ଭୁବନେଶ୍ୱର: ଜାନୁଆରି ୬ରୁ ୧୨ ତାରିଖ ମଧ୍ୟରେ ପଞ୍ଚମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ପାଳିତ ହେବ। ଚିଲିକାର ସୌନ୍ଦର୍ଯ୍ୟ, ଜୈବ ବିବିଧତା ସୁରକ୍ଷା ଓ ଗୋଷ୍ଠୀ ପରିଚାଳିତ ସଂରକ୍ଷଣର ଗରିମାମୟ ଐତିହ୍ୟକୁ ଋଦ୍ଧିମନ୍ତ କରିବାକୁ ଆୟୋଜିତ ହେଉଥିବା ଏହି ଉତ୍ସବକୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍‌ଘାଟନ କରିବେ। ଆନ୍ତର୍ଜାତିକ ପକ୍ଷୀ ବିଶାରଦ ଅସାଦ ରହମାନୀ, ସୁରେଶ କୁମାର, ବନ୍ୟପ୍ରାଣୀ ଫଟୋଗ୍ରାଫର ଧୃତିମାନ ମୁଖାର୍ଜୀ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଉତ୍ସବ ସମୟରେ ଭୁବନେଶ୍ବରରେ ଅନୁଷ୍ଠିତ ହେଉଥିବା ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେଇଥିବା ପ୍ରବାସୀମାନଙ୍କୁ ନନ୍ଦନକାନନ, ସାତପଡ଼ା, ଚିଲିକାର ବରକୂଳକୁ ବୁଲାଇ ନିଆଯିବ। ଏହାବ୍ୟତୀତ ଆଉ ଯେଉଁଠିକୁ ଯିବାକୁ ସେମାନେ ଚାହିବେ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଛନ୍ତି।

Advertisment

୭ ଦିନ ଧରି ଚିଲିକା, ଭୁବନେଶ୍ବରରେ ଚାଲିବ କାର୍ଯ୍ୟକ୍ରମ
ନନ୍ଦନକାନନ, ଚିଲିକା, ସାତପଡ଼ା ବୁଲିବେ ପ୍ରବାସୀ ଭାରତୀୟ

ଉତ୍ସବ ସମ୍ପର୍କରେ ସେ କହିଲେ ପୂର୍ବରୁ ପଞ୍ଜୀକରଣ କରିଥିବା ୬୦ ଜଣ ଫଟୋଗ୍ରାଫର ୬ରୁ ୮ ତାରିଖ ପର୍ଯ୍ୟନ୍ତ ନଳବଣ ଓ ମଙ୍ଗଳାଯୋଡ଼ିରେ ଫଟୋଗ୍ରାଫି କରିବାର ସୁଯୋଗ ପାଇବେ। ପକ୍ଷୀ ଚିତ୍ର ପ୍ରଦର୍ଶନ, ବିକେ ଆର୍ଟସ୍‌, କଳିଙ୍ଗ, ଧଉଳି, ଖଲ୍ଲିକୋଟ ମହାବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରତ୍ୟକ୍ଷ ଚିତ୍ରକଳା, ପୋଷ୍ଟର ପ୍ରଦର୍ଶନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ଉତ୍ସବରେ ଗ୍ରାମବାସୀ, ଓଡ଼ିଶାର ବନ୍ୟପ୍ରାଣୀ ଫଟୋଗ୍ରାଫର ଓ ସ୍କୁଲ ଛାତ୍ରଛାତ୍ରୀ ଯୋଗଦେବେ। ଜାନୁଆରି ୭ରୁ ୧୨ ମଧ୍ୟରେ ପ୍ରତିଦିନ ସକାଳ ସାଢ଼େ ୧୦ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ମଧ୍ୟରେ ବନ୍ୟପ୍ରାଣୀ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର, ଫଟୋ ପ୍ରଦର୍ଶନୀ ଓ ଚିତ୍ରକଳା ପ୍ରଦର୍ଶନୀ ଆଞ୍ଚଳିକ ବିଜ୍ଞାନ ସଂଗ୍ରହାଳୟଠାରେ ଅନୁଷ୍ଠିତ ହେବ। ଜାନୁଆରି ୮ରୁ ୧୦ ମଧ୍ୟରେ ଫରେଷ୍ଟ ପାର୍କ, ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଓ ଆନନ୍ଦବନଠାରେ ସକାଳ ୭ଟାରୁ ୮.୩୦ ପର୍ଯ୍ୟନ୍ତ ପକ୍ଷୀ ନିରୀକ୍ଷଣ ପଦଯାତ୍ରା ଅନୁଷ୍ଠିତ ହେବ। ଏହାବ୍ୟତୀତ ୧୦ ତାରିଖ ରାତିରୁ ୧୧ ତାରିଖ ଯାଏଁ ଚିଲିକାର ବରକୁଳଠାରେ ଓଡ଼ିଶା ବାର୍ଡ କନ୍‌କ୍ଲେଭ ଅନୁଷ୍ଠିତ ହେବ। ଓଡ଼ିଶାର ପକ୍ଷୀ ନିରୀକ୍ଷକ ଓ ଗବେଷକମାନେ ଆଲୋଚନା କରିବେ ଏବଂ ନଳବଣ ବୁଲିବା ପାଇଁ ଯିବେ ବୋଲି ମନ୍ତ୍ରୀ ସିଂଖୁଣ୍ଟିଆ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସିଏଫ୍‌(ବନ୍ୟପ୍ରାଣୀ) ପ୍ରେମ୍‌ କୁମାର ଝା, ନନ୍ଦନକାନନର ନିର୍ଦ୍ଦେଶକ ତଥା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ ଭି ନାୟାର, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଦେବେନ୍‌ ପ୍ରଧାନ, ଧରମ ହାଁସଦା ପ୍ରମୁଖ ଉପସ୍ଥିତ ରହିଥିଲେ।