ଚିନ୍ତା ବଢ଼ାଇଲାଣି ଶିଳ୍ପ ବର୍ଜ୍ୟବସ୍ତୁ : ପ୍ରତିବର୍ଷ ଓଡ଼ିଶାରୁ ବାହାରୁଛି ୫୦ ନିୟୁତ ‌ଟନ୍‌

ପ୍ରତି ଲୋକଙ୍କ ପାଖରୁ ବାହାରୁଛି ଦୁଇ କେଜି, ବ୍ୟବହାର ଉପଯୋଗୀ ହେଉଛି ୮୩% ଫ୍ଲାଏ-ଆସ୍‌

ଭୁବନେଶ୍ବର : ଓଡ଼ିଶାର ଶିଳ୍ପ ସଂସ୍ଥାଗୁଡ଼ିକରୁ ପ୍ରତିବର୍ଷ ୫୦ ନିୟୁତ ଟନ୍‌ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି। ସେଥିମଧ୍ୟରୁ ପ୍ରାୟ ୩୨ ନିୟୁତ ଟନ୍‌ କେବଳ ଫ୍ଲାଏ-ଆସ୍‌, ଯାହାକି ଚିନ୍ତାଜନକ। ତାହାକୁ ଦୃଷ୍ଟିରେ ରଖି ବର୍ଜ୍ୟବସ୍ତୁ ପରିଚାଳନା ଦିଗରେ ଓଡ଼ିଶାର ଶିଳ୍ପ ସଂସ୍ଥାଗୁଡ଼ିକୁ ବୈଜ୍ଞାନିକ ପଦ୍ଧତି ଗ୍ରହଣ କରିବାକୁ ପଡ଼ିବ ବୋଲି ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ(ଆଇସିସି) ପକ୍ଷରୁ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ଆୟୋଜିତ ଶିଳ୍ପ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀରେ ଯୋଗଦେଇ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି ଯେ ଓଡ଼ିଶାର ପ୍ରତି ଲୋକଙ୍କ ପାଖରୁ ଦିନକୁ ଦୁଇ କେଜି ବର୍ଜ୍ୟବସ୍ତୁ ବାହାରୁଛି। ଅର୍ଥାତ୍‌ ଜଣେ ବ୍ୟକ୍ତି ମାସକୁ ସର୍ବନିମ୍ନ ୬୦ କେଜି ବର୍ଜ୍ୟ ସୃଷ୍ଟି କରୁଛନ୍ତି। ସେହି ଅନୁଯାୟୀ ଦେଖିଲେ, ରାଜ୍ୟରେ ୪ କୋଟିରୁ ଅଧିକ ଲୋକ ବାସ କରୁଛନ୍ତି। ତେଣୁ ପ୍ରତି ଘରୁ ବର୍ଷକୁ କେ‌ତେ ପରିମାଣର ବର୍ଜ୍ୟ ବାହାରୁଥିବ, ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଏହାବ୍ୟତୀତ ରାଜ୍ୟରେ ଅନେକ ଶିଳ୍ପ ସଂସ୍ଥା ରହିଛନ୍ତି, ଯେଉଁମାନେ ବର୍ଷକୁ ପ୍ରଚୁର ପରିମାଣର ବର୍ଜ୍ୟ ସୃଷ୍ଟି କରୁଛନ୍ତି। ବିଶ୍ବରେ ଭୁଟାନ୍‌ ଏକମାତ୍ର ଦେଶ, ଯିଏ କମ୍‌ ପରିମାଣ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଛାଡ଼ୁଛି ଓ ଅଧିକ ଅମ୍ଳଜାନ ସୃଷ୍ଟି କରୁଛି। ପଡ଼ୋଶୀ ଦେଶ ଚୀନ୍‌ ମଧ୍ୟ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ବହୁ ଆଗରେ ରହିଛି। ଏହି ଦେଶଗୁଡ଼ିକଠାରୁ ବହୁତ କିଛି ଶିଖିବାର ଅଛି। ଆମ ଶିଳ୍ପ ସଂସ୍ଥାଗୁଡ଼ିକୁ ଏଥିପାଇଁ ଆଗେଇ ଆସିବାକୁ ପଡ଼ିବ। ବର୍ଜ୍ୟ ପରିଚାଳନା ଲାଗି ପ୍ରଯୁକ୍ତି ଆଣିବା ଦିଗରେ ବିପୁଳ ପରିମାଣର ନିବେଶ କରିବାକୁ ହେବ। ଭବିଷ୍ୟତ ପିଢ଼ିଙ୍କୁ ଏକ ସବୁଜ ଓ ସ୍ବଚ୍ଛ ପରିବେଶ ପ୍ରଦାନ କରିବାକୁ ହେଲେ ଏକଜୁଟ ହୋଇ ବର୍ଜ୍ୟ ସମସ୍ୟାର ସମାଧାନ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଚିବ ଦେବୀଦତ୍ତ ବିଶ୍ବାଳ ଯୋଗଦେଇ କହିଲେ, ପ୍ରତିବର୍ଷ ବାହାରୁଥିବା ୩୨ ନିୟୁତ ଟନ୍‌ ଫ୍ଲାଏ-ଆସ୍‌କୁ ବିଭିନ୍ନ ପ୍ରକଳ୍ପରେ ବ୍ୟବହାର କରାଯାଉଛି। ବର୍ତମାନ ସୁଦ୍ଧା ୮୩ ପ୍ରତିଶତ ଫ୍ଲାଏ-ଆସ୍‌କୁ ବ୍ୟବହାର କରାଯାଇପାରୁଛି। ନାଲ୍‌କୋ ପକ୍ଷରୁ ଭରତପୁର ଖଣିକୁ ପୂରଣ କରିବା ଲାଗି ଏକ ସ୍ଲରି ପାଇପ୍‌ ଲାଇନ୍‌ ନିର୍ମାଣ କରାଯାଉଛି। ସେହି ପ୍ରକଳ୍ପ କାମ ଶେଷ ହେବା ପରେ ଫ୍ଲାଏ-ଆସ୍‌ ବ୍ୟବହାରର ମାତ୍ରା ୯୦%ରୁ ଅଧିକ ହୋଇଯିବ। ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ଫ୍ଲାଏ-ଆସ୍‌କୁ ଶହେ ପ୍ରତିଶତ ବ୍ୟବହାର କରିବା ଉପରେ ଗୁରୁତ୍ବ ଦେଉଛୁ। ଏଥିସହ‌ ରେଡ୍‌ମେଡ୍‌ରୁ ଖଣିଜ ଉପାଦାନ ବାହାର କରିବା, ରିଫ୍ରାକ୍ଟରିଜ୍‌କୁ ବ୍ୟବହାର ଉପଯୋଗୀ କରିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ପରିବେଶ ଇଞ୍ଜିନିୟର ଏନ୍‌.ଆର ସାହୁ, ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ସଦସ୍ୟ ସନ୍ତୋଷ ମହାପାତ୍ର ଓ ଜେଏସ୍‌ଏଲ୍‌ର ଚିଫ୍‌ ରେସିଡେଣ୍ଟ ରି‌‌ପ୍ରେଜେଣ୍ଟେଟିଭ୍‌ ଏସ୍‌.ଏସ୍‌ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର