ଜାତୀୟ ଶିକ୍ଷାନୀତି-୨୦୨୦: କୁଳପତିଙ୍କ ସହ ଆଲୋଚନା କଲେ ରାଜ୍ୟପ‌ାଳ

ଭୁବନେଶ୍ବର: ଜାତୀୟ ଶିକ୍ଷାନୀତି ଭ‌ାରତୀୟ ସଂସ୍କୃତି, ଶୈକ୍ଷିକ ପରମ୍ପରା, ଚିନ୍ତନ ଓ ତତ୍ତ୍ବ ଉପରେ ଆଧାରିତ। ଏହାମାଧ୍ୟମରେ ଭାରତୀୟତା ସ୍ପଷ୍ଟ ଭାବେ ପ୍ରକାଶିତ ଓ ପ୍ରସାରିତ ହୋଇପାରିବ।ଜାତୀୟ ଶିକ୍ଷାନୀତିର କୁଶଳ କାର୍ଯ୍ୟାନ୍ବୟନ ଓ ଆତ୍ମିକ ପ୍ରୟୋଗ ନିମନ୍ତେ ନିଷ୍ଠା, ଆନ୍ତରିକତା ସହ କାର୍ଯ୍ୟ କରିବାକୁ ରାଜ୍ୟପାଳ ତଥ‌ା ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଣୀ ଲାଲ୍‌ ପରାମର୍ଶ ଦେଇଛନ୍ତି।

ରାଜଭବନରୁ ଭିଡିଓ କନ୍‌ଫରେନ୍ସ ଯୋଗେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ ଜାତୀୟ ଶିକ୍ଷାନୀତି-୨୦୨୦ ସମ୍ପର୍କରେ ଭାବ ବିନିମୟ କରି ପ୍ର‌ଫେସର ଲାଲ୍‌ କହିଲେ ବିଶ୍ବ, ବିଶ୍ବବିଦ୍ୟାଳୟ ଓ ବିଶ୍ବ ମାନବ ମଧ୍ୟରେ ସମନ୍ବୟ ଓ ସଂହତି ସ୍ଥାପନ କରିବା ହେଉଛି ଶିକ୍ଷାର ମୂଳ ଲକ୍ଷ୍ୟ। ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ତର୍ନିହିତ ସମ୍ଭାବନା ଓ ସାମର୍ଥ୍ୟର ଚିହ୍ନଟ, ବିକାଶ ନିମନ୍ତେ ଅନୁକୂଳ ପରିବେଶ ନିର୍ମାଣ ହେବା ଆବଶ୍ୟକ। ସମୟର ଆହ୍ବାନ ଓ ଆବଶ୍ୟକତାକୁ ଅଙ୍ଗୀଭୂତ କରି ଜାତୀୟ ଶିକ୍ଷାନୀତିର ପରିକଳ୍ପନା କରାଯାଇଛି। ଭାରତର ଏକ ସକରାତ୍ମକ ରୂପାନ୍ତରରେ ଏହା ଉତ୍‌ପ୍ରେରକ ଭୂମିକା ଗ୍ରହଣ କରିବା କ୍ଷମତା ସହ ଆଚରଣର ମଧୁର ସମନ୍ବୟକୁ ଶୈକ୍ଷିକ ଉତ୍କର୍ଷ ଭାବେ ଗ୍ରହଣ କରାଯାଏ। ନୂ୍ଆ ଜାତୀୟ ଶିକ୍ଷା ନୀତି ସେହି ଦିଗରେ ଏକ ପଥୀକୃତ ପ୍ରୟାସ। ଏହାର ସଫଳ ରୂପ‌ାୟନ ଓ କାର୍ଯ୍ୟାନ୍ବୟନରେ ଅନ୍ୟମାନଙ୍କ ମଧ୍ୟରେ କୁଳପତିମାନଙ୍କ ବି‌‌ଶେଷ ଦାୟିତ୍ବ ଓ କର୍ତ୍ତବ୍ୟ ରହିଛି। ଏହାକୁ ଏକ ଜାତୀୟ କାର୍ଯ୍ୟ ଓ ଆହ୍ବ‌ାନ ଭ‌ାବେ ଗ୍ରହଣ କରି ନିଜର ଅନୁଭବ ଓ ଉପଲବ୍ଧି ଆଧାରରେ କାର୍ଯ୍ୟକାରୀ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ବିଶ୍ବବିଦ୍ୟାଳୟର କୁଳପତିମାନେ ସେମାନଙ୍କ ମତ ଓ ମନ୍ତବ୍ୟ ଉପସ୍ଥାପନ କରିଥିଲେ। ଜାତୀୟ ଶିକ୍ଷାନୀତି-୨୦୨୦ ଭାରତର ସାମଗ୍ରିକ ପ୍ରଗତି କ୍ଷେତ୍ରରେ ଏକ ବୈପ୍ଳବିକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା। ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମର ମେହେର୍ଦ୍ଦା ପ୍ରାରମ୍ଭିକ ସୂଚନା ଦେବା ସହ ଆଲୋଚନା ପରିଚାଳନା କରିଥିଲେ। ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଅତିରିକ୍ତ ସଚିବ ଚିତ୍ତରରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର