୧୨ରେ ଜାତୀୟ କୃମିନାଶକ ଦିବସ

ଭୁବନେଶ୍ବର : ଆସନ୍ତା ୧୨ତାରିଖ ହେଉଛି ଜାତୀୟ କୃମିନାଶକ ଦିବସ। ଏହିଦିନ ୧-୧୯ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ କୃମି ନାଶକ ଔଷଧ ଖାଇବାକୁ ଦିଆଯିବ। ରାଜ୍ୟରେ ୧କୋଟି ୬୮ଲକ୍ଷ ୩୧ହଜାର ୬୭୯ଜଣ ହିତାଧିକାରୀଙ୍କୁ ଏହି ଔଷଧ ପ୍ରଦାନ କରାଯିବାର ଲକ୍ଷ୍ୟ ରହିଛି। ତେବେ ଯେଉଁମାନେ ୧୨ତାରିଖରେ କୌଣସି କାରଣ ପାଇଁ ଔଷଧ ଖାଇପାରି ନ ଥିବେ ସେମାନେ ୧୯ତାରିଖରେ ଏହି ଔଷଧ ଖାଇପାରିବେ।

ମିଳିଥିବା ସୂଚନା ଅନୁସାରେ, କୃମି ନାଶକ ଔଷଧ ବିତରଣରେ ୫୫ହଜାର ୫ଶହ ସ୍କୁଲକୁ ସାମିଲ କରାଯାଇଛି। ଏଥିରେ ୬୯ହଜାର ଶିକ୍ଷକ, ୭୨ହଜାର ଅଙ୍ଗନବାଡ଼ି କର୍ମୀ, ୪୮ହଜାର ଆଶାକର୍ମୀ, ୭ହଜାର ୮ଶହ ଏଏନ୍‌ଏମ୍‌ କର୍ମୀ ସହଯୋଗ କରିବେ। ଏହାସହ ଅଗଷ୍ଟ ମାସର ବୁଧବାର ଦିନ ଟିକାକରଣ ଦିବସରେ ୯ମାସରୁ ୫ବର୍ଷ ପର୍ଯ୍ୟନ୍ ପିଲାଙ୍କୁ ଭିଟାମିନ୍ ଏ ଦ୍ରବଣ ଖାଇବାକୁ ଦିଆଯାଉଛି। କୋଭିଡ କଟକଣା ସହ ସ୍କୁଲ ଓ ଅଙ୍ଗନବାଡ଼ିରେ ଏହି ଔଷଧ ପିଲାମାନଙ୍କୁ ଦିଆଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର