ଭୁବନେଶ୍ବର : ଶିଳ୍ପ ସଂସ୍ଥାଗୁଡ଼ିକ ହେଉଥିବା ପ୍ରଦୂଷଣକୁ ରୋକିବା ଲାଗି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ଶିଳ୍ପ ସଂସ୍ଥା ପାଇଁ ଆଇପି କ୍ୟାମେରା ଲଗାଇବା ବାଧ୍ୟତାମୂଳକ ହୋଇଛି। ଏହି କ୍ୟାମେରାଗୁଡ଼ିକୁ ସିଧାସଳଖ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) କାର୍ଯ୍ୟାଳୟର କଣ୍ଟ୍ରୋଲ ରୁମ୍ ସହ ସଂଯୋଗ କରାଯାଇଛି। ଯଦି କୌଣସି ଶିଳ୍ପ ସଂସ୍ଥା ଲଗାତାର ୧୫ ମିନିଟ୍ ଧରି ପ୍ରଦୂଷଣ କରୁଥିବା ନଜରକୁ ଆସେ ତେବେ ତାହା ଜଣାପଡ଼ିବ। ଏଥିପାଇଁ ଏସ୍ପିସିବିରେ ରାଜ୍ୟସ୍ତରୀୟ କେଣ୍ଟ୍ରାଲ ରୁମ୍ ଖୋଲାଯିବା ସହ ସେଠାରେ ପର୍ଯ୍ୟାପ୍ତ ମାନବ ସମ୍ବଳ ନିଯୁକ୍ତି ଦିଆଯାଇଛି। ଏଥିସହ କୋରାପୁଟ ଓ ବଲାଙ୍ଗୀରରେ ବୋର୍ଡର ଦୁଇଟି ଆଞ୍ଚଳିକ କାର୍ଯ୍ୟାଳୟ ଖୋଲାଯାଇଛି। ଏଥିସହ ଜଳ ପ୍ରଦୂଷଣ ରୋକିବାକୁ ଜିରୋ ଲିକ୍ୟୁଇଡ୍ ବେସ୍ଡ କରିବାକୁ ସମସ୍ତ ଶିଳ୍ପ ସଂସ୍ଥାକୁ କୁହାଯାଇଛି ବୋଲି ଏସ୍ପିସିବିର ସଦସ୍ୟ ସଚିବ କେ ମୁରୁଗସେନ୍ କହିଛନ୍ତି।
ଏସ୍ପିସିବି ଓ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ(ଆଇସିସି) ଓଡ଼ିଶାର ମିଳିତ ସହଯୋଗରେ ହୋଟେଲ ସ୍ବସ୍ତି ପ୍ରିମିୟମ୍ରେ ଆୟୋଜିତ ‘ଜଳବାୟୁ ପରିବର୍ତ୍ତନ ପଦକ୍ଷେପ-ନେଟ୍ ଜିରୋ ହାସଲ କରିବା ପାଇଁ ବିକଳ୍ପ ଶକ୍ତି ଏବଂ ଗତିଶୀଳତା ସମାଧାନ’ ଶୀର୍ଷକ ଜାତୀୟ ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ମୁରୁଗନେସ୍ ଏହା କହିଛନ୍ତି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର କାର୍ଯ୍ୟକାରୀ ନିର୍ଦେଶକ ଜ୍ଞାନ ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଗ୍ଲୋବାଲ୍ ୱାର୍ମିଂ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ମାନବ ସଭ୍ୟତା ବିପଦପୂର୍ଣ୍ଣ ହେଉଛି। ଏଥିସହ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଦେଖାଯାଉଛି। ଯାହାକି ମାନବ ସଭ୍ୟତା ପାଇଁ ସତର୍କ ଘଣ୍ଟି। ସମସ୍ତେ ଏଥିପ୍ରତି ଯତ୍ନବାନ ଦେବାକୁ ସେ ପରାମର୍ଶ ଦେଇଥିଲେ।
ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍ର କର୍ପୋରେଟ୍ ଅଫାୟାର୍ସର ମନିସ୍ ଖରବନ୍ଦା, ଇଫ୍କୋ ନିର୍ଦ୍ଦେଶକ କେ ଜେ ପଟେଲ୍, ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ର ପରିଚାଳନା ନିର୍ଦେଶକ ପଙ୍କଜ ସତୀଜା, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଡିଡିଜିଏଫ୍ ଏ ଟି ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ନୀତି, ସଂକଳ୍ପ, ରଣନୀତି ଓ ଶକ୍ତି ବିକାଶର ବିଭିନ୍ନ ବିକଳ୍ପ ଉତ୍ସ ଉପରେ ଆଲୋଚନା କରିଥିଲେ। ଆଇସିସି ଷ୍ଟେଟ୍ କାଉନ୍ସିଲ୍ର ଅଧ୍ୟକ୍ଷ ଜେ ବି ପାଣି ସ୍ୱାଗତ ଭାଷଣ ଦେଇ ଗ୍ଲୋବାଲ୍ ୱାର୍ମିଂର ସରଳ ସମାଧାନ ତଥା ପରିବେଶ ସୁରକ୍ଷା କ୍ଷେତ୍ରରେ ସମସ୍ତେ ଆଗକୁ ଆସିବାକୁ ଆହ୍ବାନ ଦେଇଥିଲେ। ଆଇସିସି ଓଡ଼ିଶା ଷ୍ଟେଟ୍ କାଉନ୍ସିଲ୍ର ଇଏସ୍ଏଚ୍ କମିଟି ଆବାହକ ଏନ୍ ଆର୍ ସାହୁ, ଆଇସିସି ଓଡ଼ିଶା କାଉନ୍ସିଲ୍ର ଆଞ୍ଚଳିକ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ପାଲ୍ଙ୍କ ସହ ଅନ୍ୟାନ୍ୟ ସଦସ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ମତପ୍ରକାଶ କରିଥିଲେ।