ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ: ପ୍ରେମଜନିତ ଆତ୍ମହତ୍ୟାରେ ଓଡ଼ିଶା ୬ ନମ୍ବର,ଯୁବତୀଙ୍କଠାରୁ ଅଧିକ ଯୁବକ ଆତ୍ମହତ୍ୟା କରିଛନ୍ତି

ଭୁବନେଶ୍ୱର: ପ୍ରେମ ପାଇଁ ଚାଲି ଯାଉଛି ଜୀବନ। କିଏ ବେକରେ ଓଢ଼ଣୀ ଲଗାଇ ଝୁଲି ପଡ଼ିଲାଣି ତ ଆଉ କିଏ ଟ୍ରେନ୍‌ ଚକା ତଳେ ବେକ ଦେଖାଇ ଦେଲାଣି। ଏପରିକି ବେଳେବେଳେ ପ୍ରେମିକ, ପ୍ରେମିକା ଦୁହେଁ ମିଶି ଆତ୍ମହତ୍ୟା କରୁଛନ୍ତି। ପ୍ରତାରଣା, ଧୋକା ମଧ୍ୟ ଏସବୁର କାରଣ। ଏଭଳି ତଥ୍ୟ ଉପସ୍ଥାପନ କରିଛି ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)। ରିପୋର୍ଟ ଅନୁଯାୟୀ, ପ୍ରେମ ଜନିତ ଆତ୍ମହତ୍ୟାରେ ଓଡ଼ିଶାର ସ୍ଥାନ ୬ ନମ୍ବରରେ। ପ୍ରଥମ ସ୍ଥାନରେ ପଶ୍ଚିମବଙ୍ଗ ରହିଥିବାବେଳେ ଦ୍ୱିତୀୟରେ ତାମିଲନାଡୁ, ତା’ ପଛକୁ ମଧ୍ୟପ୍ରଦେଶ, ଗୁଜୁରାଟ ଓ ପଞ୍ଚମରେ ମହାରାଷ୍ଟ୍ର ରହିଛି।

Photo Credit: IANS

ରିପୋର୍ଟ ଅନୁଯାୟୀ, ୨୦୧୬ ମସିହାରେ ଦେଶରେ ପ୍ରେମରେ ଅସଫଳ ହୋଇ ୪୫୭୯ଜଣ ଆତ୍ମହତ୍ୟା କରିଥିଲେ। ସେଥିମଧ୍ୟରୁ ୨୧୩୯ଜଣ ଯୁବତୀ ଥିବା ବେଳେ ଯୁବକଙ୍କ ସଂଖ୍ୟା ଥିଲା ୨୪୪୦। ଏଥି ମଧ୍ୟରୁ ଆମ ରାଜ୍ୟରେ ପ୍ରେମରେ ପ୍ରତାରଣା ଯୋଗୁଁ ୩୪୧ଜଣ ଆତ୍ମହତ୍ୟା କରିଥିଲେ। ସେଥିମଧ୍ୟରୁ ୧୪୪ଜଣ ଯୁବତୀ ଓ ୧୯୭ଜଣ ଯୁବକ ଥିଲେ। ୨୦୧୭ ମସିହାରେ ସାରା ଦେଶରେ ପ୍ରେମ ଜନିତ ଆତ୍ମହତ୍ୟା ସଂଖ୍ୟା ୪୭୮୨ ଥିଲା। ସେଥିମଧ୍ୟରୁ ୨୨୪୫ଜଣ ଯୁବତୀ ଥିବା ବେଳେ ୨୫୩୭ଜଣ ଯୁବକ ଥିଲେ। ସେହିପରି ରାଜ୍ୟରେ ସମୁଦାୟ ୩୮୯ଜଣ ଆତ୍ମହତ୍ୟା କରିଥିଲେ। ଏଥିମଧ୍ୟରୁ ୧୭୪ଜଣ ଯୁବତୀ ଥିବା ବେଳେ ୨୧୫ଜଣ ଯୁବକ ଥିଲେ। ତେବେ ରାଜ୍ୟରେ ଅଧିକାଂଶ ପ୍ରେମ ଜନିତ ଆତ୍ମହତ୍ୟା ମାମଲା ଖୋର୍ଧା, ବାଲେଶ୍ୱର ଓ କେନ୍ଦ୍ରାପଡ଼ା‌ରେ ରୁଜୁ ହୋଇଛି। ସେହିପରି ଅନୈତିକ ସମ୍ପର୍କ ଜନିତ ଆତ୍ମହତ୍ୟା ମାମଲାରେ ଓଡ଼ିଶାର ସ୍ଥାନ ନବମରେ ରହିଛି। ବିବାହ ପରେ ପର ପୁରୁଷ କିମ୍ବା ମହିଳାଙ୍କ ସହ ସମ୍ପର୍କ, ଏହାକୁ ନେଇ ପାଟିତୁଣ୍ଡ ଓ ପରେ ଆତ୍ମହତ୍ୟା ଭଳି ଘଟଣା ମଧ୍ୟ ସାରା ଦେଶରେ ବଢ଼ି ବଢ଼ି ଚାଲିଛି। ଦେଶରେ ୨୦୧୬ ମସିହାରେ ୯୮୩ଜଣ ଏହି କାରଣରୁ ଆତ୍ମହତ୍ୟା କରିଥିଲେ। ସେଥିମଧ୍ୟରୁ ୫୫୮ଜଣ ପୁରୁଷ ଥିବା ବେଳେ ୪୨୫ଜଣ ମହିଳା ଥିଲେ। ଏହି ସମୟରେ ଓଡ଼ିଶାରେ ୩୯ଜଣ ଆତ୍ମହତ୍ୟା କରିଥିଲେ। ଯେଉଁଥିରେ ପୁରୁଷଙ୍କ ସଂଖ୍ୟା ୧୧ ଥିବା ବେଳେ ମହିଳାଙ୍କ ସଂଖ୍ୟା ୨୮। ୨୦୧୭ ମସିହାରେ ସାରା ଦେଶରେ ୧୦୬୪ଜଣ ଏହି କାରଣରୁ ଆତ୍ମହତ୍ୟା କରିଥିବା ବେଳେ ଓଡ଼ିଶାରେ ୪୨ଜଣ ଆତ୍ମହତ୍ୟା କରିଥିଲେ। ଏଥିରେ ପୁରୁଷଙ୍କ ସଂଖ୍ୟା ୧୬ ଥିବା ବେଳେ ମହିଳାଙ୍କ ସଂଖ୍ୟା ଥିଲା ୨୬। ଯାହା କି ଅତ୍ୟନ୍ତ ଚିନ୍ତାର ବିଷୟ।

