ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସହଯୋଗରେ ନେସ୍ନାଲ୍ କାଉନ୍ସିଲ୍ ଫର୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କମ୍ୟୁନିକେସନ୍(ଏନ୍ସିଏସ୍ଟିସି) ପକ୍ଷରୁ ‘୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ’ ଏଥର ଭୁବେନଶ୍ୱରରେ ଅନୁଷ୍ଠିତ ହେବ। ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପରିସରରେ ଡିସେମ୍ବର ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ପାଞ୍ଚଦିନିଆ ସମ୍ମିଳନୀ ଆୟୋଜନ କରାଯିବ। ଏଥିରେ ୧୦ରୁ ୧୭ ବର୍ଷ ବୟସର ୮୦୦ ଜଣ ଛାତ୍ରଛାତ୍ରୀ ଯୋଗ ଦେବେ। ଓଡ଼ିଶାରେ ଦ୍ବିତୀୟଥର ପାଇଁ ଏହି ସମ୍ମାନଜନକ ସମ୍ମିଳନୀ ଆୟୋଜନ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ବିଜ୍ଞାନ କଂଗ୍ରେସର ଥିମ୍ ରହିଛି ‘ସ୍ବଚ୍ଛ, ସବୁଜ ଓ ସୁସ୍ଥ ଦେଶ ପାଇଁ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ନୂତନ ପ୍ରବର୍ତ୍ତନ’। ଏଥିରେ ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀଙ୍କ ସମେତ ଆସିଆନ୍ ଓ ଗଲ୍ଫ୍ ଦେଶର ପିଲାମାନେ ମଧ୍ୟ ଯୋଗଦେବେ। ସ୍କୁଲରେ ପାଠ ପଢ଼ୁଥିବା ପିଲାଙ୍କ ସମେତ କିଛି ଭିନ୍ନକ୍ଷମ ଓ ସ୍କୁଲ ଯାଉନଥିବା ପିଲାମାନେ ମଧ୍ୟ ସାମିଲ ହେବେ। ଛାତ୍ରଛାତ୍ରୀଙ୍କ ବାଦ୍ ୪୦୦ ଶିକ୍ଷକ, ଗାଇଡ୍ ଓ ପିଲାଙ୍କୁ ସହଯୋଗ କରୁଥିବା ବ୍ୟକ୍ତି ଓ ଅଭିଭାବକମାନେ ମଧ୍ୟ ଯୋଗ ଦେବେ। ବହୁ ବିଶିଷ୍ଟ ବୈଜ୍ଞାନିକ, ଗବେଷକ ଓ ମୂଲ୍ୟାଙ୍କନକାରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆଜି ହୋଟେଲ୍ ସ୍ବସ୍ତି ଗ୍ରାଣ୍ଡ୍ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ େସାଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅମିତ ବାନାର୍ଜୀ ସୂଚନା ଦେଇଛନ୍ତି।
ଏନ୍ସିଏସ୍ଟିସିର ଅଧ୍ୟକ୍ଷ ଟି. ପି. ରଘୁନାଥ କହିଥିଲେ, ସମାଜରେ ରହିଥିବା ସମସ୍ୟାଗୁଡ଼ିକର କାରଣ ଓ ଏସବୁକୁ ବିଜ୍ଞାନଭିତ୍ତିକ ଚିନ୍ତାଧାରା ଅନୁଯାୟୀ କିପରି ସମାଧାନ କରାଯିବ, ସେ ଦିଗରେ ପିଲାମାନେ ଚିନ୍ତା କରି ନିଜ ନିଜ ପ୍ରୋଜେକ୍ଟ ପ୍ରସ୍ତୁତ କରିବେ। ନୂଆ ନୂଆ ଉଦ୍ଭାବନ କରିବା ନିମନ୍ତେ ଶିଶୁମାନଙ୍କୁ ପ୍ରୋତ୍ସାହନ ଦେବା ଏହି ବିଜ୍ଞାନ କଂଗ୍ରେସର ମୂଳ ଲକ୍ଷ୍ୟ। ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଦର୍ଶନୀ, ଆଲୋଚନାଚକ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସାମ୍ବାଦିକ ସମ୍ମିଳନୀରେ ଏନ୍ସିଏସ୍ଟିସିର ସଦସ୍ୟ ଲଳିତ ଶର୍ମା, ବିଜ୍ଞାନ କଂଗ୍ରେସର ପ୍ରମୁଖ ସଂଯୋଜକ ଅନୁରାଗ ଶତପଥୀ, ସୋଆର ନିର୍ଦ୍ଦେଶକ ମାନସ କୁମାର ମଲ୍ଲିକ, ଡିନ୍(ଗବେଷଣା) ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଡିନ୍(ଛାତ୍ରମଙ୍ଗଳ) ଜ୍ୟୋତିରଞ୍ଜନ ଦାସ ଓ ଲୋକସମ୍ପର୍କ ନିର୍ଦ୍ଦେଶକ ପରେଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଜ୍ଞାନ କଂଗ୍ରେସର ଲୋଗୋ ଉନ୍ମୋଚନ ହୋଇଥିଲା।