ଭୁବନେଶ୍ବର : ରାଜ୍ୟସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ଆଜି ଜୟଦେବ ଭବନରେ ପାଳିତ ହୋଇଯାଇଛି। ଏଥିରେ ଅତିଥିଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ବୀର ବିକ୍ରମ ଯାଦବ କହିଲେ, ଉପଭୋକ୍ତା ହେଉଛନ୍ତି ରାଜା। ଉପଭୋକ୍ତା ଯେଉଁ ଟଙ୍କା ଦେଇ ଜିନିଷ କିଣିଥାଏ ତାହାକୁ ଉଚିତ୍ ମୂଲ୍ୟ ମିଳିବା ଆବଶ୍ୟକ। ତେଣୁ ଉପଭୋକ୍ତା ଯେପରି ଠକାମିର ଶିକାର ନ ହୁଏ ସେଥିପାଇଁ ନିଜର ଅଧିକାର ବିଷୟରେ ଜାଣିବା ଉଚିତ୍। ଏଥିପାଇଁ ଜିଲ୍ଲାସ୍ତରରେ ବିବାଦର ସମାଧାନ ଫୋରମ ଗଠନ କରାଯାଇଛି। ଏହାସହ ରାଜ୍ୟସ୍ତରରେ ମଧ୍ୟ ଏକ ଫୋରମ୍ କାର୍ଯ୍ୟ କରୁଛି। ଉପଭୋକ୍ତା ବିବାଦର ସମାଧାନ ଦିଗରେ ରାଜ୍ୟର ସଫଳତା ଉଲ୍ଲେଖନୀୟ ନ ହେଲେ ମଧ୍ୟ ଖରାପ ନୁହେଁ। ରାଜ୍ୟ ଉପଭୋକ୍ତା ସଚତେନତା ପ୍ରତିଷ୍ଠାନ ବା ଏସ୍ଆଇସିଏକୁ ସଚେତନତା ପାଇଁ ନୋଡାଲ ଏଜେନ୍ସି ଭାବେ କାମ କରିବ। ଏହାସହ କାଉନସେଲିଂ ସେଣ୍ଟର ଓ ଖାଲି ପଡ଼ିଥିବା ସ୍ଥାନରେ ପଦବି ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। ଏଥିପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଖୁବଶୀଘ୍ର ଖାଲି ପଡ଼ିଥିବା ପଦବି ପୂରଣ ହେବ ବୋଲି ଶ୍ରୀ ଯାଦବ ସୂଚନା ଦେଇଥିଲେ।
ଏହି ଅବସରରେ ଉପଭୋକ୍ତା ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ଖାଉଟି ବ୍ୟାପାରର ନିର୍ଦେଶକ ଜ୍ୟୋତି କୁମାର ଲକ୍ଡ଼ା କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିବା ବେଳେ ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦେଶକ ସରୋଜ କୁମାର ସାମଲ ଧନ୍ୟବାଦ ଦେଇଥିଲେ। ପରେ ବିଭାଗ ପକ୍ଷରୁ ଉପଭୋକ୍ତାଙ୍କ ସଚେତନତା ପାଇଁ ଏକ କ୍ଷୁଦ୍ର ନାଟକ ‘ସଚେତନ ଗ୍ରାହକ’ ମଞ୍ଚସ୍ଥ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/consumer.jpg)