ଜାତୀୟ କୃମିନାଶକ ଦିବସ : ୯୨ପ୍ରତିଶତ ପିଲା ଖାଇଛନ୍ତି କୃମି ଔଷଧ

ସାମିଲ ହେଲେନି ୩ହଜାର ସରକାରୀ ଓ ୫ଶହ ବେସରକାରୀ ସ୍କୁଲ, ପୂର୍ବବର୍ଷ ତୁଳନାରେ ଅସୁସ୍ଥଙ୍କ ସଂଖ୍ୟା କମିଛି

ଭୁବନେଶ୍ୱର : ରାଜ୍ୟରେ ଗତ ଏପ୍ରିଲ ମାସରେ ହୋଇଥିବା ‘ଜାତୀୟ କୃମିନାଶକ ଦିବସ’ରେ ୯୨.୪୧ପ୍ରତିଶତ ପିଲା କୃମି ଔଷଧ ଖାଇଛନ୍ତି। ଯାହାକି ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ ଅଧିକ। ତେବେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ପାଖାପାଖି ୩ହଜାର ସରକାରୀ ସ୍କୁଲ ଓ ୫ଶହ ବେସରକାରୀ ସ୍କୁଲ ସାମିଲ ହୋଇପାରି ନାହାନ୍ତି। ଯାହାଫଳରେ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ ଜରିଆରେ ଶତ ପ୍ରତିଶତ ଶିଶୁଙ୍କୁ କୃମିନାଶକ ବଟିକା ଦେବାରେ ସଫଳତା ପାଇପାରି ନାହାନ୍ତି।

ଚଳିତବର୍ଷ ହୋଇଥିବା ଜାତୀୟ କୃମିନାଶକ ଦିବସରେ ସରକାରଙ୍କ ପକ୍ଷରୁ ୧କୋଟି ୧ଲକ୍ଷ ୭୩ହଜାର ୪୭ଜଣ ଶିଶୁଙ୍କୁ କୃମିନାଶକ ବଟିକା ଦେବା ପାଇଁ ଟାର୍ଗେଟ ରଖାଯାଇଥିଲା। ତେବେ ୯୪ଲକ୍ଷ ୧ହଜାର ୪୦୮ଜଣ ଶିଶୁ ଏହି ବଟିକା ନେଇଛନ୍ତି। ରାଜ୍ୟର ୨୪ଟି ଜିଲ୍ଲାରେ ୧ବର୍ଷରୁ ୧୯ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଆଲବେଣ୍ଡାଜୋଲ ବଟିକା ଦିଆଯାଇଥିଲା। ଏହାସହ ବଳକା ୬ଟି ଜିଲ୍ଲାରେ ୧ରୁ ୨ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଆଲବେଣ୍ଡାଜୋଲ ବଟିକା ଓ ୨ବର୍ଷରୁ ଅଧିକ ଶିଶୁଙ୍କୁ କୃମି ଔଷଧ ସହିତ ଫାଇଲେରିଆ ବଟିକା ଦିଆଯାଇଥିଲା। ୫୭ହଜାର ୮୧୧ ସରକାରୀ/ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ଏହାକୁ ଦେବାକୁ ସ୍ଥିର ହୋଇଥିଲେ ହେଁ ୫୪ହଜାର ୮୧୫ ସ୍କୁଲରେ ଏହି ବଟିକା ଦିଆଯାଇ ପାରିଛି। ୨୯୯୬ ସରକାରୀ/ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଏଥିରେ ସାମିଲ ହୋଇପାରି ନାହାନ୍ତି। ସେହିପରି ପୂର୍ବରୁ ରାଜ୍ୟର ୪୯୫୧ ବେସରକାରୀ ସ୍କୁଲକୁ ଟାର୍ଗେଟ କରାଯାଇଥିଲେ ହେଁ ୪୪୮୦ ବେସରକାରୀ ସ୍କୁଲରେ ପିଲାମାନଙ୍କୁ ଏହି ଔଷଧ ଦିଆଯିବା ସମ୍ଭବ ହୋଇଛି। ୪୭୧ଟି ଘରୋଇ ସ୍କୁଲ ସାମିଲ ହୋଇନାହାନ୍ତି।

ସେହିପରି ରାଜ୍ୟର ୬୮ହଜାର ୪୩୮ଟି ଅଙ୍ଗନବାଡ଼ି କେନ୍ଦ୍ରରେ କୃମି ଔଷଧ ଦିଆଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ୬୬ହଜାର ୮୬୧ଟି କେନ୍ଦ୍ରରେ ପିଲାଙ୍କୁ ଏହି ଔଷଧ ଦିଆଯାଇଛି। ଏଥିପାଇଁ ୪୪ହଜାର ୭୮୭ଜଣ ଆଶା କର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଥିଲା। ସରକାରୀ ସ୍କୁଲଗୁଡ଼ିକୁ ୫୯ଲକ୍ଷ ୯୦ହଜାର ୮୯ଟି ଆଲବେଣ୍ଡାଜୋଲ ବଟିକା ଦିଆଯାଇଥିବା ବେଳେ ୭ଲକ୍ଷ ୩୩ହଜାର ୯୨୪ଟି ବଟିକା ବଳକା ରହିଛି। ବେସରକାରୀ ସ୍କୁଲକୁ ୧୦ଲକ୍ଷ ୬୯୩ଟି ବଟିକା ଦିଆଯାଇଥିବା ବେଳେ ୧ଲକ୍ଷ ୩୩ହଜାର ୫୬୪ଟି ବଟିକା ବଳି ପଡ଼ିଛି। ଅଙ୍ଗନବାଡ଼ି କେନ୍ଦ୍ରକୁ ଦିଆଯାଇଥିବା ବଟିକାରୁ ୪ଲକ୍ଷ ୧୮ହାଜର ୬ଶହ ବଟିକା ବଳିଥିବା ସୂଚନା ମିଳିଛି।

ଅପରପକ୍ଷରେ ଗତବର୍ଷ ତୁଳନାନରେ ଚଳିତବର୍ଷ ଯଥେଷ୍ଟ କମ୍‌ ସଂଖ୍ୟକ ପିଲା ଆଲବେଣ୍ଡାଜୋଲ ବଟିକା ଖାଇ ଅସୁସ୍ଥ ହୋଇଛନ୍ତି। ଚଳିତବର୍ଷ ମାତ୍ର ୧୩୯ଜଣ ପିଲା ଅସୁସ୍ଥ ହୋଇଥିବା ସରକାରୀଭାବେ ଦର୍ଶାଯାଇଛି। ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶତ ପ୍ରତିଶତ କୃମି ଔଷଧ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ତେବେ ବିଭିନ୍ନ କାରଣରୁ ୯୨ ପ୍ରତିଶତ ପର୍ଯ୍ୟନ୍ତ କୃମି ଔଷଧ ଦିଆଯିବା ସମ୍ଭବ ହୋଇଛି। ଯାହାକି ଦେଶର ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ ଅଧିକ। ରାଜ୍ୟରେ ମାତ୍ର ୯ପ୍ରତିଶତ ବେସରକାରୀ ସ୍କୁଲ ରହିଛନ୍ତି। ସେମାନଙ୍କ ଉପରେ ବିଭାଗର ନିୟନ୍ତ୍ରଣ ନ ଥିବାରୁ ଅନେକ ବେସରକାରୀ ସ୍କୁଲ ଏହାକୁ ପାଳନ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଆଗାମୀ ଦିନରେ ଅଧିକ ସଂଖ୍ୟକ ସ୍କୁଲକୁ ଏଥିରେ ସାମିଲ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର