ସରିଲା ଜାତୀୟ ଶିକ୍ଷା ନୀତି-୨୦୧୯ କର୍ମଶାଳା : ଅଷ୍ଟମ ଶ୍ରେଣୀରୁ ମାଗଣା ସାଇକେଲ

ମିଶିଯିବ ବିଏସ୍‌ଇ ଓ ସିଏଚ୍‌ଏସ୍‌ଇ, ୯ମ ଶ୍ରେଣୀରୁ ସେମିଷ୍ଟର୍‌ ପରୀକ୍ଷାକୁ ବିରୋଧ

ଭୁବନେଶ୍ବର : ଏଣିକି ଆଉ ନବମ ଶ୍ରେଣୀ ନୁହେଁ, ଅଷ୍ଟମ ଶ୍ରେଣୀରୁ ପିଲାମାନଙ୍କୁ ମାଗଣା ସାଇକେଲ୍‌ ବଣ୍ଟନ କରାଯିବ। ଯାହାଦ୍ବାରା ସ୍କୁଲ ଦୂର ହେଲେ ମଧ୍ୟ ପିଲାମାନେ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ବିଦ୍ୟାଳୟସ୍ତରରେ ଡ୍ରପ୍‌-ଆଉଟ୍‌ ହାରକୁ ରୋକିବା ପାଇଁ ଏଭଳି ଯୋଜନା ପ୍ରସ୍ତୁତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପ୍ରାରମ୍ଭିକ ଆଲୋଚନା ଶେଷ ହୋଇଥିବା ବେଳେ ୨୦୨୦-୨୧ ଶିକ୍ଷା ବର୍ଷରୁ ଲାଗୁ କରିବାକୁ ପ୍ରସ୍ତାବ ରହିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ଜାତୀୟ ଶିକ୍ଷା ନୀତି-୨୦୧୯ ଉପରେ ଦୁଇଦିନ ଧରି ଚାଲିଥିବା କର୍ମଶାଳାର ଉଦ୍‌ଯାପନୀ ଦିବସରେ ଅନେକ ପ୍ରସ୍ତାବ ଉପରେ ରାଜ୍ୟ ସରକାର ମୋହର ଲଗାଇଛନ୍ତି। କିଛି ପ୍ରସ୍ତାବକୁ ନାପସନ୍ଦ କରାଯାଇଥିବା ବେଳେ ଆଉ କିଛିରେ ସଂଶୋଧନ ଆଣିବାକୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି ଉପସ୍ଥାପିତ କରିବେ ବୋଲି ନିଷ୍ପତ୍ତି ହୋଇଛି। ଜାତୀୟ ଶିକ୍ଷା ନୀତିରେ ଥିବା ପ୍ରସ୍ତାବ ଅନୁଯାୟୀ ପିଲାମାନେ ସ୍କୁଲ ଯିବା ପୂର୍ବରୁ ପ୍ରି-ପ୍ରାଇମେରିରେ ୩ଟି ଶ୍ରେଣୀରେ ପଢ଼ିବେ। ପ୍ରାଇମେରିରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ରହିବ, ଲାଟର୍‌ ପ୍ରାଇମେରିରେ ୩ୟ, ୪ର୍ଥ ଓ ୫ମ ଶ୍ରେଣୀ, ମିଡିଲ୍‌ ପ୍ରାଇମେରିରେ ୬ଷ୍ଠରୁ ୮ମ ଶ୍ରେଣୀ ଓ ମାଧ୍ୟମିକରେ ୯ମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ରହିବ। ଅଙ୍ଗନବାଡ଼ିକୁ ସ୍କୁଲ ସହ ଯୋଡ଼ିବାକୁ ଥିବା ପ୍ରସ୍ତାବରେ କୌଣସି ପ୍ରକାର ଦ୍ବନ୍ଦ୍ବ ନାହିଁ। ତେବେ ବଜେଟ୍‌ର ଆବଶ୍ୟକତା ରହିଛି। ଅଙ୍ଗନବାଡ଼ି କର୍ମୀଙ୍କୁ ତାଲିମ ଦିଆଯିବା ସହ ଆଗାମୀ ଦିନରେ ଅଙ୍ଗନବାଡ଼ି କର୍ମୀଙ୍କ ଲାଗି ଯୋଗ୍ୟତା ସ୍ଥିର କରିବାକୁ ପ୍ରସ୍ତାବ ଦିଆଯିବ। ସ୍କୁଲରେ ମଧ୍ୟାହ୍ନଭୋଜନ ସହ ଜଳଖିଆ ଦେବାକୁ ଥିବା‌ ପ୍ରସ୍ତାବ ଉପରେ ରାଜ୍ୟ ସହମତି ପ୍ରକାଶ କରିଥିଲେ ମଧ୍ୟ ଏଥିପାଇଁ କେନ୍ଦ୍ର ସରକାର ଅର୍ଥ ଦେବା, ମଧ୍ୟାହ୍ନଭୋଜନ ଅର୍ଥ ବୃଦ୍ଧି, ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଦେବାକୁ ପ୍ରସ୍ତାବ ଦିଆଯିବ ବୋଲି ସଚିବ ଶ୍ରୀ ମହାପାତ୍ର କହିଛନ୍ତି।

