ଜଳବାୟୁ ପରିବର୍ତ୍ତନ ସହିତ ଉପକୂଳ କ୍ଷେତ୍ରରେ ରହୁଥିବା ସମୁଦାୟଙ୍କୁ ଅଧିକ ସହନଶୀଳ କରିବାର ଆବଶ୍ୟକତା ରହିଛି: କେନ୍ଦ୍ରମନ୍ତ୍ରୀ
ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀ ଉଦ୍ଘାଟିତ
ଭୁବନେଶ୍ବର: ଭାରତର ବିସ୍ତିର୍ଣ୍ଣ ଉପକୂଳର ବ୍ୟାପକ ରଣନୈତିକ, ଆର୍ଥିକ ଏବଂ ସାମାଜିକ ଗୁରୁତ୍ବ ରହିଛି । ୭,୫୦୦ କିଲୋମିଟର ଲମ୍ବ ଏହି ଉପକୂଳ ବିଶ୍ବରେ ସପ୍ତମ ବୃହତ୍ତମ। ଏହି କ୍ଷେତ୍ରରେ ଦେଶର ୨୦ ପ୍ରତିଶତ ଜନସଂଖ୍ୟା ରହୁଛନ୍ତି । ‘ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀ’କୁ ଉଦଘାଟନ କରି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଆଜି ଏହା କହିଛନ୍ତି। ଭୁବନେଶ୍ବର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଯାଦବ କହିଛନ୍ତି ଯେ, ଆମର ଉପକୂଳ କ୍ଷେତ୍ରରେ ଏକ ବ୍ୟାପକ ବିବିଧ ପରିବେଶ ପରିତନ୍ତ୍ର ରହିଛି ଏବଂ ଏଠାରେ ୧୭ ହଜାରରୁ ଅଧିକ ପ୍ରାଣୀ ଏବଂ ଉଦ୍ଭିଦ ବସବାସ କରିଥାନ୍ତି । ଜଳବାୟୁ ପରିବର୍ତ୍ତନ ସହିତ, ଆମେ ଉପକୂଳ କ୍ଷେତ୍ରରେ ରହୁଥିବା ସମୁଦାୟଙ୍କୁ ଅଧିକ ସହନଶୀଳ କରିବାର ଆବଶ୍ୟକତା ରହିଛି । ଭାରତ ନିଜର ସଂଶୋଧିତ ଏନଡିସି ଦାଖଲ କରିବା ଏବଂ ଏହିସବୁ ଲକ୍ଷ୍ୟ ହାସଲ ପାଇଁ ବହୁମୁଖି ସହଭାଗିତା ସୃଷ୍ଟି କରିବାକୁ ଚାହୁଁଥିବା ସମୟରେ ଏହି ସମ୍ମିଳନୀ ଆୟୋଜନ କରାଯିବା ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀ ଯାଦବ କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ‘ସବୁଜ ଜଳବାୟୁ ପାଣ୍ଠି ସହାୟକ ପ୍ରକଳ୍ପ – ଭାରତର ଉପକୂଳ ସମୁଦାୟଙ୍କ ଜଳବାୟୁ ସହନଶୀଳତା ବୃଦ୍ଧି’ ପ୍ରୟାସ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଉପକୂଳ ଏବଂ ସାମୁଦ୍ରିକ ଜୈବ ବିବିଧତା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଉପକୂଳ ପ୍ରଦୂଷଣ ଆଦି ତିନୋଟି ଆନ୍ତଃସଂଯୁକ୍ତ ବିଷୟବସ୍ତୁ ଉପରେ ଆଲୋଚନା କରିବା ଲାଗି ଭାରତର ୧୩ଟି ଉପକୂଳ ରାଜ୍ୟକୁ ଗୋଟିଏ ସ୍ଥାନରେ ଏକତ୍ରିତ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ।
ଏହି ଅବସରରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ଚୌବେ କହିଥିଲେ ଯେ ଦେଶର ଉପକୂଳ କ୍ଷେତ୍ରରେ ସହନଶୀଳତା ଏବଂ ଦୀର୍ଘସ୍ଥାୟୀତ୍ବ ବଢ଼ାଇବା ଲାଗି ବିଚାରବିମର୍ଶ କରିବା ନିମନ୍ତେ ଏଭଳି ସମ୍ମିଳନୀ ଆୟୋଜନ ବିଶେଷ ଗୁରୁତ୍ବପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାଇଫ ଅଭିଯାନରେ ମଧ୍ୟ ଏହାର ପରିକଳ୍ପନା କରାଯାଇଛି।
ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନାକୁ ବର୍ତ୍ତମାନ ସମୟର ଆବଶ୍ୟକତା ଭାବେ ବିବେଚନା କରାଯାଇଥାଏ। ଡାଟା ଆଧାରିତ ନୀତି ଏବଂ ପରିଚାଳନା ବ୍ୟବସ୍ଥା, ଅଂଶଗ୍ରହଣକାରୀ ସଂରକ୍ଷଣ ମଡେଲ ଏବଂ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ବୟ ପ୍ରଭାବୀ ଉପକୂଳ ପରିଚାଳନାର ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ।
ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁରେ ୟୁଏନଡିପି ସହାୟତାରେ ଉପକୂଳ ସମୁଦାୟଙ୍କ ଜଳବାୟୁ ସହନଶୀଳତା ବଢ଼ାଇବା ପାଇଁ ଏକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ଗ୍ରୀନ କ୍ଲାଇମେଟ୍ ଫଣ୍ଡ (ଜିସିଏଫ) ସହାୟତାରେ ଉପକୂଳ ପରିଚାଳନା ଏବଂ ଯୋଜନା ପ୍ରସ୍ତୁତିରେ ପରିବେଶ ପରିତନ୍ତ୍ର ଏବଂ ସମୁଦାୟ ଆଧାରିତ ଆଭିମୁଖ୍ୟକୁ ଏକୀକରଣ କରିବା ଲାଗି ଏଥିରେ ପ୍ରୟାସ କରାଯାଉଛି।