ରାଷ୍ଟ୍ରୀୟ କିଶୋର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଆଞ୍ଚଳିକ କର୍ମଶାଳା : କିଶୋର ସ୍ବାସ୍ଥ୍ୟ ଟିପ୍‌ସ ଦେବ ଓଡ଼ିଆ ଆପ୍‌

ଭୁବନେଶ୍ବର : ରାଷ୍ଟ୍ରୀୟ କିଶୋର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଉପରେ ଏକ ଦୁଇଦିନିଆ ଆଞ୍ଚଳିକ କର୍ମଶାଳା ଉଦ୍‌ଘାଟିତ ହୋଇଛି। ଭୁବ‌େନଶ୍ବରରେ ଆୟୋଜିତ ଏହି କର୍ମଶାଳାରେ ୧୦ରୁ ୧୯ ବର୍ଷ ବୟସର ସମସ୍ତ କିଶୋରମାନେ ଯେଭଳି ସୁସ୍ଥ ରହିବେ ଓ ଏ ସମ୍ପର୍କରେ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଆଲୋଚନା ହେବାକୁ ଯୋଜନା ହୋଇଛି। ଏହି କର୍ମଶାଳାକୁ ଆଜି ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ୍‌ ଉଦ୍‌ଘାଟନ କରିଛନ୍ତି। କିଶୋର ଅବସ୍ଥାରେ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହେଲେ ଭବିଷ୍ୟତ ସୁସ୍ଥ ରହିବ ବୋଲି ସେ କହିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ କିଶୋର ସ୍ବାସ୍ଥ୍ୟ ବିଭାଗ ସହକାରୀ କମିସନର ଡା. ଜାୟା ଅଲ୍ଲୀ ରିଜ୍‌ଭି ଯୋଗଦେଇ ପ୍ରତ୍ୟେକ କିଶୋର କିଭଳି ସୁସ୍ଥ ରହିବ ସେଥିପାଇଁ ସମସ୍ତ ସ୍ତରରେ ଉଦ୍ୟମ ଜରୁରୀ ବୋଲି କହିଥିଲେ। ପ୍ରଥମ ଥର ପାଇଁ ଓଡ଼ିଆରେ ଏକ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରାଯାଇଛି। ଏହା କିଶୋର ସ୍ବାସ୍ଥ୍ୟ ସମ୍ପର୍କିତ ଟିପ୍‌ସ୍‌ ଦେବା ସହ କିଶୋର କି‌ଶୋରୀମାନଙ୍କର ଅନେକ ଅସମାହିତ ପ୍ରଶ୍ନକୁ ସମାଧାନ କରିବାର ଦକ୍ଷତା ରଖିଛି। ଏହି ଆପ ସହ କିଶୋର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପ୍ରଚାର ପୁସ୍ତିକା ଓ ଲିଫଲେଟ୍‌ ଉନ୍ମୋଚିତ ହୋଇଛି।

୨୦୧୧ ଜନଗଣନା ଅନୁଯାୟୀ ଦେଶର ଜନସଂଖ୍ୟାର ୨୦.୯ ପ୍ରତିଶତ କିଶୋର(୧୦ରୁ ୧୯ ବର୍ଷ) ରହିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୨୦ ପ୍ରତିଶତ ଅର୍ଥାତ୍‌ ୮୨ଲକ୍ଷ ୭୪ ହଜାର। କିଶୋରାବସ୍ଥାରେ ସୁସ୍ଥ ରହିବା ପାଇଁ ସରକାରୀସ୍ତରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସଚେତନତା ପାଇଁ ଏକ ମାର୍ଗଦର୍ଶିକା ମଧ୍ୟ ପ୍ରସ୍ତୁତ କରାଯିବା ସହ ‘କିଶୋର ସାଥି’ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ବିଭିନ୍ନ ଚିକିତ୍ସାଳୟରେ ପରାମର୍ଶ ପାଇଁ ୨୩୦ ଶ୍ରଦ୍ଧା କ୍ଲିନିକ୍‌ ଓ ୧୦୪ ସମନ୍ବିତ ହେଲ୍ପ ଲାଇନ୍‌ କାର୍ଯ୍ୟକ୍ଷମ ରହିଛି। ଏହି ଦୁଇଦିନିଆ କର୍ମଶାଳାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ଡା. ବି.କେ ବ୍ରହ୍ମା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ଲିଙ୍ଗରାଜ ମିଶ୍ରଙ୍କ ସମେତ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶାର କିଶୋର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପଦାଧିକାରୀ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର