ଭୁବନେଶ୍ବର: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ ସମ୍ବନ୍ଧିତ ସଂସଦୀୟ, ବିଭିନ୍ନ ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା କମିଟିର ଅଧ୍ୟକ୍ଷ ଓ ସଦସ୍ୟଙ୍କ ଜାତୀୟ ସମ୍ମିଳନୀ ଆଜି ଉଦ୍‌ଘାଟିତ ହୋଇଛି। ଲୋକସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ଆୟୋଜିତ ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ବାଚସ୍ପତି କହିଥିଲେ, ଦେଶରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଯାହା ବି ଉନ୍ନତି ହୋଇଛି ତାହା ଏହି କମିଟିର ପ୍ରସ୍ତାବ, ଅନୁଶୀଳନ ଓ ତଦାରଖ ଯୋଗୁ ସମ୍ଭବ ହୋଇଛି। ବର୍ତ୍ତମାନର ବଦଳୁଥିବା ପରିସ୍ଥିତିକୁ ଲକ୍ଷ୍ୟ ରଖି ଏହି ସମ୍ମିଳନୀରେ ଯାହା ପ୍ରସ୍ତାବ ପାରିତ ହେବ, ତାହାକୁ କାର୍ଯ୍ୟକାରୀ କରାଯିବ। ଫଳରେ ଦେଶରେ ଏକ ସମତାଭିତ୍ତିକ ସମାଜ ଗଠନ ପାଇଁ ଯେଉଁ ଲକ୍ଷ୍ୟ ଅଛି ତାହା ପୂରଣ ହୋଇପାରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ, ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀ ଓଡ଼ିଶାରେ ଆୟୋଜିତ ହେବା ଫଳରେ ଜାତୀୟସ୍ତରରେ ଓଡ଼ିଶାର ଗୁରୁତ୍ୱ ବଢ଼ୁଛି। ଭୁବନେଶ୍ୱରର ଏହି ସମ୍ମିଳନୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ଏକ ସମୃଦ୍ଧ ଭବିଷ୍ୟତର ରାସ୍ତା ନିର୍ମାଣ କରିବ। ଓଡ଼ିଶାର ୪୦% ଜନସାଧାରଣ ଦଳିତ ଓ ଜନଜାତି ବର୍ଗର। ବିକାଶ ସହିତ ଆଦିବାସୀ ସଂସ୍କୃତିର ସୁରକ୍ଷା ପାଇଁ ରାଜ୍ୟ ସରକାର ଆଦିବାସୀ ସଂସ୍କୃତି ଓ ଐତିହ୍ୟ ଭବନ, ଆଦିବାସୀ ଭାଷା ପ୍ରତିଷ୍ଠାନ ମଧ୍ୟ ନିର୍ମାଣ କରୁଛନ୍ତି। ଜନଜାତି ଭାଷାରେ ପାଠ ପଢ଼ାଇବା ପାଇଁ ପଦକ୍ଷେପ ନିଆଯାଇଛି। ଏହି ବର୍ଗର ଲୋକ ମୁଖ୍ୟସ୍ରୋତରେ ସାମିଲ ହୋଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଲେ, ‘ପିଏମ୍‌ ଜନମନ’ ଓ ‘ଧରତୀଆବା’ ଗ୍ରାମ ଉତ୍କର୍ଷ ଯୋଜନାରେ ବିଭିନ୍ନ ଆଦିବାସୀ ଗୋଷ୍ଠୀଗୁଡ଼ିକୁ ଫୋକସ୍‌ କରାଯାଇଛି। ଏହି ଦୁଇଟି କାର୍ଯ୍ୟକ୍ରମରେ ୫କୋଟି ଆଦିବାସୀ ସିଧାସଳଖ ଲାଭ ପାଇବେ।

Advertisment

ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ

ସମ୍ମିଳନୀ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଏକ ‘ସମୃଦ୍ଧ ଭବିଷ୍ୟତର ରାସ୍ତା’ ନିର୍ମାଣ କରିବ: ମୁଖ୍ୟମନ୍ତ୍ରୀ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ବିଗତ କିଛି ବର୍ଷରେ ଏସ୍‌ସିଏସ୍‌ଟି ଶିକ୍ଷାର୍ଥୀଙ୍କ ସଂଖ୍ୟା ୪୬ରୁ ୬୬ଲକ୍ଷ ପର୍ଯ୍ୟନ୍ତ ବଢ଼ିଛି। ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜାତିର ମହିଳାଙ୍କ ନାମଲେଖା ୫୧% ବୃଦ୍ଧି ହୋଇଛି। ସମାଜରେ ବଞ୍ଚିତ ବର୍ଗ ଆଗକୁ ଆସିଲେ ହିଁ ଦେଶ ଓ ରାଜ୍ୟର ଉନ୍ନତି ହେବ। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ କହିଲେ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ପାଇଁ ବିଗତ ୧୦ ବର୍ଷରେ ବଜେଟ୍‌ ୪ଗୁଣା ବଢ଼ିଛି। ଏଥିରେ ଆଦିବାସୀଙ୍କ ଉନ୍ନତି ପରିଣାମରେ ନକ୍ସଲବାଦ ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରିଛି। ତେବେ କେବଳ ସଂରକ୍ଷଣ ପାଇଁ ଚିନ୍ତା ନ କରି ଏହି କମିଟି ସାମାଜିକ ସମାନତା ପାଇଁ କାମ କରୁ। ଲୋକସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟି ଅଧ୍ୟକ୍ଷ ଫଗନ ସିଂହ କୁଲସ୍ତେ କହିଲେ, ଅନୁସୂଚିତ ଜାତି ଓ ଜନଜାତି କେବଳ ଯୋଜନାର ଲାଭ ପାଇବା ପାଇଁ ନୁହେଁ, ବରଂ ଦେଶର ପ୍ରତିଷ୍ଠାକୁ ଉଜ୍ଜ୍ୱଳ କରିବା ଓ ଦେଶକୁ ବିକାଶର ମାର୍ଗରେ ନେବା ପାଇଁ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରନ୍ତୁ। ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ କହିଥିଲେ, ବିଧାନସଭାର ପ୍ରତ୍ୟେକ ବିଧାୟକଙ୍କ କାର୍ଯ୍ୟ ହେଉଛି ସରକାରଙ୍କ ପାଇଁ ନୀତି ନିର୍ଦ୍ଧାରଣ କରିବା। ସେହି ନୀତିକୁ ଦୁର୍ଗମ ଅଞ୍ଚଳର ଶେଷ ଲୋକଙ୍କ ନିକଟରେ ପହଞ୍ଚାଇବା ହେଉଛି ସମସ୍ତଙ୍କର ଦାୟିତ୍ୱ। ଶେଷରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଧନ୍ୟବାଦ ଦେଇଥିଲେ।