ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ବର : ରାଜ୍ୟର ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ। ଏହି ଆଶ୍ରୟସ୍ଥଳୀରେ ଶିଶୁ, ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ବ୍ୟବହାର ନିମନ୍ତେ ଆବଶ୍ୟକ ସାମଗ୍ରୀ ମହଜୁଦ ରଖାଯିବ। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ବୈଠକର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଅକ୍ଟୋବର ୨୯ ତାରିଖ ଦିନ ଏହି ଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର ଆୟୋଜନ କରାଯିବ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେବେ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପାଇଁ ରବୀନ୍ଦ୍ର ମଣ୍ଡପ ପରିସରରେ ଓଡ୍ରାଫ୍, ଫାୟାର ସର୍ଭିସ, ଏନ୍‌ଡିଆର୍‌ଏଫ୍, ରେଡକ୍ରସ୍, ସିଭିଲ ଡିଫେନ୍ସଙ୍କ ମିଳିତ ସହଯୋଗରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଏକ ପ୍ରଦର୍ଶନୀ ଏବଂ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯିବ। ଏହାସହିତ ବିପର୍ଯ୍ୟୟ ବେଳେ ଉତ୍ତମ ପ୍ରଦର୍ଶନ କରିଥିବା ସଂସ୍ଥା ତଥା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯିବ।

ଉଲ୍ଲେଖ ଥାଉ କି, ୧୯୯୯ ମସିହା ମହାବାତ୍ୟା ପରେ ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ଼ କରିବା ନିମନ୍ତେ ସଂକଳ୍ପ ନେବା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ତଥା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଭାବେ ପାଳିତ ହୋଇଆସୁଛି। ଏହି ପ୍ରସ୍ତୁତି ବୈଠକରେ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା, ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ରଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର