ପୁରୀ ଅଗ୍ନିକାଣ୍ଡ ଘଟଣା: ପହଞ୍ଚିଲେ ନ୍ୟାସନାଲ୍‌ ଫାୟର ସର୍ଭିସ୍ କଲେଜର ସ୍ୱତନ୍ତ୍ର ଟିମ୍‌

ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଖୁବ୍ ଶୀଘ୍ର ଆୟତ୍ତ କରାଯିବ: ଅଗ୍ନିଶମ ଡିଜି

ପୁରୀ: ଟାଉନ୍‌ ଥାନା ଅନ୍ତର୍ଗତ ଲକ୍ଷ୍ମୀବଜାରରେ ଗତକାଲି ରାତି ସାଢ଼େ ୮ଟାରୁ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ୨୦ ଘଣ୍ଟା ପରେ ମଧ୍ୟ ଅଣାୟତ୍ତ ରହିଛି। ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ଜୋରଦାର ଉଦ୍ୟମ କରିଥିଲେ ବି ସଂପୂର୍ଣ୍ଣ ରୂପେ ସଫଳ ହୋଇନାହାନ୍ତି। ଏହାରି ମଧ୍ୟରେ ମହାରାଷ୍ଟ୍ରର ପୁନେସ୍ଥିତ ନ୍ୟାସନାଲ୍‌ ଫାୟର ସର୍ଭିସ୍ କଲେଜର ସ୍ୱତନ୍ତ୍ର ଟିମ୍‌ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଓଡ଼ିଶା ଅଗ୍ନିସେବା ଅଧୀନରେ ଏହି ସ୍ୱତନ୍ତ୍ର ଟିମ୍‌ ନିୟୋଜିତ ଅଛନ୍ତି। ଜାତୀୟ ଟିମ୍‌ର ଭୁବନେଶ୍ବରରେ ଟ୍ରେନିଂ ଚାଲିଛି। ପୁରୀରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ପାଇଁ ଏହି ଦଳ ଗସ୍ତ କରିଛନ୍ତି।

ଏହା ପୂର୍ବରୁ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଥିଲେ ଯେ, ନିଆଁ  ଆୟତ୍ତ କରିବାକୁ ଆଉ କିଛି ସମୟ ଲାଗିବ। ସେ କହିଥିଲେ, ଖୁବ୍ ଶୀଘ୍ର ନିଆଁକୁ ଆୟତ୍ତ କରାଯିବ। ୧୬୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁଲିଭା କାମରେ ନିୟୋଜିତ ଅଛନ୍ତି। ୧୨ଟି ଦମକଳ ଓ ୨ଟି ଓଡ୍ରାଫ୍ ଟିମ୍ ନିଷ୍ଠାର ସହ କାମ କରୁଛନ୍ତି। ରାତିରେ ଆଲୋକର ଅସୁବିଧା ଥିବା ହେତୁ କାମ ଟିକେ କଷ୍ଟକର ଥିଲା, ହେଲେ ଏବେ ଜୋରସୋରରେ କାମ ଚାଲିଛି।

ସୂଚନାଯୋଗ୍ୟ, ମରିଚିକୋଟ ଛକ ନିକଟ ଲକ୍ଷ୍ମୀବଜାରରେ ଥିବା ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ ନିଆଁ ଲାଗିଥିଲା। ଗତକାଲିଠାରୁ ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଏହି ଘଟଣାରେ କେହି ଗୁରୁତର ମୃତାହତ ହୋଇଥିବା ସୂଚନା ମିଳିନାହିଁ। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe