୦ ଏବଂ ଶିବମ କୁମାର, ପ୍ରିନ୍‌ସ କୁମାର ଓ କାଲ୍ଲୁ କୁମାର ୫ ପଏଣ୍ଟ୍‌ ଲେଖାଏଁ ସ୍କୋର୍‌ କରି ଦଳକୁ ବିଜୟ ଭେଟି ଦେଇଥିଲେ। ପୂର୍ବରୁ ଓଡ଼ିଶା କ୍ବାର୍ଟରଫାଇନାଲ୍‌ରେ ଦିଲ୍ଲୀକୁ ୧୭-୫ ଏବଂ ସେମିଫାଇନାଲ୍‌ରେ ରାଜସ୍ଥାନକୁ ୧୨-୫ରେ ହରାଇ ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଥିଲା। ତୃତୀୟ ସ୍ଥାନ ମୁକାବିଲାରେ ରାଜସ୍ଥାନ ୩୮-୭ରେ ମହାରାଷ୍ଟ୍ରକୁ ପରାସ୍ତ କରି କାଂସ୍ୟ ଜିତିଥିଲା। ବିଜେତା ବିହାରକୁ ୫ଲକ୍ଷ, ଉପବିଜେତା ଓଡ଼ିଶାକୁ ୩ଲକ୍ଷ ଓ କାଂସ୍ୟ ବିଜେତା ରାଜସ୍ଥାନକୁ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା।

ଆହୁରି ପଢନ୍ତୁ- Paddy: ଧାନ ନକିଣିଲେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ କ୍ରୀଡ଼ା ସଚିବ ସଚିନ ରାମଚନ୍ଦ୍ର ଯାଦବ, ଭୁବନେଶ୍ବର ବିମାନବନ୍ଦର ସିଆଇଏସ୍‌ଏଫ୍‌ କମାଣ୍ଡାଣ୍ଟ ରାକେଶ ଚୌଧୁରୀ, ବିଶ୍ବ ଦୌଡ଼କୁଦ ଉପସଭାପତି ଆଦିଲେ ସୁମରିୱାଲା, ପ୍ରତିଯୋଗିତା ନିର୍ଦେଶକ ମାର୍ତନ ଗ୍ୟୁଲାଇ, ବିଡିଂ ମୁଖ୍ୟ ମାର୍କ ହୁର୍‌ଷ୍ଟ, କ୍ରୀଡ଼ା ବିଭାଗ ଅତିରିକ୍ତ ସଚିବ ବିଜୟ କୁମାର ସ୍ବାଇଁ, ନେଲସନ ଲାକ୍ରା, ଯୁଗ୍ମ ସଚିବ ଗୀତା ଦାସ, ଓଆର୍‌ଏଫ୍‌ଏ ସଭାପତି ପ୍ରିୟଦର୍ଶୀ ମିଶ୍ର ଓ ଉପସଭାପତି ଉପେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।