ଏ ସମ୍ପର୍କରେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ ମହାପାତ୍ର କହିଛନ୍ତି, ପ୍ରେମର ମୂଲ୍ୟ ବୁଝି ନ ପାରି ଅନେକ ପ୍ରେମ କରି ବସୁଛନ୍ତି। ସବୁ ଜାଗାରେ ପ୍ରେମ ମଧ୍ୟ ଗ୍ରହଣୀୟ ହେଉନାହିଁ। କେହି ଯୁବକ ରୋଜଗାରକ୍ଷମ ନ ଥିବା ବେଳେ ଆଉ କାହାର ଜାତି ଓ ଆର୍ଥିକ କ୍ଷେତ୍ର‌ରେ ଅସମାନତା ରହୁଛି। ଏହା ଭିତରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସୃଷ୍ଟି ହୋଇ ଯାଉଛି। ପରବର୍ତୀ ସମୟରେ ନିରାଶ ହୋଇ ଆତ୍ମହତ୍ୟା ଭଳି ପନ୍ଥାକୁ ଆପଣାଇ ନେଉଛନ୍ତି। ଏଭଳି ଆତ୍ମହତ୍ୟା ବୃଦ୍ଧି ପାଇବା ସମ୍ପର୍କରେ ଉତ୍କଳ ବିଶ୍ବବିଦ୍ୟାଳୟ ମନସ୍ତତ୍ତ୍ବ ବିଭାଗ ପ୍ରଫେସର୍‌ ଭାସ୍ବତୀ ପଟ୍ଟନାୟକ କହିଛନ୍ତି, ପ୍ରେମରେ ଫାଟ ସୃଷ୍ଟି ହେଲେ ଯୁବକ/ଯୁବତୀ ଅସହାୟ ହୋଇପଡ଼ୁଛନ୍ତି। ନିଜ ଦୁଃଖ ମଧ୍ୟ କାହା ନିକଟରେ ପ୍ରକାଶ କରି ପାରୁନାହାନ୍ତି। ତେଣୁ ଆତ୍ମହତ୍ୟାକୁ ବାଛି ନେଉଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୧୬ ମସିହାରେ ପ୍ରେମ ଜନିତ କାରଣରୁ ପଶ୍ଚିମବଙ୍ଗରେ ୭୪୮ଜଣ ଆତ୍ମହତ୍ୟା କରିଥିବା ବେଳେ ତାମିଲନାଡୁରେ ୫୪୦ଜଣ, ମଧ୍ୟପ୍ରଦେଶରେ ୩୭୭, ଗୁଜୁରାଟରେ ୩୬୪, ମହାରାଷ୍ଟ୍ରରେ ୩୫୬ ଜଣ ଆତ୍ମହତ୍ୟା କରିଥିଲେ। ସେହିପରି ଅନୈତିକ ସମ୍ପର୍କ ରଖି ପରେ ଆତ୍ମହତ୍ୟା କରିଥିବା ରାଜ୍ୟମାନଙ୍କ ମଧ୍ୟରେ ସବୁଠାରେ ଆଗରେ ରହିଛି ମଧ୍ୟପ୍ରଦେଶ। ୨୦୧୬ ମସିହାରେ ମଧ୍ୟପ୍ରଦେଶରେ ୧୬୩ ଜଣ ଆତ୍ମହତ୍ୟା କରିଥିଲେ। ଏହା ପଛକୁ ପଶ୍ଚିମବଙ୍ଗ (୧୨୦) ଓ ତୃତୀୟ ସ୍ଥାନରେ ତାମିଲନାଡୁ(୧୧୯) ରହିଛି। ଏହା ପଛକୁ ଆସାମରେ ୮୨ଜଣ, ମହାରାଷ୍ଟ୍ରରେ ୬୯ଜଣ, କେରଳରେ ୫୮ଜଣ, ତେଲେଙ୍ଗାନାରେ ୫୪ଜଣ, କର୍ଣ୍ଣାଟକରେ ୪୪ଜଣ ଆତ୍ମହତ୍ୟା କରିଛନ୍ତି। ସମାଜରେ ଆଧୁନିକତା ଯେତିକି ବଢ଼ୁଛି, ସେହି ତୁଳନାରେ ଦେଶ ଓ ରାଜ୍ୟରେ ପ୍ରେମ ଓ ଅନୈତିକ ସମ୍ପର୍କ ଜନିତ ଆତ୍ମହତ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଥିବା ସ୍ପଷ୍ଟ ହୋଇଯାଇଛି। ଯାହାକି ସାରା ଦେଶ ପାଇଁ ଚିନ୍ତାର ବିଷୟ।

ସମ୍ବନ୍ଧିତ ଖବର