ଅନ୍ଧାରୁଆରେ ହେବ ଏନ୍‌ଏସ୍‌ଡିସି ଶାଖା, ୩ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପାଇଁ ୨୮ ଏକର ଜମି

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ପ୍ରତିଷ୍ଠା ହେବ ତିନିଟି ଜାତୀୟ ସ୍ତରର ସ୍ବାସ୍ଥ୍ୟ ପ୍ରତିଷ୍ଠାନ। ଏଥିପାଇଁ ସରକାର ତିନିଟି ପୃଥକ ପୃଥକ ଅଞ୍ଚଳରେ ପ୍ରାୟ ୨୮ ଏକର ଜାଗା ଚିହ୍ନଟ କରିଛନ୍ତି। ଏହି ପ୍ରତିଷ୍ଠାନଗୁଡ଼ିକ ହେଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନସ୍ଥ ‘ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର’(ଏନ୍‌ସିଡିସି)ର ଓଡ଼ିଶା ଶାଖା, ଆୟୁଷ ମନ୍ତ୍ରଣାଳୟ ଅଧୀନସ୍ଥ ‘ଯୋଗ ଓ ନେଚର୍‌ପାଥିର କେନ୍ଦ୍ରୀୟ ଗବେଷଣା କେନ୍ଦ୍ର ଓ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌’ ଏବଂ ‘ହୋମିଓପାଥିର ଆଞ୍ଚଳିକ ଗବେଷଣା ପ୍ରତିଷ୍ଠାନ’। ତୁରନ୍ତ ଏହି ପ୍ରତିଷ୍ଠାନଗୁଡ଼ିକୁ ଜାଗା ଯୋଗାଇଦେବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗତ ସପ୍ତାହ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ‌େବୖଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି।

ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର’(ଏନ୍‌ସିଡିସି)ର ଓଡ଼ିଶା ଶାଖା ଭୁବନେଶ୍ବର ତହସିଲ୍‌ ଅନ୍ତର୍ଗତ ଅନ୍ଧାରୁଆରେ ପ୍ରତିଷ୍ଠା ହେବ। ଏଥିପାଇଁ ତିନି ଏକର ଜାଗା ଚିହ୍ନଟ କରାଯାଇଛି। ଏହି କେନ୍ଦ୍ରରେ ଅତ୍ୟାଧୁନିକ ଯନ୍ତ୍ରପାତି ରଖାଯାଇ ଉନ୍ନତମାନର ଲାବୋରଟାରି ପ୍ରତିଷ୍ଠା କରାଯିବ। ବିଭିନ୍ନ ପ୍ରକାର ‌େରାଗ ସମ୍ପର୍କରେ ଏଠାରେ ପରୀକ୍ଷା ନିରୀକ୍ଷା କରାଯିବ। ଏହି ଜାଗା ଦେବା ପାଇଁ ସରକାର ନୀତିଗତ ମଞ୍ଜୁର ଦେଇସାରିଛନ୍ତି। ତୁରନ୍ତ ଏହି ଜାଗା ଯୋଗାଇଦେବା ପାଇଁ ପଦକ୍ଷେପ ନେବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ବର ତହସିଲ୍‌ଦାରଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

‘ଯୋଗ ଓ ନେଚର୍‌ପାଥିର କେନ୍ଦ୍ରୀୟ ଗବେଷଣା କେନ୍ଦ୍ର ଓ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌’ ପାଇଁ ରାଜ୍ୟ ସରକାର ଚନ୍ଦକା ନିକଟରେ ବିନ୍ଧ୍ୟଗିରିରେ ୨୦ ଏକର ଜାଗା ୨୦୧୪-୧୫ ମସିହା‌େର ଯୋଗାଇ ‌େଦଇଥିଲେ। ଏହାର ପାଚେରୀ ଓ ମୌଳିକ ଭିତ୍ତିଭୂମି ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ପକ୍ଷରୁ ସିପିଡବ୍ଲ୍ୟୁଡିକୁ ୧.୫୭ କୋଟି ଟଙ୍କା ଦିଆଯାଇଥିଲା। କିନ୍ତୁ ସ୍ଥାନୀୟ ଲୋକଙ୍କ ପ୍ରତିବାଦ ଯୋଗୁ କାମ ଆରମ୍ଭ ହୋଇପାରି ନ ଥିଲା। ସ୍ଥିତିରେ ସୁଧାର ନ ଆସିବାରୁ ଜଟଣୀ ତହସିଲ୍‌ର ଜାମୁକୋଳିରେ ବିକଳ୍ପ ଜାଗା ଦିଆଯାଇଥିଲା। କିନ୍ତୁ ଏଥିରେ କେନ୍ଦ୍ର କର୍ତ୍ତୃପକ୍ଷ ରାଜି ହୋଇ ନ ଥିଲେ। କେନ୍ଦ୍ରାଞ୍ଚଳ ଆର୍‌ଡିସି, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଓ ଜଟଣୀ ତହସିଲ୍‌ଦାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ହୋଇଛି ଯେ ଗବେଷଣା କେନ୍ଦ୍ର ପାଇଁ ପୂର୍ବ ନିଷ୍ପତ୍ତି ମୁତାବକ ସେହି ବିନ୍ଧ୍ୟଗିରିରେ ହିଁ ଜାଗା ଯୋଗାଇ ଦିଆଯିବ। ଯଦି ଆବଶ୍ୟକ ପଡ଼େ ଜାଗାର ଦଖଲ ନେବାପାଇଁ ପୁଲିସ୍‌ର ସହାୟତା ନିଆଯିବ। ପୁଲିସ୍‌ ଓ ରାଜସ୍ବ ବିଭାଗର କ୍ଷେତ୍ର ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରି ଏହି କାର୍ଯ୍ୟ କରିବା ପାଇଁ ଆୟୁଷ ନିର୍ଦ୍ଦେଶକଙ୍କୁ ଦାୟିତ୍ବ ଦିଆଯାଇଛି।

‘ହୋମିଓପାଥିର ଆଞ୍ଚଳିକ ଗବେଷଣା ପ୍ରତିଷ୍ଠାନ’ ପାଇଁ ଜଟଣୀ ତହସିଲ୍‌ର ଜାମୁକୋଳିରେ ୫ ଏକର ଜାଗା ଯୋଗାଇ ଦିଆଯାଇଛି। ଜମି ମୂଲ୍ୟ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ପ୍ରତିଷ୍ଠା କର୍ତ୍ତୃପକ୍ଷ ପ୍ରସ୍ତାବ ‌େଦଇଥିଲେ। ଏ ସମ୍ପର୍କରେ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିବାକୁ ଜଟଣୀ ତହସିଲ୍‌ଦାରଙ୍କୁ କୁହାଯାଇଥିଲା। ଏହା ମଧ୍ୟରେ ଜମି ମଞ୍ଜୁରର ସମୟସୀମା ଶେଷ ହୋଇଥିବାରୁ ସାନି ଆବେଦନ ପାଇଁ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଏହା ପରେ ମାଗଣାରେ ଜମି ଦେବା ନିମନ୍ତେ ଏକ ପ୍ରସ୍ତାବ କ୍ୟାବିନେଟ୍‌ର ଅନୁମୋଦନ ପାଇଁ ପଠାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର