ଭୁବନେଶ୍ବର: ‘ବିକଶିତ ଭାରତ’ କେବଳ ଏକ ଭିଜନ୍ ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦିଆଯାଇଥିବା କାମକୁ କାର୍ଯ୍ୟକାରୀ କରିବା ଦିଗରେ ଏକ ଶକ୍ତିଶାଳୀ ଆହ୍ୱାନ। ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାକୁ ହେଲେ ଜାତୀୟ ଶିକ୍ଷା ନୀତି ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ନୂଆଦିଲ୍ଲୀ ଠାରେ ଜାତୀୟ ଶିକ୍ଷା ନୀତି ୨୦୨୦ର ୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଅଖିଳ ଭାରତୀୟ ଶିକ୍ଷା ସମାଗମ (ଏବିଏସ୍ଏସ୍)-୨୦୨୫କୁ ଉଦ୍ଘାଟନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଜାତୀୟ ଶିକ୍ଷା ନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିବର୍ତ୍ତନକାରୀ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ଭାରତର ଅଭିବୃଦ୍ଧିରେ ଶିକ୍ଷାର ବଡ଼ ଭୂମିକା ରହିବ ବୋଲି ପ୍ରଧାନମନ୍ତ୍ରୀଙ୍କ ମନରେ ରହିଛି। ଆମ ଦେଶ ‘ବିକଶିତ ଭାରତ ୨୦୪୭’ର ପରିକଳ୍ପନା ଆଡ଼କୁ ଅଗ୍ରସର ହେଉଥିବା ବେଳେ ଜାତୀୟ ଶିକ୍ଷା ନୀତି ଏହାକୁ ଆଗେଇ ନେବା ଦିଗରେ ଏକ ଜାତୀୟ ମିଶନ ଭାବରେ କାର୍ଯ୍ୟ କରିବ।
ବିଗତ ୫ ବର୍ଷ ମଧ୍ୟରେ ସରକାର ଜାତୀୟ ଶିକ୍ଷା ନୀତିକୁ ‘ପଲିସିରୁ ପ୍ରାକ୍ଟିସ’କୁ ନେବାରେ ସଫଳ ହୋଇଛନ୍ତି। ଏହି ନୀତି ଶିକ୍ଷା ବ୍ୟବସ୍ଥାରେ ଏକ ଅନୁକରଣୀୟ ପରିବର୍ତ୍ତନ ଆଣିବା ସହ ଶ୍ରେଣୀଗୃହ, କ୍ୟାମ୍ପସ ଏବଂ ସମୁଦାୟ ପର୍ଯ୍ୟନ୍ତ ପହଞ୍ଚିଛି। ଜାତୀୟ ଶିକ୍ଷା ନୀତିର ମୂଳରେ ଭାରତୀୟ ବିଚାରଧାରା ରହିଛି। ବୈଜ୍ଞାନିକ ଶିକ୍ଷା, ନବସୃଜନ, ଗବେଷଣା, ଭାରତୀୟ ଜ୍ଞାନ ପ୍ରଣାଳୀ ଏବଂ ଭାରତୀୟ ଭାଷା ଉପରେ ଶିକ୍ଷା ନୀତି ବିଶେଷ ଧ୍ୟାନ ଦେବା ସହ ଶିକ୍ଷା ମାଧ୍ୟମରେ ରାଷ୍ଟ୍ର ନିର୍ମାଣର ବ୍ୟାପକ ଲକ୍ଷ୍ୟ ରଖିଛି। ପ୍ରତ୍ୟେକ ଶ୍ରେଣୀ ଗୃହରେ ଏକ ଅର୍ଥପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବା ଉପରେ ଦୃଷ୍ଟି ଦେବା ସହ ପ୍ରତ୍ୟେକ ପିଲାର ସାମର୍ଥ୍ୟକୁ ପ୍ରସ୍ଫୁଟିତ ସୁନିଶ୍ଚିତ କରିବା ପାଇଁ ଶ୍ରୀ ପ୍ରଧାନ ସମସ୍ତ ଅଂଶୀଦାରଙ୍କୁ ସକ୍ରିୟ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ, ସୁକାନ୍ତ ମଜୁମଦାର, ୧୩ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନେ ଯୋଗ ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗ ସଚିବ, ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ସଚିବ, ପ୍ରମୁଖ ଶିକ୍ଷାବିତ୍, ସିବିଏସ୍ଇ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସଂଗଠନର ଆଞ୍ଚଳିକ ଅଧିକାରୀ, ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର କୁଳପତି, ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ରାଜ୍ୟଗୁଡ଼ିକର ଶିକ୍ଷା ବିଭାଗର ସଚିବ, ସମଗ୍ର ଶିକ୍ଷାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଏସ୍ସିଇଆରଟିର ନିର୍ଦ୍ଦେଶକ, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଏବଂ ସ୍କୁଲ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।