ସବୁଠାରୁ ବଡ଼ ନିଷ୍ପତ୍ତିକ୍ରମେ ମାଧ୍ୟମିକ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯୋଡ଼ିବାକୁ ଥିବା ପ୍ରସ୍ତାବକୁ ରାଜ୍ୟ ସରକାର ମୋହର ଲଗାଇଛନ୍ତି। ଏହା କରାଯିବା ଦ୍ବାରା ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)କୁ ମିଶାଇ ପରୀକ୍ଷା ପରିଚାଳନା ଲାଗି ଗୋଟିଏ ବୋର୍ଡ କରାଯିବ। ଗୋଟିଏ ସଂସ୍ଥା ଦ୍ବାରା ଉଭୟ ପରୀକ୍ଷା ପରିଚାଳିତ ହେବ। ତେବେ ଶିକ୍ଷା ନୀତିରେ ଥିବା ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସେମିଷ୍ଟର୍‌ ପରୀକ୍ଷା ବ୍ୟବସ୍ଥାକୁ ରାଜ୍ୟ ସରକାର ବିରୋଧ କରିଛନ୍ତି। ମାଧ୍ୟମିକସ୍ତରରେ ସେମିଷ୍ଟର୍‌ ପରୀକ୍ଷା କରାଇବା କଷ୍ଟକର। ତେଣୁ ବାର୍ଷିକ ପରୀକ୍ଷା ଜାରି ରଖାଯାଉ ବୋଲି ପ୍ରସ୍ତାବ ଦିଆଯାଇଛି। ଏଥିସହ ପ୍ରି-ପ୍ରାଇମେରି, ପ୍ରାଇମେରି ଓ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ନିୟମିତ ତାଲିମ, ଛାତ୍ରଛାତ୍ରୀଙ୍କୁ ନିଜ ଇଚ୍ଛା ଅନୁଯାୟୀ ବିଷୟ ଚୟନ କରିବାକୁ ସୁଯୋଗ, ଶିକ୍ଷକମାନଙ୍କ ଶିକ୍ଷାଦାନ ପାଇଁ ରାଜ୍ୟରେ ଥିବା ୮୦ଟି ବିଏଡ୍‌ କଲେଜକୁ ଉଚ୍ଚଶିକ୍ଷା ବିଭାଗକୁ ହସ୍ତାନ୍ତର ପ୍ରସ୍ତାବରେ ସହମତି ପ୍ରକାଶ ପାଇଛି। ପ୍ରଥମ ଶ୍ରେଣୀରୁ ଛାତ୍ରଛାତ୍ରୀଙ୍କୁ ବୈଷୟିକ ତାଲିମ ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ତେବେ ଏଥିପାଇଁ ଆବଶ୍ୟକ ବଜେଟ୍‌ କେନ୍ଦ୍ର ସରକାର ଦେବା ଆବଶ୍ୟକ ବୋଲି କର୍ମଶାଳାରେ ମତ ପ୍ରକାଶ ପାଇଛି। କର୍ମଶାଳାରେ ପାରିତ ପ୍ରସ୍ତାବଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଗି ପଠାଯିବ। ଏହାପରେ ଜୁଲାଇ ୩୧ ସୁଦ୍ଧା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର