ଜାତୀୟ ଶିକ୍ଷା ନୀତି ସମ୍ପର୍କରେ କେନ୍ଦ୍ର ଶିକ୍ଷା ସଚିବଙ୍କ ସମୀକ୍ଷା, ଅକ୍ଟୋବର ୫ ସୁଦ୍ଧା ମତାମତ ଦିଅ

୨୦୨୦-୨୧ର ପ୍ରଥମ କିସ୍ତି ଅର୍ଥ ଦେବାକୁ ରାଜ୍ୟର ଅନୁରୋଧ, ଅକ୍ଟୋବର ପହିଲାରୁ ‘ନିଷ୍ଠା’ ତାଲିମ ନେବେ ଶିକ୍ଷକ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ସଚିବ ଅନିତା କରୁଆଲ୍‌ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟର ଶିକ୍ଷା ସଚିବ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ଜାତୀୟ ବିଦ୍ୟାଦାନ କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ କେନ୍ଦ୍ର ଶିକ୍ଷା ସଚିବ ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ଏଥିସହ ଜାତୀୟ ଶିକ୍ଷାନୀତି-୨୦୨୦ର କାର୍ଯ୍ୟକାରିତା ଲାଗି ରାଜ୍ୟ ସରକାର ଟାସ୍କଫୋର୍ସ ଗଠନ କରିଥିବାରୁ ସନ୍ତୋଷ ପ୍ରକାଶ କରିବା ସହ ଅକ୍ଟୋବର ୫ ସୁଦ୍ଧା ଜାତୀୟ ଶିକ୍ଷାନୀତି ପ୍ରଣୟନ ଉପରେ ମତାମତ ଦେବା ପାଇଁ ଅନୁରୋଧ କରିଥିଲେ।

‘ବିଦ୍ୟାଦାନ’ କାର୍ଯ୍ୟକ୍ରମ ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ଇ-ଶିକ୍ଷଣ ଭିଡିଓ ଆହ୍ୱାନ କରାଯାଇଥିଲା। ଏଥିରେ ରାଜ୍ୟର ୧୫୫୩ ଶିକ୍ଷକ ଅଂଶଗ୍ରହଣ କରି ନିଜସ୍ବ ପ୍ରସ୍ତୁତ ଶିକ୍ଷଣ ଭିଡିଓ ‘ବିଦ୍ୟାଦାନ’ ପୋର୍ଟାଲ୍‌ରେ ପ୍ରଦାନ କରିଥିଲେ। ରାଜ୍ୟସ୍ତରରେ ସମୀକ୍ଷା ପରେ ୧୦୦୭ଟି ଭିଡିଓ ଅନୁମୋଦିତ ହୋଇ ‘ଦୀକ୍ଷା’ରେ ସଂଯୋଗ କରାଯାଇଛି। ସମ୍ପ୍ରତି ‘ଦୀକ୍ଷା’ରେ ଶତ ପ୍ରତିଶତ ପାଠ୍ୟପୁସ୍ତକ କ୍ୟୁଆର୍‌ କୋଡ୍‌ ସହ ଉପଲବ୍ଧ ଥିବା ବେଳେ ୮୦%ରୁ ଅଧିକ ଶିକ୍ଷଣ ଭିଡିଓ ଉପଲବ୍ଧ ରହିଛି। ଦୂରଦର୍ଶନ ଓ ରେଡିଓରେ ପ୍ରସାରିତ ଭିଡିଓ, ଅଡିଓ ଶିକ୍ଷଣ ପାଠ୍ୟ ବିଷୟଗୁଡ଼ିକ ‘ଦୀକ୍ଷା’ରେ ଉପଲବ୍ଧ କରାଯାଇଛି। କରୋନା ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଆହ୍ୱାନକ୍ରମେ ‘ଦୀକ୍ଷା’ ଆପ୍‌ର ବ୍ୟବହାର ବହୁ ପରିମାଣରେ ବଢ଼ିଛି। ରାଜ୍ୟ ସରକାରଙ୍କ ଦ୍ୱାରା ‘ସମଗ୍ର ଶିକ୍ଷା’ ଅଂଶ ପ୍ରଦାନ ଓ କେନ୍ଦ୍ର ସରକାରଙ୍କଠାରୁ ମିଳିଥିବା ଅର୍ଥ ବିନିଯୋଗ ପାଇଁ ଓଡ଼ିଶା ପ୍ରଶଂସିତ ହୋଇଥିଲା।

କରୋନା ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ପାଠ୍ୟପୁସ୍ତକ ପହଞ୍ଚାଯିବା, ବିଦ୍ୟାଳୟ ନିରାପତ୍ତା ନିୟମ ୨୦୧୬ ଆଧାରରେ ରାଜ୍ୟ ସରକାର ନିର୍ଦ୍ଧାରିତ ସମୟରେ ସର୍ତ୍ତାବଳୀ ଅନୁପାଳନ କରି ରିପୋର୍ଟ ପ୍ରଦାନ କରିଥିବାରୁ କେନ୍ଦ୍ର ଶିକ୍ଷା ସଚିବ ପ୍ରଶଂସା କରିଥିଲେ। ଅକ୍ଟୋବର ପହିଲାରୁ ରାଜ୍ୟର ସମସ୍ତ ଶିକ୍ଷକ ‘ଦୀକ୍ଷା’ ଆପ୍‌ ମାଧ୍ୟମରେ ‘ନିଷ୍ଠା’ ତାଲିମ ନେବା ପାଇଁ ଓସେପା ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଥିଲେ। ଏଥିସହ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଠିକ୍‌ ସମୟରେ ଅର୍ଥ ବିନିଯୋଗ କରିସାରିଥିବାରୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରଥମ କିସ୍ତି ପ୍ରଦାନ ପାଇଁ କେନ୍ଦ୍ର ସଚିବଙ୍କୁ ଅନୁରୋଧ କରିଥିଲେ। ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର