ଆଜି ଜାତୀୟ କ୍ରୀଡ଼ା ଦିବସ : ଆଜି ବି ଛେଳି ଚରାଉଛନ୍ତି ଜାତୀୟ ମହିଳା ଫୁଟ୍‌ବଲର୍‌ ତନୁଜା ବାଗେ

ଝାରସୁଗୁଡ଼ା, (ପ୍ରଶାନ୍ତ କୁମାର ମିଶ୍ର): ଥରେ ଅଧେ ନୁହେଁ ତିନି ଥର ସେ ଜାତୀୟ ଫୁଟ୍‌ବଲ୍‌ ଖେଳରେ ପ୍ରତିନିଧିତ୍ବ କରିଥିଲେ। ଜାତୀୟ ରଗ୍‌ବିରେ ମଧ୍ୟ ଅଂଶଗ୍ରହଣ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ। ଫୁଟ୍‌ବଲ୍‌ ପଡ଼ିଆରେ ଗୋଲ୍‌ ପୋଷ୍ଟ ସମ୍ମୁଖରେ ଯେତେବେ‌ଳେ ତନୁଜା ଛିଡ଼ା ହେଉଥିଲେ ସେତେବେଳେ ପ୍ରତିପକ୍ଷ ଦଳର ବିଜୟ ଆଶା ମଉଳି ଯାଉଥିଲା। ଦିନେ ଯେଉଁ ମହିଳା ଖେଳାଳି ନିଜ ଦଳ ଓ ଦେଶକୁ ବାରମ୍ବାର ବିଜୟ ମୁକୁଟ ପିନ୍ଧାଉଥିଲା ସେ ଆଜି ତା’ର ଜୀବନ ସଂଗ୍ରାମରେ ହାର ମାନି ଯାଇଛି। ପେଟ ପାଇଁ ଜଙ୍ଗଲ ଭିତରେ ସେ ଆଜି ଛେଳି ଚରାଉଛନ୍ତି। ‌ଦିନେ ଜାତୀୟ ଫୁଟ୍‌ବଲ୍‌ ଖେଳରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ରାଜ୍ୟ ତଥା ଝାରସୁଗୁଡ଼ା ପାଇଁ ଗୌରବ ଆଣିଥିବା ସେହି ଖେଳାଳି ହେଲେ ଝାରସୁଗୁଡ଼ାର ତନୁଜା ବାଗେ।

ଝାରସୁଗୁଡ଼ା ଦେବାଡ଼ିହି ଗ୍ରାମ ମୁଣ୍ଡରେ ଏକ ସରକାରୀ ଜାଗା ଉପରେ ଏକ ଛୋଟ ଝୁମ୍ପୁଡ଼ିରେ ରହି ତନୁଜା ଓ ତାଙ୍କ ସ୍ବାମୀ ଦିନ ମଜୁରିଆ ମହନି କଣ୍ଡରା ପେଟ ପାଇଁ ଅହରହ ସଂଗ୍ରାମ କରୁଥିବା ଦୃଶ୍ୟ ଦେଖିଲେ ଯେ କେହି ବ୍ୟଥିତ ହେବା ସ୍ବାଭାବିକ। ରାଜ୍ୟ ସରକାର, କେନ୍ଦ୍ର ସରକାର ତଥା ବିଭିନ୍ନ କପୋର୍ରେଟ ସଂସ୍ଥା କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ପାଇଁ ଅନେକ କିଛି କାର୍ଯ୍ୟକ୍ରମ କରୁଥିବା ବେଳେ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ତନୁଜା ବାଗେଙ୍କ ଭଳି ଏକ ଜାତୀୟ ପ୍ରତିଭା ସଂପନ୍ନ ଖେଳାଳି ଝାରସୁଗୁଡ଼ା ଭଳି ଏକ ଶିଳ୍ପନଗରୀରେ ଅଲୋଡ଼ା ହୋଇ ପଡ଼ିଛନ୍ତି। ୨୦୦୩ରୁ ୨୦୧୧ ମସିହା ପର୍ଯ୍ୟନ୍ତ ବିଭିନ୍ନ ଦଳରେ ପ୍ରତିନିଧିତ୍ବ କରି ତନୁଜା ଦେଶର ବିଭିନ୍ନ ସ୍ଥାନରେ ତାଙ୍କର ଖେଳର ପରାକାଷ୍ଠା ପ୍ରଦର୍ଶନ କରି ଅନେକ ପ୍ରଶଂସାପତ୍ର, ମେଡାଲ ଓ ପୁରସ୍କାର ପାଇଛନ୍ତି। ମାତ୍ର ଏହି ପ୍ରତିଭା ତାଙ୍କ ଜୀବନ ସଂଗ୍ରାମରେ କୌଣସି ବି କାମରେ ଆସି ନଥିବା ସେ ଅତି ଦୁଃଖରେ କାନ୍ଦି କାନ୍ଦି କୁହନ୍ତି। ତାଙ୍କୁ ଦୀର୍ଘ ବର୍ଷ ହେଲା ଜିଲ୍ଲା ପ୍ରଶାସନ ହେଉକି ପୁଲିସ ପ୍ରଶାସନ ସମସ୍ତେ ନିଯୁକ୍ତି ପ୍ରତିଶ୍ରୁତି ଦେଇ ଭୁଲି ଯାଇଛନ୍ତି। ଜିଲ୍ଲାରେ ଗଢ଼ି ଉଠିଥିବା ବଡ଼ ବଡ଼ କଳ କାରଖାନା ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଦେବାରେ ଅବହେଳା କରି ନାହାନ୍ତି। ମାତ୍ର କେହି ବି ସେମାନେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ତେଣୁ ତନୁଜା ବାଧ୍ୟ ହୋଇ ଗ୍ରାମର ବିଭିନ୍ନ ଲୋକଙ୍କ ଛେଳିକୁ ପ୍ରତିଦିନ ସକାଳୁ ସନ୍ଧ୍ୟା‌ ପର୍ଯ୍ୟନ୍ତ ଚରାଇ ଅଳ୍ପ ରୋଜଗାର କରୁଥିବା ବେଳେ ସ୍ବାମୀ ମଧ୍ୟ ମଜୁରି କରି ଯାହା ପାଆନ୍ତି ସେଥିରେ ଓଳିଏ ଖାଇଲ‌େ ଆଉ ଓଳିଏ ଭୋକରେ ରହିବାକୁ ବାଧ୍ୟ ହୁଅନ୍ତି। ଏଥି ସହିତ ଛୋଟ ଛୋଟ ଦୁଇଟି ଛୁଆର ଦାୟିତ୍ବ ତାଙ୍କ ଆଖିରୁ ନିଦ ହଜାଇ ଦେଇଥିବା ସେ କୁହନ୍ତି। ତାଙ୍କ ସହ ଖେଳୁଥିବା ବହୁ ମହିଳା ଖେଳାଳି ଏବେ ରେଲ୍‌ୱେ, ନାଲ୍‌କୋ ଭଳି ସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ କେବଳ ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳିନାହିଁ ବୋଲି ସେ ଅତି ଦୁଃଖର ସହିତ କୁହନ୍ତି। ଗତ ବର୍ଷ ଏ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପରେ ତାଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ତାହା ମଧ୍ୟ ସମୟ ସ୍ରୋତରେ ଉଭେଇ ଯାଇଥିଲା। ଝାରସୁଗୁଡ଼ାର କିଛି କ୍ରୀଡ଼ାପ୍ରେମୀ ତନୁଜାଙ୍କୁ ନିଯୁକ୍ତି ଦେବା ପାଇଁ ଅନେକ ଉଦ୍ୟମ କରିଥିଲେ ମଧ୍ୟ ତାହା ହୋଇ ପାରି ନାହିଁ। ଫଳରେ ଆଜି ବି ତନୁଜା ଛେଳି ଚରାଇ ନିଜର ଜୀବନ ବିତାଉଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର