ରାଉରକେଲାରେ ୨୩୦ ଫୁଟ ଉଚ୍ଚରେ ଉଡିଲା ତ୍ରିରଙ୍ଗା

ରାଉରକେଲା: ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଦୀପକ ଚଟ୍ଟରାଜ ସେକ୍ଟର-୬ରେ ‘ଇସ୍ପାତ ସରୋବର ଉଦ୍ୟାନ’ର ଉଦଘାଟନ କରିଛନ୍ତି। ଏହି ଉଦ୍ୟାନର ବିଶେଷତ୍ଵ ହେଉଛି ଏହାର ମଧ୍ୟଭାଗରେ ଥିବା ୭୦ ମିଟର ( ପ୍ରାୟ ୨୩୦ ଫୁଟ୍) ଉଚ୍ଚତା ବିଶିଷ୍ଟ ପତାକା ସ୍ତମ୍ଭ ଉପରେ ଉତ୍ତୋଳିତ ଜାତୀୟ ପତାକା। ଉକ୍ତ ଜାତୀୟ ପତାକାର ଲମ୍ବ ଓ ପ୍ରସ୍ତ ଯଥାକ୍ରମେ ୭୨ ଫୁଟ ଓ ୪୮ ଫୁଟ ରହିଛି।

ଉଲ୍ଲେଖନୀୟ ଯେ ବର୍ତ୍ତମାନ ଏହା ହେଉଛି ରାଜ୍ୟର ଉଚ୍ଚତମ ପତାକା ସ୍ତମ୍ଭ। ଏହା ପଛକୁ ରହିଛି କଟକର ହାଇକୋର୍ଟ ପରିସରରେ ଥିବା ୨୧୫ ଫୁଟ୍ ଊଚ୍ଚତା ବିଶିଷ୍ଟ ପତାକା ସ୍ତମ୍ଭ ଓ ଅନୁଗୁଳରେ ନବୀନ ଜିନ୍ଦଲଙ୍କ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ଦ୍ବାରା ସ୍ଥାପିତ ୨୦୭ ଫୁଟ୍ ଉଚ୍ଚର ପତାକା ସ୍ତମ୍ଭ। ଇସ୍ପାତ ସରୋବର ଉଦ୍ୟାନ ମଧ୍ୟରେ ୬,୦୦୦ ବର୍ଗମିଟରର ଏକ ସୁନ୍ଦର ପୁଷ୍କରିଣୀ ରହିଛି । ଉଦ୍ୟାନରେ ଫୁଲଗଛ, ପାଚେରିରେ ସୁନ୍ଦର ଚିତ୍ରକଳା ଓ ପୁଷ୍କରିଣୀ ମଧ୍ୟରେ ନିର୍ମିତ ବିଭିନ୍ନ କଳାକୃତି ଅଞ୍ଚଳକୁ ଆକର୍ଷଣୀୟ କରିଛି। ଫୁଡ୍‌କୋର୍ଟ, ପିଲାଙ୍କର ଖେଳ ଉପକରଣ ଓ ଅନ୍ୟ ବହୁ ସୁବିଧା ତିଆରି ଚାଲିଛି।

ସମ୍ବନ୍ଧିତ ଖବର