ବିକଶିତ ବିଜ୍ଞ‌ାନ ହିଁ ଦେଶର ସମୃଦ୍ଧି

୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଉଦ୍‌ଘାଟିତ

ଭୁବନେଶ୍ବର : ଏକ ଜାତି ତଥା ଦେଶର ବିକାଶ ସେହି ଦେଶର ବିକଶିତ ଓ ପ୍ରସାରିତ ବିଜ୍ଞାନ ଶିକ୍ଷା ଉପରେ ନିର୍ଭରଶୀଳ। ତେଣୁ ଦେଶର ବିକାଶ ଚାହୁଁଥିବା ସରକାର ବିଜ୍ଞାନ ଶିକ୍ଷାକୁ ଅଧିକ ପ୍ରୋତ୍ସାହିତ କରିବା ଉଚିତ୍। ଓଡ଼ିଶା ସରକାର ରାଜ୍ୟରେ ବିଜ୍ଞାନ ଶିକ୍ଷାର ଉନ୍ନତି ପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାଇନ୍‌ସ ପାର୍କ ଓ ପ୍ଲାନେଟାରିୟମ୍ ପ୍ରତିଷ୍ଠା ଦ୍ବାରା ଶିଶୁମାନଙ୍କ ଭିତରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ତେଣୁ ଆଇଆଇଟି, ନାଇଜର୍‌, ଆଇଜର୍‌ ଓ ଆଇଆଇଏମ୍‌ ଭଳି ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ ନିର୍ମାଣ କରାଇବାରେ ରାଜ୍ୟ ସରକାର ତତ୍ପରତା ପ୍ରଦର୍ଶନ କରିଛନ୍ତି। ଫଳରେ ଭୁବନେଶ୍ବର କାହିଁକି ସମଗ୍ର ରାଜ୍ୟ ଏବେ ଏଜୁକେସନ୍ ହବ୍‌ରେ ପରିଣତ ହୋଇପାରିଛି। ଆଜି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ(ସୋଆ) ପରିସରରେ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ସ୍ବଚ୍ଛ, ସବୁଜ ଓ ସୁସ୍ଥ ଦେଶ ପାଇଁ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ନୂତନ ପ୍ରବର୍ତନକୁ ଆଧାର କରି ଆୟୋଜିତ ହୋଇଥିବା ଏହି ଜାତୀୟ ଶିଶୁ କଂଗ୍ରେସ ଅବସରରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଲେ ଯେ ବିଶ୍ବରୁ କ୍ଷୁଧା, କୁପୋଷଣ ଦୂର କରିବାରେ ବିଜ୍ଞାନ ଭୂମିକା ଗୁରୁତ୍ବପୂର୍ଣ। ବିଶ୍ବକୁ ସ୍ବଚ୍ଛ, ସବୁଜ ଓ ସୁସ୍ଥ ରଖିବା ପାଇଁ ସମ୍ପ୍ରତି ବୈଜ୍ଞାନିକମାନେ ତତ୍ପର ହୋଇପଡ଼ିଛନ୍ତି। ତେଣୁ ବିଜ୍ଞାନ ଶିକ୍ଷାକୁ ଅଧିକ ଗୁରୁତ୍ବ ଦେବା ଓ ପିଲାମାନଙ୍କ ଭିତରେ ନୂତନ ଚିନ୍ତାଧାରର ଉଦ୍ରେକ କରିବା ପାଇଁ ଏଭଳି ଜାତୀୟ ସମ୍ମିଳନୀ ବହୁ ଉପ‌ାଦେୟ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଶିଶୁ ବୈଜ୍ଞାନିକମାନଙ୍କ ଉଦ୍ଦେଶ୍ୟରେ ଲିଓନାର୍ଡୋ ଡା ଭିନିସ୍‌ଙ୍କ ଚିତ୍ରକଳା ଓ ବୈଜ୍ଞାନିକ ଚିନ୍ତାଧାରା ଉପରେ କହିଥିଲେ। ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସଚିବ ନିକୁଞ୍ଜ ବିହାରୀ ଧଳ ନିଜ ବକ୍ତବ୍ୟରେ ସ୍ବଚ୍ଛ ଓ ସବୁଜ ବିଶ୍ବ ଉପରେ ଆଲୋକପାତ କରିଥିଲେ। ସମ୍ପ୍ରତି ବିଶ୍ବରେ ବିଭିନ୍ନ ଦୁରାରୋଗ୍ୟ ବ୍ୟାଧି ପାଇଁ କିଭଳି ଅଧିକ ଅର୍ଥ ବିନିଯୋଗ ହେଉଛି ଓ ଏହାଦ୍ବାରା ବିକାଶ କିଭଳି ବାଧାପ୍ରାପ୍ତ ହେଉଛି, ତା ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ସୋଆର କୁଳପତି ପ୍ରଫେସର ଅମିତ୍ ବାନାର୍ଜୀ ସ୍ବାଗତ ଭାଷଣ ଦେଇଥିଲେ। ସେହିଭଳି ଏହି ଶିଶୁ ବିଜ୍ଞାନ କଂଗ୍ରେସର ମୁଖ୍ୟ ସଂଯୋଜକ ସୁଜିତ୍ ବାନାର୍ଜୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଓଡ଼ିଶାରେ ଦ୍ବିତୀୟ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ଶିଶୁ ବୈଜ୍ଞାନିକ ସମାରୋହରେ ଭାରତର ସବୁ ରାଜ୍ୟରୁ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିବାବେଳେ ପଶ୍ଚିମ ଏସିଆର ୧୦ଟି ଦେଶ ଓ ମଧ୍ୟପ୍ରାଚ୍ୟର ୫ଟି ଦେଶର ଶିଶୁ ବୈଜ୍ଞାନିକମାନେ ଯୋଗ ଦେଇଛନ୍ତି। ଏହି ବିଶାଳ ବିଜ୍ଞାନ ମେଳାରେ ଯୋଗ ଦେଇଥିବା ମୋଟ୍ ୭ଶହ ଶିଶୁ ବୈଜ୍ଞାନିକମାନଙ୍କ ମଧ୍ୟରୁ ୫୬ ପ୍ରତିଶତ ବାଳିକା ଥିବାବେଳେ ୪୦ ପ୍ରତିଶତ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ସାମିଲ୍ ହୋଇଛନ୍ତି। ତେଣୁ ଚଳିତ ବର୍ଷର ଏହି ବିଜ୍ଞାନ କଂଗ୍ରେସ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ବୋଲି ଆୟୋଜକ ସଂସ୍ଥା ନ୍ୟାସନାଲ୍‌ କାଉନ୍‌ସିଲ୍‌ ଫର୍‌ ସାଇନ୍‌ସ ଆଣ୍ଡ ଟେକ୍ନୋଲୋଜି ଓ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ କୁହାଯାଇଛି। ଶେଷରେ ସୋଆର ବରିଷ୍ଠ ଅଧିକାରୀ ମାନସ ମଲ୍ଲିକ ଅତିଥିମାନଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଧିତ କରିଥିଲେ।

ସମ୍ବନ୍ଧିତ ଖବର