ଫୁଲନଖରା : ପରିବେଶର ସନ୍ତୁଳନ କ୍ଷେତ୍ରରେ ନଦୀର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଦେଶର ଅନ୍ୟ ସମସ୍ୟା ଭଳି ଏହି ସମସ୍ୟା ଏବେ ଜନଜୀବନକୁ ପ୍ରଭାବିତ କରୁଛି। ବର୍ତ୍ତମାନ ସମୟରେ ଏହାକୁ ପ୍ରମୁଖ ପ୍ରସଙ୍ଗ କରିବାର ଆବଶ୍ୟକତା ରହିଛି। ନଦୀ ସୁରକ୍ଷା ସଂକ୍ରାନ୍ତ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ଏହା କହିଛନ୍ତି ‘ଜଳପୁରୁଷ’ ଡକ୍ଟର ରାଜେନ୍ଦ୍ର ସିଂହ।
ମହାନଦୀ ବଞ୍ଚାଅ ଆନ୍ଦୋଳନ ଏବଂ ଓଡ଼ିଶା ନଦୀ ସୁରକ୍ଷା ସମିତିର ମିଳିତ ସହଯୋଗରେ କୁରାଙ୍ଗଶାସନସ୍ଥ ହୋଟେଲ ଆମ୍ରପଲ୍ଲୀ ରିସର୍ଟ୍ସ ସଭାଗୃହରେ ଏହି ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବାସହିତ ନଦୀକୁ ଜୀବନ ସତ୍ତା ଭାବେ ବିବେଚନା କରିବା ଉଚିତ ବୋଲି କହିଥିଲେ। ଏହି ସମ୍ମିଳନୀରେ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଇଂ.ରମେଶଚନ୍ଦ୍ର ତ୍ରିପାଠୀ ଓ ଓଡ଼ିଶା ନଦୀ ସୁରକ୍ଷା ସମିତି ଅଧ୍ୟକ୍ଷ ଅଶ୍ବିନୀ ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଥିଲେ, ନଦୀ ବଞ୍ଚିଲେ ଆମେ ବଞ୍ଚିବା। ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଅଭିବୃଦ୍ଧି ପାଇଁ ନଦୀର ସୁରକ୍ଷା ଜରୁରୀ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହଂସନାଥ ସାହୁ, ଆଇନଜୀବୀ କବିନାରାୟଣ ଜେନା, ଅଧ୍ୟାପକ ଚିନ୍ମୟ ଦାସ, ବିଷ୍ଣୁପ୍ରିୟା ସ୍ବାଇଁ, ଗଦାଧର ପ୍ରଧାନ, ସୁବୋଧ ପ୍ରଧାନ, ଅକ୍ଷୟ ଜେନା, ନରେନ୍ଦ୍ର ଚୋକ, ବାସୁଦେବ ଭଟ୍ଟ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଡକ୍ଟର ବିନାୟକ ରଥଙ୍କଦ୍ବାରା ଲିଖିତ ଏକ ପୁସ୍ତକ ଉନ୍ମୋଚନ ହୋଇଥିଲା।
ଆଜିଠାରୁ ମହାନଦୀର ସୁରକ୍ଷା ସଂପର୍କରେ ସଚେତନତା ସୃଷ୍ଟିପାଇଁ ଏକ ପଦଯାତ୍ରୀ ଦଳ କଟକରୁ ବାହାରି ଛତିଶଗଡ଼ର କଲମା ପର୍ଯ୍ୟନ୍ତ ଯିବେ ବୋଲି ସ୍ଥିର ହୋଇଛି। ବିଜୟ ପ୍ରଧାନ, ପ୍ରସନ୍ନ ବିଶୋଇ, ଉମାକାନ୍ତ କର, ଅନୁପ ସାସମଲ, କଳ୍ପତରୁ ଖୁଣ୍ଟିଆ, ପ୍ରଭାସିନୀ ରାଉତ ଓ ଦିଲୀପ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ କୈଳାସଚନ୍ଦ୍ର ପାତ୍ର, ଅରୁଣ ସାହୁ, ବିପିନ ବେହେରା, ଚନ୍ଦ୍ରମଣି ପ୍ରଧାନ ଓ କୈଳାସଚନ୍ଦ୍ର ସାହୁ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/nadi.jpg)