୨୪ ଘଣ୍ଟାରେ ମଣ୍ଡିରୁ ମିଲରମାନେ ଧାନ ଉଠାଇବେ

କେନ୍ଦ୍ରାଞ୍ଚଳସ୍ତରୀୟ ଜିଲ୍ଲାପାଳଙ୍କ ବୈଠକ

କଟକ: କେନ୍ଦ୍ରାଞ୍ଚଳ ଅନ୍ତର୍ଗତ ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଂଜ ଆଦି ୧୦ ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସଭାଗୃହରେ ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ।

ଚଳିତ ଖରିଫ ଋତୁ ପାଇଁ ନଭେମ୍ବର ୧ରୁ ୨୦୧୮, ଏପ୍ରିଲ ୩୦ ପର୍ଯ୍ୟନ୍ତ ଏବଂ ରବି ଋତୁ ପାଇଁ ୨୦୧୮, ମଇ ୧ ତାରିଖରୁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଧାନ ସଂଗ୍ରହ ଚାଲୁ ରହିବ। ଚଳିତ ଖରିଫ ଋତୁରେ ୫୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ପ୍ରାଥମିକ କୃଷି ସମବାୟ ସମତି ଦ୍ୱାରା ପଂଜୀକୃତ ଚାଷୀମାନେ ମଣ୍ଡିରେ ଧାନ ପହଁଚାଇବା ପରେ ମଣ୍ଡିରୁ ୨୪ ଘଣ୍ଟା ମଧ୍ୟରେ ମିଲରମାନେ ଧାନ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଧାନ ଉଠାଇବାର ୨୪ ଘଣ୍ଟା ମଧ୍ୟରେ ସିଧାସଳଖ ଚାଷୀମାନଙ୍କ ଜମାଖାତାରେ ଟଙ୍କା ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଜମା ହେବ । ଯେଉଁମାନଙ୍କର ଆକାଉଣ୍ଟ ସମବାୟ ବ୍ୟାଙ୍କରେ ଥିବ, ସେମାନେ ଏହି ସୁବିଧା ଶୀଘ୍ର ପାଇବେ। ଅନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କରେ ଜମା ଖାତା ଆକାଉଣ୍ଟ ଥିଲେ ୩ ଦିନ ମଧ୍ୟରେ ହିତାଧିକାରୀ ତାଙ୍କର ଅର୍ଥ ପାଇପାରିବେ । ଜିଲ୍ଲାପାଳମାନେ ନିର୍ବାଚନ ପ୍ରକ୍ରିୟା ପରିଚାଳନା ପରି ଧାନ ସଂଗ୍ରହ କାର୍ଯ୍ୟକୁ ଯତ୍ନର ସହ ସଂପନ୍ନ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ସରକାର ଚଳିତ ବର୍ଷ ଜଳସେଚିତ ଜମିରେ ଏକର ପ୍ରତି ୧୯ କ୍ୱିଣ୍ଟାଲ ଏବଂ ଅଣ ଜଳସେଚିତ ଜମିରେ ୧୨ କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ନିଷ୍ପତ୍ତି ନେଇଥିବା ବେଳେ ମୁଣ୍ଡ ପିଛା ୩ କୁଣ୍ଟାଲ ନିଜ ଘର ପାଇଁ ରଖି ବଳକା ଧାନ ବିକ୍ରୟ କରିପାରିବେ ବୋଲି ସୂଚନା ଦିଆଯାଇଛି। କେନ୍ଦ୍ରାଂଚଳ ଅନ୍ତର୍ଗତ ଜିଲ୍ଲାଗୁଡିକରେ ପ୍ରାୟ ୨୦ ଲକ୍ଷ ଚାଷୀ ପଂଜୀକୃତ ହୋଇଛନ୍ତି। ଚାଷୀମାନେ ଯେ କୌଣସି ପ୍ରମାଣପତ୍ର ଦେଇ ସେମାନଙ୍କର ନାମ ପଂଜୀକରଣ କରିପାରିବେ । ପଂଜୀକରଣ ବେଳେ ଚାଷୀଙ୍କର ଭୂଲେଖରେ ଉଲ୍ଲେଖ ଥିବା ପ୍ରକୃତ ଜମିର ପରିମାଣ ଅନୁଯାୟୀ ବିକ୍ରି କରିବାକୁ ଚାହୁଁଥିବା ଧାନର ପରିମାଣ ଉଲ୍ଲେଖ କରାଯିବ। କୃଷି ସମବାୟ ସମିତି ବ୍ୟତୀତ ମାର୍କଫେଡ୍‌, ଟିଡିସିସି ଜରିଆରେ ମଧ୍ୟ ଧାନ ସଂଗ୍ରହ କରାଯିବ । ନିର୍ଦ୍ଧାରିତ ତାରିଖ ଅନୁସାରେ ମଣ୍ଡି ଖୋଲାଯାଇ ନିୟନ୍ତ୍ରିତ ବଜାର କମିଟି(ଆର୍‌.ଏମ୍‌.ସି) ମାଧ୍ୟରେ ପ୍ରଚାର କରାଯାଇ ଚାଷୀମାନଙ୍କୁ ସଚେତନ କରାଯିବ। ଜିଲ୍ଲାପାଳମାନେ ଜିଲ୍ଲାରେ ସମବାୟ ବିଭାଗର ଅତିରିକ୍ତ ରେଜିଷ୍ଟ୍ରାର ଭାବେ କାର୍ଯ୍ୟକରୁଥିବାରୁ ତାଙ୍କର ବିନାନୁମତିରେ ସମବାୟ ବିଭାଗର ଅଧିକାରୀମାନେ ଧାନ ସଂଗ୍ରହ ସମୟରେ ହେଡ୍‌ କ୍ୱାଟର୍ସ ଛାଡିପାରିବେ ନାହିଁ।

ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗୀୟ ଶାସନ ସଚିବ ବୀର ବିକ୍ରମ ଯାଦବ ଯୋଗଦେଇ ପ୍ରାଥମିକ କୃଷି ସମବାୟ ସମିତି ମାନେ ଦୈନନ୍ଦିନ ଧାନ କ୍ରୟ ସ୍ଥିତି ସଂପର୍କରେ ସଂଧ୍ୟା ସୁଦ୍ଧା ଅନ୍‌ଲାଇନ୍‌ରେ ଡାଟା ଅପ୍‌ଲୋଡ୍‌ କରିବେ । ଯେଉଁ ମିଲରମାନେ ପୂର୍ବରୁ ସଂଗ୍ରହ କରିଥିବା ଧାନ ବଦଳରେ ଚାଉଳ ଚଳିତ ମାସ ନଭେମ୍ବର ୧୫ ତାରଖ ସୁଦ୍ଧା ସରକାରଙ୍କୁ ନ ଦେବେ, ସେମାନେ ଚଳିତ ଖରିଫ୍‌ ଋତୁରେ ଧାନ ସଂଗ୍ରହରେ ଅଂଶ ଗ୍ରହଣ କରିପାରିେବେ ନାହିଁ ବୋଲି ସଚିବ ମିଲରମାନଙ୍କୁ ସତର୍କ କରାଇ ଦେଇଛନ୍ତି । ଯେଉଁ ମିଲରମାନେ ଧାନ ମଣ୍ଡିରୁ ଧାନ ସଂଗ୍ରହ କରିଥିବେ, ସେମାନେ ୨୪ ଘଣ୍ଟା ମଧ୍ୟରେ ଧାନ ଗ୍ରହଣ କରିବା ପ୍ରମାଣ ପତ୍ର ( ଆସେପ୍ଟାନ୍ସ ନୋଟ୍‌ ) ସୋସାଇଟିକୁ ଦେବେ।

ସମବାୟ ବିଭାଗ ଶାସନ ସଚିବ ରଂଜନା ଚୋପ୍ରା କହିଲେ ଯେ ରାଜ୍ୟରେ ୧୭ ଲକ୍ଷ ରୁପେ କିଶାନ କ୍ରେଟିଡ୍‌ କାର୍ଡ ପ୍ରସ୍ତୁତ ହୋଇ ସାରିଛି ଓ ଖୁବ୍‌ ଶୀଘ୍ର ଚାଷୀମାନଙ୍କୁ ଏହା ବଣ୍ଟନ କରାଯିବ। ଯେଉଁ ଚାଷୀମାନେ ସମବାୟ ବ୍ୟାଙ୍କରୁ ଋଣ ନେଇଛନ୍ତି, ସେମାନଙ୍କଠାରୁ ଧାନ ବିକ୍ରି ଅର୍ଥ ଋଣ ବଦଳରେ ଭରଣା କରାଯିବ ନାହିଁ । କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଡି.ଭି.ସ୍ୱାମୀ ଜିଲ୍ଲାପାଳମାନେ ଚାଷୀମାନଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ହୋଇ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ ଧାନ ସଂଗ୍ରହ ପ୍ରକ୍ରିିୟାକୁ ତଦାରଖ କରିବାକୁ ପରାମର୍ଶ ଦେଇଥିଲେ। ଓଡିଶା ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ନିରଂଜନ ନାୟକ ଖରିଫ ଧାନ ସଂଗ୍ରହ ନୀତି ସଂପର୍କରେ ସୂଚନା ଦେଇଥିଲେ। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅତିରିକ୍ତ ସଚିବ ସଂଜିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର